ଐତିହ୍ୟ ଗ୍ରାମ ରଘୁରାଜପୁରରେ ଭିତ୍ତିଚିତ୍ର ଶିବିର: ନିଜ ଘର କାନ୍ଥରେ ଚିତ୍ର ଆଙ୍କୁଛନ୍ତି ଶିଳ୍ପୀ

୧୫୦ ଶିଳ୍ପୀଙ୍କୁ ମିଳିବ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ବର : ଐତିହ୍ୟ ଗ୍ରାମ ରଘୁରାଜପୁରରେ ଓଡ଼ିଶା ଲଳିତ କଳା ଏକାଡେମି ଏବଂ ଓଡ଼ିଶା ଖଣି ନିଗମର ମିଳିତ ସହଯୋଗରେ ପାରମ୍ପରିକ ଭିତ୍ତିଚିତ୍ର ଶିବିର ଆରମ୍ଭ ହୋଇଛି। ୫ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ଗ୍ରାମର ୧୫୦ ପରିବାର ଅଂଶଗ୍ରହଣ କରିଛନ୍ତି। ଶିଳ୍ପୀମାନେ ନିଜ ଘର ଦ୍ବାର କାନ୍ଥରେ କୋଭିଡ୍‌ ନିୟମ ପାଳନ ପୂର୍ବକ ପାରମ୍ପରିକ ଭିତ୍ତିଚିତ୍ର ଆଙ୍କୁଛନ୍ତି। ୧୫୦ ଜଣ ଶିଳ୍ପୀଙ୍କୁ ଏଥିପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଚିତ୍ରଗୁଡ଼ିକ ମଧ୍ୟରୁ ୫ଟି ଚିତ୍ର ଏକାଡେମିର ସ୍ବତନ୍ତ୍ର ଚୟନ କମିଟି ଦ୍ବାରା ମନୋନୀତ କରାଯିବ ଏବଂ ଶିଳ୍ପୀମାନଙ୍କୁ ଏକାଡେମି କାର୍ଯ୍ୟାଳୟରେ ସମ୍ବର୍ଧିତ କରାଯିବ। ଏକାଡେମି ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଏହି ଶିବିରକୁ ଉଦଘାଟନ କରିଥିଲେ।

ଶିଳ୍ପୀମାନେ କୋଭିଡ୍‌ ନିୟମ ପାଳନ ପୂର୍ବକ ନିଜ ଘରେ ସତର୍କତା ଅବଲମ୍ବନ କରି ଓଡ଼ିଶାର କଳାକୁ ଉଜ୍ଜୀବୀତ ରଖିବାରେ ସହାୟ ହୁଅନ୍ତୁ ବୋଲି ସେ କହିଥିଲେ। ଏହି ଅବସରରେ ଅନ୍‌ଲାଇନ୍‌ ଯୋଗେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ପ୍ରମୁଖ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଏକାଡେମିର ସଚିବ ପଞ୍ଚାନନ ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ରଘୁରାଜପୁର ଗ୍ରାମ୍ୟ କମିଟି ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି, ସମ୍ପାଦକ ଅଭିରାମ ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଭିତ୍ତିଚିତ୍ର ପରବର୍ତୀ ସମୟରେ ଏହି ଗ୍ରାମକୁ ଆସୁଥିବା ଆଗନ୍ତୁକ ପର୍ଯ୍ୟଟକଙ୍କୁ ଦେଖିବାକୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର