ଦୁଃଖ ଜଣାଇବାକୁ ନବୀନ ନିବାସରେ ଯାତ୍ରା କଳାକାର

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପରଠୁ ଯାତ୍ରା ପରିବେଷଣ ବନ୍ଦ ରହିଛି। ଯାତ୍ରା ପାଇଁ ଅନୁମତି ନ ଥିବାରୁ କଳାକାର ଓ ଟେକ୍ନିସିଆନମାନେ ହାତ ବାନ୍ଧି ଘରେ ବସି ରହିଛନ୍ତି। ଯାତ୍ରା ପାର୍ଟିର ମାଲିକମାନେ ମଧ୍ୟ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବାରୁ ସେମାନେ କଳାକାର ଓ କର୍ମଚାରୀଙ୍କୁ ବେତନ ଦେବାକୁ ସକ୍ଷମ ହେଉନାହାନ୍ତି। ତେଣୁ ରାଜ୍ୟର ୬୫ଟି ଯାତ୍ରା ଦଳର ପ୍ରାୟ ୧୦ ହଜାର କଳାକାର ଓ କର୍ମୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। କଳାକାର ଓ ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକୃତ ହୋଇ ନ ଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ‘ ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ’ର ସଦସ୍ୟମାନେ ସୋମବାର ନବୀନ ନିବାସ ଯାଇ ସେମାନଙ୍କର ଦୁଃଖ ଜଣାଇଛନ୍ତି।

ସଂଘର ସଭାପତି ଦୈତାରୀ ପଣ୍ଡା କହିଛନ୍ତି, ଯାତ୍ରା କଳାକାର ଓ କର୍ମଚାରୀଙ୍କ ସମସ୍ୟା ବାବଦରେ ଆଗରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲୁ। ମାତ୍ର ଆଜି ନବୀନ ନିବାସ ଯାଇ ସହାୟତା ପାଇଁ ନିବେଦନ କରିଛୁ। ଦୁର୍ଦ୍ଦିନରେ ଥିବା ଯାତ୍ରା କଳାକାର ଓ କର୍ମଚାରୀମାନଙ୍କୁ ତୁରନ୍ତ ସରକାର ସହାୟତା ଯୋଗାଇ ଦିଅନ୍ତୁ ଏବଂ ଯେବେଠୁ କ୍ରୀଡ଼ା, ସଭା ଓ ବଡ଼ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ମିଳିବ, ସେବେଠୁ ଯାତ୍ରା ପରିବେଷଣ ପାଇଁ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହାଛଡ଼ା ଯାତ୍ରା ପ୍ରଯୋଜକମାନଙ୍କୁ ସବସିଡିରେ ଋଣ ପ୍ରଦାନ କରାଯିବା ଓ ଯାତ୍ରାକୁ ଲୋକକଳାର ମାନ୍ୟତା ଦିଆଯିବାକୁ ଦାବି କରାଯାଇଛି। ପୂର୍ବରୁ ଦିଆଯାଇଥିବା ୧୨ଦଫା ଦାବି ମଧ୍ୟରୁ ୯ଟି ଦାବି ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଥିବାରୁ ସେ ସମ୍ପର୍କରେ ଶୀଘ୍ର ଆଲୋଚନା କରାଯାଇ ସମାଧାନର ପନ୍ଥା ବାହାର କରାଯାଉ ବୋଲି ସେ କହିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ସଂଘର ସମ୍ପାଦକ ଆର.କେ ହୀରାଲାଲ, ସହ ସମ୍ପାଦକ ଗୌର ଦାସ, ସୁବାସ ବେହେରା, କୋଷାଧ୍ୟକ୍ଷ ହୃଷୀକେଶ ମିଶ୍ର, କାର୍ଯ୍ୟକାରିଣୀ ସଭ୍ୟ ଦୟାନିଧି ଉପାଧ୍ୟାୟ ପ୍ରମୁଖ ନବୀନ ନିବାସ ଯାଇ ଯାତ୍ରା କଳାକାର ଓ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର