ବରଗଡ଼: କ୍ରମାଗତ ଦୁଇ ବର୍ଷ ହେଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କରୋନା କଟକଣା ଯୋଗୁଁ ବନ୍ଦ ରହିଛି। ବର୍ତମାନ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଫଳରେ ଆସନ୍ତା ଧନୁଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି।। ଆସନ୍ତା ଡିସେମ୍ବର ୨୬ ତାରିଖରୁ ଧନୁଯାତ୍ରା ଆରମ୍ଭ ତିଥି ରହିଛି। କରୋନା କହର ନଥିଲେ ଧନୁଯାତ୍ରା ଆୟୋଜନାରେ କିଛି ଅସୁବିଧା ହେବ ନାହିଁ। ବର୍ତ୍ତମାନଠାରୁ ଧନୁଯାତ୍ରା ହେବ ନା ନାହିଁ, ତାହା ଆକଳନ ଲଗାଇବା ମୁସ୍କିଲ। କିନ୍ତୁ କଳାକାର ଚୟନ ନେଇ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଅଗଷ୍ଟ ୧୫ ତାରିଖ ପରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୈଠକ ପରେ ହିଁ ଜଣାପଡ଼ିବ।
ଶେଷ ଥର ପାଇଁ ୨୦୨୦ ମସିହାରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାର ଚୟନ ପାଇଁ ସ୍ଥିର ହୋଇଥିଲା। ତେବେ ଦୁଇ ବର୍ଷ ହେଲା ଧନୁଯାତ୍ରା ବନ୍ଦ ହେବାରୁ ଏହି ପ୍ରକ୍ରିୟା ଗଡ଼ି ଚାଲିଛି। ପର୍ଯ୍ୟାପ୍ତ ସମୟ ନ ମିଳିଲେ ଏଥର ବି କଳାକାର ଚୟନ ଏବଂ ପ୍ରସ୍ତୁତି ଆହୁରି କାଠିକର ହୋଇପଡ଼ିବ। ତେଣୁ ଧନୁଯାତ୍ରା ଆୟୋଜନ ହେଉ ବା ନହେଉ, କଳାକାର ଚୟନକୁ ଏଥର ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। କାରଣ ନୂଆ କଳାକାରଙ୍କ ପାଇଁ ମଂଚ ଅଭିନୟକୁ ନିଖୁଣ କରିବାକୁ ଅତିକମ୍ରେ ତିନିମାସର ସମୟ ଆବଶ୍ୟକ। ଫଳରେ ସେପ୍ଟେମ୍ବର ମାସରେ କଳାକାର ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଇପାରେ। ଏନେଇ ଧନୁଯାତ୍ରା ମହୋତ୍ସବ ସମିତି ଆବାହକ ସୁରେଶ୍ବର ଶତପଥୀଙ୍କ ମତାମତ ଲୋଡ଼ା ଯାଇଥିଲା। ଧନୁଯାତ୍ରା ଆୟୋଜନ ନେଇ ସେତେ ବେଳର ଗାଇଡ୍ଲାଇନ୍ ଏବଂ କରୋନା ସ୍ଥିତି ଦେଖିବା ପରେ ହିଁ ନିଷ୍ପତ୍ତି ହେବ। ହେଲେ କଳାକାର ଚୟନ ନେଇ ଆଗାମୀ ବୈଠକରେ ସହମତି ହେବା ପରେ ହିଁ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/16-12.jpg)