ଶ୍ରୀମନ୍ଦିର ଦ୍ୱାର ରୁପା ଛାଉଣି ପାଇଁ ଶିଳ୍ପୀ ଆସିବେ ମୁମ୍ବାଇରୁ! କଟକ ରୁପା କାରିଗରଙ୍କୁ ଅଣଦେଖା

କଟକ : ତାରକସୀ କାରିଗରୀ ପାଇଁ କଟକ ବିଶ୍ବ ପ୍ରସିଦ୍ଧ। କଟକ ଦଶହରାରେ ଶୋଭା ପାଉଥିବା ୨୬ଟି ବିଶାଳ ଚାନ୍ଦି ମେଢ଼ ଏହି ଅନନ୍ୟ କାରିଗରୀ କୌଶଳର ପ୍ରତୀକ। ବିଶ୍ବର କୌଣସି ସ୍ଥାନରେ ଏଭଳି ମେଢ଼ର ନିଆରା ପ୍ରଦର୍ଶନ ଦେଖିବାକୁ ମିଳେ ନାହିଁ। କଟକର ସୁନାରୁପା, ତାରକସୀ କାରିଗରଙ୍କ ଏହି କଳାନୈପୁଣ୍ୟ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ବି ରାଜ୍ୟରେ ଏବେ ସେମାନେ ଅବହେଳିତ। ପୁରୀ ଶ୍ରୀମନ୍ଦିର ସିଂହଦ୍ବାର ଓ ଅନ୍ୟ ଦ୍ବାରମାନଙ୍କରେ ରୁପା ଛାଉଣି କାମ ପାଇଁ କଟକ ଶିଳ୍ପୀଙ୍କୁ ଅଣଦେଖା କରି ମୁମ୍ବାଇରୁ କାରିଗରଙ୍କୁ ଆମନ୍ତ୍ରଣ କରାଯିବାର ଯୁକ୍ତି ଓ ଯଥାର୍ଥତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ରାଜ୍ୟରେ ବିଶ୍ବ ପ୍ରସିଦ୍ଧ କାରିଗର ଥାଉଥାଉ ମୁମ୍ବାଇ କାରିଗରଙ୍କୁ ଖୋଜିବା ପଛର ଉଦ୍ଦେଶ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

କଟକ ସହର କାରିଗରଙ୍କ କଳାନୈପୁଣ୍ୟର ଇତିହାସ ବି ବେଶ ନିଆରା। ୧୯୯୧ରେ ଦିଲ୍ଲୀର ପ୍ରଗତି ମୈଦାନ ପ୍ରଦର୍ଶନୀରେ ଅଲିଶାବଜାର ଚାନ୍ଦିମେଢ଼ ଶୋଭାପାଇ ପୁରସ୍କୃତ ହୋଇଥିଲା। କଟକ ଦଶହରା ମେଢ଼ରେ ୯ରୁ ଅଧିକ ସୁନା ମୁକୁଟ ଓ ସୁନାକଲିର ସୌନ୍ଦର୍ଯ୍ୟ କଟକ କାରିଗରଙ୍କ ନିଖୁଣ କଳାକୌଶଳର ପ୍ରମାଣ ଦିଏ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ କଟକ ଆସିଥିବା ସମୟରେ କଟକର ଚାନ୍ଦି କାରିଗରଙ୍କୁ ପ୍ରଶଂସା କରିଥିଲେ। ପଣ୍ଡିତ ନେହରୁଙ୍କୁ ସେତେବେଳର ଚାନ୍ଦି କାରିଗରମାନେ ପାଣିରେ ଭାସୁଥିବା ଏକ ରୁପାରେ ନିର୍ମିତ ଗୋଲାପ ଫୁଲ ଉପହାର ଦେଇଥିଲେ। ଏଥିରେ ବିଭୋର ହୋଇ ନେହରୁ ଆଉ କେତୋଟି ଫୁଲ ପାଇଁ ବଇନା ଦେଇ ଯାଇଥିଲେ। ଏ ହେଉଛି କଟକ ସହରର ସୁନା ଓ ଚାନ୍ଦି କାରିଗରଙ୍କ ଗୌରବ ଗାଥା। କଟକର ସ୍ବର୍ଣ୍ଣ‌‌‌‌ରୌପ୍ୟ ଶିଳ୍ପୀ ଭାରତର ବିଭିନ୍ନ ସହର ସମେତ ସୁଦୂର ଆମେରିକାରେ ନିଜ କାରିଗରୀ କୌଶଳ ପ୍ରଦର୍ଶନ କରି ପ୍ରଶଂସିତ ‌ହୋଇଛନ୍ତି।

ସୁନା ଓ ରୁପାର ତାରକସୀ କାର୍ଯ୍ୟ ହେଉ ଅବା ମନ୍ଦିର, ମୂର୍ତ୍ତି, ମେଢ଼, ଗହଣା ଆଦି କାର୍ଯ୍ୟରେ କଟକର ସ୍ବର୍ଣ୍ଣ ଓ‌ ରୌପ୍ୟ ଶିଳ୍ପୀମାନେ ସିଦ୍ଧହସ୍ତ। ବର୍ତ୍ତମାନ ପାଖାପାଖି ୧୦ ହଜାରରୁ ଅଧିକ କାରିଗର କଟକ ସହରରେ ଏହି କୌଳିକ ବୃତ୍ତିରେ ଅଛନ୍ତି। ସେମାନଙ୍କ ପାଖକୁ ଓଡ଼ିଶା ସମେତ ଓଡ଼ିଶା ବାହାରୁ ବିଭିନ୍ନ ସମୟରେ ଅର୍ଡର ଆସୁଛି। କିନ୍ତୁ ସେମାନଙ୍କ କାରିଗରୀକୁ ଉପଯୋଗ ନ କରି ଶ୍ରୀମନ୍ଦିରର ମୁଖ୍ୟ ଫାଟକ ସମେତ ସମସ୍ତ ଦ୍ବାରର କବାଟରେ ଚାନ୍ଦି ଛାଉଣି କାମ ପାଇଁ ମୁମ୍ବାଇ କାରିଗରଙ୍କୁ ନିମନ୍ତ୍ରଣ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ପ୍ରତି କାହିଁକି ଅଣଦେଖା କରୁଛି ବୋଲି ପ୍ରଶ୍ନ କରିଛନ୍ତି ଉତ୍କଳ ସ୍ବର୍ଣ୍ଣ‌ ‌ରୌପ୍ୟ ଶିଳ୍ପୀ ସଂଘ। ଏପରିକି ଏହି ଶିଳ୍ପୀମାନଙ୍କ ସହିତ ଏ ସଂକ୍ରାନ୍ତରେ ପରାମର୍ଶ ବି କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ସଂଘର ସାଧାରଣ ସଂପାଦକ ଅଶ୍ବିନୀ ମହାରଣା କହିଛନ୍ତି ଯେ, ଆମ ଓଡ଼ିଶାର କାରିଗର ବିଶେଷ କରି କଟକର ସ୍ବର୍ଣ୍ଣ ଓ ‌ରୌପ୍ୟ କାରିଗରମାନଙ୍କୁ ସୁଯୋଗ ‌ନ ଦେବା ଦୁଃଖର ବିଷୟ। ତାରକସୀ କାର୍ଯ୍ୟ ପାଇଁ କଟକ କାରିଗରମାନେ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଓଡ଼ିଶା ମଧ୍ୟରେ ସେମାନଙ୍କୁ ଅଣଦେଖା କରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ମହାରଣା କ୍ଷୋଭ ପ୍ରକାଶ କରି କହିଛନ୍ତି।

ସମ୍ବନ୍ଧିତ ଖବର