ଶିବଙ୍କ ତୂଳୀରୁ ଆଉ ଝରିବନି ରଙ୍ଗ, ୭୮ ବର୍ଷରେ ଆଖି ବୁଜିଲେ

କଟକ : ଶିବ ପାଣିଗ୍ରାହୀଙ୍କ ତୂଳୀରୁ ଆଉ ଝରିବନି ରଙ୍ଗ। ତାଙ୍କ ‘ ଆକାଶରେ ସ୍ବପ୍ନ’ (ଡ୍ରିମ୍‌ ଇନ୍‌ ଦି ସ୍କାଏ) ବି ଅଧାବାଟରେ ରହିଯିବ। ଏହି ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତିଙ୍କର ଆଜି ସିଡିଏସ୍ଥିତ ବାସଭବନରେ ପର‌ଲୋକ ହୋଇଯାଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ୨୦୧୬ ମସିହା ଅଗଷ୍ଟ ମାସରେ ନିଜ ଘର ଶିଡ଼ିରୁ ପଡ଼ିଯିବା ଫଳରେ ସେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଗଲା ଜୁନ୍‌ ମାସରେ ତାଙ୍କ ପତ୍ନୀ ମନୋରମା ପାଣିଗ୍ରାହୀଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଶେଷରେ ସେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି, କଳାଜଗତ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ସ୍ତବ୍ଧ ହୋଇଯାଇଛନ୍ତି।

ଶିଳ୍ପୀ ଶିବ ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲା ବାରିପଦାର କୁଳିଅଣାରେ ୧୯୪୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ରେ ଖଲ୍ଲିକୋଟ ଆର୍ଟ କଲେଜ୍‌ରୁ ଫାଇନ୍‌ ଆର୍ଟରେ ଡିପ୍ଲୋମା ପାସ୍ କରିବା ପରେ ବିଶ୍ବଭାରତୀ ଶାନ୍ତିନିକେତନ ବିଶ୍ବବିଦ୍ୟାଳୟରୁ ଫାଇନ୍ ଆର୍ଟରେ ସିନିୟର ଫେଲୋସିପ୍ ହାସଲ କରିଥିଲେ। ୧୯୮୩ରୁ ୨୦୦୨ପର୍ଯ୍ୟନ୍ତ ବିକେ କଲେଜ୍ ଅଫ୍ ଆର୍ଟ ଆଣ୍ଡ୍‌ କ୍ରାଫ୍ଟର ପେଣ୍ଟିଂ ବିଭାଗୀୟ ମୁଖ୍ୟ ଓ ପ୍ରଫେସର ଥିଲେ। ଏଥିସହିତ ସେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଉତ୍କଳ ସାହିତ୍ୟ ସମାଜ, କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପ୍ ସମେତ ଅନେକ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ରାଜ୍ୟ ତଥା ଦେଶବିଦେଶରେ ଅନେକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କର ‘ଡ୍ରିମ୍‌ ଇନ୍‌ ଦି ସ୍କାଏ’ (ଆକାଶରେ ସ୍ବପ୍ନ) ତୈଳଚିତ୍ରର ସିରିଜ୍‌ ଅତୁଳନୀୟ ଚିତ୍ରକାରିତାର ନିଦର୍ଶନ ଅଟେ।

ଚିତ୍ରକଳା ପାଇଁ ସ୍ବର୍ଗତଃ ପାଣିଗ୍ରାହୀଙ୍କୁ ୧୯୯୬ରେ ଜାତୀୟ ସମ୍ମାନ, ୧୯୯୧ରେ ପଦ୍ମକେଶରୀ ସମ୍ମାନ, ୧୯୬୧, ୧୯୬୪ ଓ ୧୯୭୦ରେ ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ, ୨୦୧୪ରେ ଶାରଳା ପୁରସ୍କାର, ଭାରତ ସରକାରଙ୍କ ପକ୍ଷରୁ ସିନିୟର ଫେଲୋସିପ୍ ସମ୍ମାନ ଭଳି ବହୁ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ, ଜୀବନର ଶେଷ ପର୍ଯ୍ୟନ୍ତ ଚିତ୍ରକଳା, ଭାସ୍କର୍ଯ୍ୟର ସର୍ବେ‌ାଚ୍ଚ ପୁରସ୍କାର ‘ଧର୍ମପଦ ପୁରସ୍କାର’ ପାଇପାରି ନ ଥିଲେ।

ସେ ମଧ୍ୟ ଚିତ୍ରକଳା ଉପରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି। ‘ ଲାଇଫ୍ ହିଷ୍ଟ୍ରି ଅଫ୍ ଏମିନେଟ୍‌ ଆର୍ଟିଷ୍ଟ ଅଫ୍ ଇଣ୍ଡିଆ ଆଣ୍ଡ୍‌ ଓଡ଼ିଶା’ , ‘ ଆର୍ଟ ଆଣ୍ଡ୍‌ ସ୍କଲ୍‌ପଚର ଅଫ୍ ଓଡ଼ିଶା’ ଆଦି ତାଙ୍କ ରଚିତ ଗ୍ରନ୍ଥ। ଚିତକ୍ରଳା ଉପରେ ତାଙ୍କର ଅନେକ ଆଲେଖ୍ୟ ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି।

ଆଜି ତାଙ୍କର ପରଲୋକ ଖବର ପାଇ ଓଡ଼ିଶା ଲଳିତ କଳା ଏକାଡେମୀର ବହୁ କର୍ମକର୍ତ୍ତା ଓ ଶିଳ୍ପୀ ତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ‌ିଲେ। ଶେଷଶଯ୍ୟା ନିଟକରେ ପୁଅ ରାଜକୁମାର ପାଣିଗ୍ରାହୀ, ବୋହୂ ମାଳବିକା ସାହୁ, ଝିଅ ତୁଳିକା ପାଣିଗ୍ରାହୀ ହୋତା, ଜ୍ବାଇଁ ସୂର୍ଯ୍ୟନାରାୟଣ ହୋତା, ନାତି ୟସ୍‌ରାଜ ପାଣିଗ୍ରାହୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ସଂଧ୍ୟାରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚୌରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ରାଜକୁମାର ମୁଖାଗ୍ନି ଦେଇଥିଲେ।

ଶିବ ପାଣିଗ୍ରାହୀଙ୍କ ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଂପାଦକ ମନୋଜ ପଟ୍ଟନାୟକ, ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ଡାକ୍ତର ରବିରଂଜନ ସାହୁ, ଶିଳ୍ପୀ ରବି ରଥ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର