ଭୁବନେଶ୍ବର: ଜୀବନର ରଙ୍ଗମଞ୍ଚରେ ସରିଯାଇଛି ତାଙ୍କର ଅଭିନୟ। କି ନିଷ୍ଠୁର ସେ ନାଟ୍ୟକାର ! ଏତେ ଅନୁଭବୀ ଅଭିନେତାଟେ ପାଇଁ ପୁଣି ଏତେ କ୍ଷୁଦ୍ର ଭୂମିକାଟେ  କିପରି ରଚିଲା ସେ !! କେମିତି ତା’ର ହାତ ଗଲା ? ହେଲେ ନିୟତିର ନିଷ୍ପତ୍ତିକୁ କିଏ ବା ରୋକି ପାରିବ ? ନିଜ ଅଭିନୟର ଡୋରିରେ ସାରା ଓଡ଼ିଶାର ଦର୍ଶକପ୍ରାଣକୁ ଶ୍ରଦ୍ଧାର ରଜ୍ଜୁରେ ବାନ୍ଧିଥିବା ମଣିଷଟି ପୁଣି ଏତେ କମ୍ ବୟସରେ ଲୀଳାଖେଳା ସାରି ଚାଲିଗଲା। ସତରେ ହୃଦୟ ବିଦାରକ। ତେ‌ବେ  ମୃତ୍ୟୁ ହିଁ ଜୀବନର ଶେଷ ସତ୍ୟ। ଜୀବନ ନାଟକର ଯବନିକା ପଡ଼େ ସେଇଠି । ମଶାଣିର ମାଟି‌ରେ ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଏ, କିନ୍ତୁ ନିଜ କଲା କର୍ମମାନ ମଣିଷକୁ ଚିରକାଳ ତାର ପ୍ରିୟଜନଙ୍କ ସ୍ମୃତିରେ ଜୀବନ୍ତ କରି ରଖେ। ଆଜି ଓଲିଉଡର ବାଦଶାହ ମିହିର ଦାସ ମାତ୍ର ୬୩ ବର୍ଷ ବୟସରେ ବିଦାୟ ନେଇଛନ୍ତି ସତ, ମାତ୍ର ଓଡ଼ିଆ ସିନେ-ଶିଳ୍ପର କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଟେକନିସିଆନଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି ‌ଅତି ଆପଣାର ମିହିର ଭାଇଙ୍କୁ। ଶୁଣନ୍ତୁ କ’ଣ କହୁଛନ୍ତି ସେମାନେ...

Advertisment

ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ଓ ମିହିର ଦାସ। ମିହିରଙ୍କ ପରଲୋକ ଓଲିଉଡ ଶିଳ୍ପ ପାଇଁ ଅପୂରଣୀୟ କ୍ଷତି ବୋଲି କହନ୍ତି  ଅଭିନେତା ଉତ୍ତମ ମହାନ୍ତି । କେବଳ ସେତିକି ନୁହେଁ, ସେ କହନ୍ତି, ମିହିର ଦାସ ଜଣେ ଭଲ ମଣିଷ ଏବଂ ଭଲ କଳାକାର ଥିଲେ। ତେଣୁ ତାଙ୍କୁ ଓଲିଉଡର କଳାକାରମାନେ କେବେ ବି ଭୁଲିପାରିବେ ନାହିଁ।

ମିହିର ଦାସଙ୍କ ଭଳି ମଣିଷ ଓ କଳାକାର ବହୁତ କମ୍‌ ମିଳିଥାନ୍ତି। ତାଙ୍କୁ କେବେ ଭୁଲିହେବ ନାହିଁ ବୋଲି କହନ୍ତି ଓଲିଉଡର ବରିଷ୍ଠ ଅଭିନେତ୍ରୀ ଅନୁ‌ ଚୌଧୁରୀ। ମିହିର ଦାସ୍‌ ଜଣେ ବହୁତ ଭଲ ମଣିଷ। ନବାଗତ କଳାକାରଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ମିହିର ଭାଇ ମୋ ବ୍ୟକ୍ତି ଜୀବନକୁ ବହୁତ ସମର୍ଥନ କରୁଥିଲେ। କେବଳ ମୁଁ ନୁହେଁ, ସେ ବହୁ କଳାକାରଙ୍କୁ ମାର୍ଗଦର୍ଶନ ଦେଉଥିଲେ, ଯାହା ଆମମାନଙ୍କୁ ସଫଳତା ଆଣିଦେଇଛି।

ସେହିପରି ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ମିହିର ଦାସଙ୍କୁ ମନେ ପକାଇଛନ୍ତି। ସେ କହନ୍ତି, ମିହିର ଭାଇ ଥିଲେ ଆମର ଆଇଡିଆଲ୍। ତାଙ୍କ ସହ ବହୁ ସିନେମାରେ ଅଭିନୟ କରିଛି।  ସେ ମୋର ପ୍ରିୟ ସହ-କଳାକାର। ତାଙ୍କ ସହ କାମ କରିବାରେ ନିଆରା ଆନନ୍ଦ ମିଳେ। ସମସ୍ତଙ୍କୁ ଉତ୍ସାହ ଦିଅନ୍ତି, ସକାରାତ୍ମକ କଥା କହନ୍ତି ସେ। ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି।

ଓଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତି  ମିହିରଙ୍କ କଥା ମନେପକାଇ ଭାବପ୍ରବଣ ହୋଇଉଠନ୍ତି। ସେ କହନ୍ତି, ମିହିର ଦାସ ବୟସରେ ମୋଠାରୁ ବୟସରେ ପ୍ରାୟ ୧ ବର୍ଷ ବଡ଼ ହେବେ। କିନ୍ତୁ ଆମର ସଂପର୍କ ସାଙ୍ଗ ଭଳି ଥିଲା। ମିହିର ଭାଇଙ୍କ ଅଭିନୟ ଶୈଳୀ ଭିନ୍ନ। ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥାଏ। ମତେ ଯେବେ ବି ଦେଖନ୍ତି ଅଭିନୟକୁ ନେଇ ଚର୍ଚ୍ଚା କରନ୍ତି। ବାହାରକୁ ଗଲେ ଗୋଟିଏ କୋଠରିରେ ରହୁ। ଗପସପରେ ରାତିରାତି କଟିଯାଇଛି। ହେଲେ ଆଜି ସେ ଆଉ ନାହାନ୍ତି।