ଶିଳ୍ପୀ ରଞ୍ଜନ ମହାରଣାଙ୍କୁ ମରଣୋତ୍ତର ଜାତୀୟ ହସ୍ତଶିଳ୍ପ ପୁରସ୍କାର

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଶୁଖୁଆପଡ଼ାର ଯୁବ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ରଞ୍ଜନ ମହାରଣା ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୧୮ ମସିହା ପାଇଁ କେନ୍ଦ୍ର ସରକାରଙ୍କ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ସ୍ବର୍ଗତ ମହାରଣାଙ୍କ ଦ୍ୱାରା ସାହାଣ ପଥରରେ ନିର୍ମିତ ନିଖୁଣ କାରୁକାର୍ଯ୍ୟପୂର୍ଣ୍ଣ ‘ହରିହର ମୂର୍ତ୍ତି’କୁ ବିଚାରକ ମଣ୍ଡଳୀ ଚୟନ କରିଥିଲେ। ଏତେବଡ଼ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ରଞ୍ଜନ ଆଉ ଇହଜଗତରେ ନାହାନ୍ତି। ଦେଢ଼ବର୍ଷ ତଳୁ ତାଙ୍କର ପରଲୋକ ହୋଇଯାଇଛି। ମରଣୋତ୍ତର ଭାବେ ତାଙ୍କ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି। ପୁରସ୍କାର ବାବଦକୁ ଏକଲକ୍ଷ ଟଙ୍କା ସହିତ ତାମ୍ର ଫଳକ ପ୍ରଦାନ କରାଯିବ।

ଏହା ପୂର୍ବରୁ ସ୍ବର୍ଗତ ରଞ୍ଜନ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ ଜାତୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ପାଇଥିଲେ। ୨୦୧୮ ମସିହା ପାଇଁ ଏହି ପୁରସ୍କାର ପାଇବାରେ ସ୍ବର୍ଗତ ରଞ୍ଜନ ଯାଜପୁର ଜିଲ୍ଲାର ଏକମାତ୍ର ପ୍ରସ୍ତରଶିଳ୍ପୀ। ଏହି ପୁରସ୍କାର ଘୋଷଣା ପରେ ରଞ୍ଜନଙ୍କ ଗ୍ରାମ ଶୁଖୁଆପଡ଼ା ତଥା ବଡଚଣା ବ୍ଲକର ଶିଳ୍ପୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଖବର ପାଇ ବିଧାୟକ ଅମର ପ୍ରସାଦ ଶତପଥୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ତାଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଜାତୀୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ଛତିଆ ଅଞ୍ଚଳର ମହେଶ୍ୱର ଓଝା ମଧ୍ୟ ଏହି ଖବର ଆମ ବଡ଼ଚଣା ମାଟି ପାଇଁ ଗର୍ବ ଆଣି ଦେଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର