ବରଗଡ଼ରେ ହେବ କଳାକାର ମହାକୁମ୍ଭ

ଯୋଗଦେବେ ୫୦ ହଜାରରୁ ଅଧିକ କଳାକାର: ଚାଲିଛି ପ୍ରସ୍ତୁତି

ବରଗଡ଼ : ପଶ୍ଚିମ ଓଡ଼ିଶା କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବରଗଡ଼ଠାରେ ଆଗାମୀ ଦିନରେ ଅନୁଷ୍ଠିତ ହେବ କଳାକାର ମହାକୁମ୍ଭ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗଦେବେ ୫୦ ହଜାରରୁ ଅଧିକ କଳାକାର। ଏଥିପାଇଁ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ବରଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବଉଲଝୁଁପାର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛେର୍‌ଛେରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ତତ୍ତ୍ବାବଧାନ ଓ ଉପସଭାପତି ଭୁବନେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମକୁ ସମ୍ପାଦକ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଶିଳ୍ପପତି ତଥା ସମାଜସେବୀ ଚନ୍ଦ୍ରଶେଖର ବାଗ ଓ ତାଙ୍କ ଧର୍ମପତ୍ନୀ କୁମୋଦିନୀ ବାଗ ଯୋଗଦେଇ କଳା ହେଉଛି ଈଶ୍ବରଙ୍କ ଦାନ ଓ ଆଗାମୀ ଦିନରେ ବରଗଡ଼ରେ ଅନୁଷ୍ଠିତ ହେବାକୁ ଥିବା କଳାକାର ମହାକୁମ୍ଭ ପାଇଁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ ଯୋଗଦେଇ କଳାକାର ମହାସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ କଳାକାରମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଭୁବନ ଭୋଇ, ସୋମନାଥ ପଧାନ, ବାସୁଦେବ ପଧାନ, ବଉଲଝୁଁପା ସଂପାଦିକା ପୁଷ୍ପାଞ୍ଜଳି ପ୍ରଧାନ, କଣ୍ଠଶିଳ୍ପୀ ବାଲେଶ୍ବର କୁଅଁର, ଖଗେଶ୍ବର ସାହୁ, ନରେନ୍ଦ୍ର କଣ୍ଟା, ପ୍ରମୋଦ ଦାଶ, ସଂଗୀତଜ୍ଞ ଅନିରୁଦ୍ଧ ପାଇକ, ନୃତ୍ୟଗୁରୁ ରାଜେଶ ବାରିକ, ଜିତେନ୍ଦ୍ରୀୟ ସାହୁ, ପଞ୍ଚାନନ ମହାପାତ୍ର, ପୁରନ୍ଦର ସେଠ ପ୍ରମୁଖ ଉପସ୍ଥିତ ରହି କଳାକାର ମହାକୁମ୍ଭ ସଫଳ ଆୟୋଜନ କରିବା ପାଇଁ ନିଜ ନିଜର ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସମ୍ପ୍ରଦା, ସଂଚାର, କରମସାନି, ଖଞ୍ଜଣି, ସଂକୀର୍ତ୍ତନ୍ୟ, ଗଣ୍ତାବାଜା, ଡଣ୍ତାନୃତ୍ୟ, କଲଙ୍ଗୀ ନାଚ ଆଦି ବିଭିନ୍ନ କଳାକାରମାନେ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନପୂର୍ବକ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ସ୍ଥାନୀୟ ଲୋକକଳା ଭବନରୁ ବାହାରି ଅଗ୍ରଗାମୀ ଯୁବକ ସଂଘ ସଭା ମଣ୍ତପ ପର୍ଯ୍ୟନ୍ତ ପହଂଚି ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରାଧେଶ୍ୟାମ ଭେସ୍ରା, ନିତ୍ୟାନନ୍ଦ ବାଗ, ବିଭୁଧେନ୍ଦୁ ମହାନନ୍ଦ, ସନ୍ତୋଷ ସାହୁ, ସଦାନନ୍ଦ ଜାଲ, ଡୋଳାମଣି ଶତପଥି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ମହାକୁମ୍ଭ କୋଭିଡ୍ କଟକଣା ପାଇଁ ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର