ଶିଳ୍ପୀ ସୁର୍ଦଶନ ସାହୁଙ୍କୁ ପଦ୍ମ ବିଭୂଷଣ, ଆଉ ୫ ଓଡ଼ିଆଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆଜି ଆୟୋଜିତ ୨୦୨୧ର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ବିତରଣ ସମାରୋହରେ ୬ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି। ପ୍ରଖ୍ୟାତ ସ୍ଥପତି ତଥା ଭାସ୍କର୍ଯ୍ୟ ଶିଳ୍ପୀ ସୁର୍ଦଶନ ସାହୁଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମବିଭୂଷଣ ପ୍ରଦାନ କରିଥିଲେ। ଓଡ଼ିଶାର ପାରମ୍ପରିକ ଭାସ୍କର୍ଯ୍ୟ କଳାର ପ୍ରଚାରପ୍ରସାର ଦିଗରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି।

ପୁରସ୍କାର ବିତରଣ ସମାରୋହରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ଡ. ରଜତ କୁମାର କର ଓ ନନ୍ଦ ପୃଷ୍ଟି, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାନ୍ଧୀବାଦୀ ଶାନ୍ତି ଦେବୀ, ଲୋକକଳା ପାଇଁ ପୂର୍ଣ୍ଣମାସୀ ଜାନି, ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ପ୍ରଫେସର କୃଷ୍ଣମୋହନ ପାଠୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଥିଲେ। ପୂର୍ଣ୍ଣମାସୀ ଜାନି ଓ ଶାନ୍ତି ଦେବୀ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ପୁରସ୍କାର ଗ୍ରହଣ କରିବା ସ୍ଥଳକୁ ପହଞ୍ଚିବା ପାଇଁ ହୁଇଲ୍‌ ଚେୟାରର ସହାୟତା ନେଇଥିଲେ। ୧୦୨ ବର୍ଷୀୟ ନନ୍ଦ ପୃଷ୍ଟି ପୁରସ୍କାର ଗ୍ରହଣ କରିବା ସମୟରେ ସାରା ଦରବାର ହଲ ତାଳିରେ କମ୍ପି ଉଠିଥିଲା। ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଓ ପୁରସ୍କାର ପାଇବା ପରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯାହାକି ସମାରୋହରେ ସବୁଠାରୁ ଆକର୍ଷଣୀୟ ଥିଲା। କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର