ଧର୍ମଶାଳା: ଯାଜପୁର ଜିଲ୍ଲା ଲଘୁ ଖଣିଜ ବିଭାଗ ପକ୍ଷରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରେ ଥିବା କଳାପଥର ଖାଦାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଗତକାଲି ସ୍ଥାନୀୟ ଗ୍ରାମବାସୀ ଅଟକ ରଖିଥିବା ୭ ପୋକଲିନ୍ ମେସିନ୍, ୬ କଂପ୍ରେସର, ୨ଟି କଳାପଥର ବୋଝେଇ ହାଇୱା ଓ ବିସ୍ଫୋରକ ସାମଗ୍ରୀ ବୋଝେଇ ଏକ କ୍ୟାମ୍ପର ଗାଡ଼ିକୁ ଖଣି ବିଭାଗ ଅଧକାରୀ ଧର୍ମଶାଳା ଥାନା ପୁଲିସ ସହାୟତାରେ ଜବତ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମାଫିଆ ଗୋଷ୍ଠୀ ଓ ଅଂଚଳବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। 

Advertisment

ବହୁବର୍ଷ ହେଲା ଆରୁହା ପାହାଡ଼ରୁ କଳାପଥର ଲୁଟ୍ ହୋଇ ଆସୁଥିଲା। ସରକାର ବଦଳିବା ସତ୍ତ୍ବେ ଲୁଟ୍ କମିବା ବଦଳରେ ଅଧିକ ହେଉଥିଲା। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ଗତ ସୋମବାର ଅପରାହ୍ଣରେ ପାହାଡ଼ରେ ଖନନ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ, ବିଭିନ୍ନ ମେସିନ୍, ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ପୁଲିସ ପହଞ୍ଚି ମେସିନ୍ ଓ ଗାଡ଼ିଗୁଡ଼ିକୁ ନିଜ ହେପାଜତକୁ ନେଇଥିଲା। ଆଜି ପୂର୍ବାହ୍ଣରେ ଜିଲ୍ଲା ଖଣି ଅଧିକାରୀ ଯଶକେତନ ସେଠୀ ଆରୁହା ପାହାଡ଼ରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ବାରା ଅଟକ ଥିବା ମେସିନ୍, ଗାଡ଼ି ଓ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ିକୁ ଜବତ କରି ପୁଲିସ୍‌ ଜିମା ଦେଇଥିଲେ। 

୧୫୩ ଏକର ବିଶିଷ୍ଟ ଆରୁହା ପାହାଡ଼ରେ ୬ଟି ସଇରାତ୍ ରହିଛି। ପୂର୍ବ ସରକାର ସମୟରେ ଏସବୁ ଖାଦାନରୁ ବେଆଇନ ଖନନ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏପରିକି ପରିବେଶ ମଞ୍ଜୁରି ନଥାଇ ଏବଂ ଚୁକ୍ତି ଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିଥିବା ଅଭିଯୋଗରେ ଲଘୁ ଖଣିଜ ବିଭାଗ ପକ୍ଷରୁ ଲିଜ୍‌ଧାରୀଙ୍କ ଉପରେ ଜରିମାନା କରାଯାଇ ଖାଦାନ ନଚଳାଇବାକୁ ନିର୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ପୂର୍ବ ଲିଜ୍‌ଧାରୀମାନେ ବିପୁଳ ପରିମାଣର କଳାପଥର ଲୁଟି ଚାଲିଥିଲେ। ବ୍ଲାଷ୍ଟିଂ ସମୟରେ ସ୍ଥାନୀୟ ଅଂଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି ହେବା ସହ ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ବ୍ଲାଷ୍ଟିଂରେ ବ୍ୟବହୃତ ରାସାୟନିକ ପଦାର୍ଥ ଦ୍ବାରା ଭୂତଳ ଜଳ ପ୍ରଦ୍ୟୁଷିତ ହେଉଛି। ଏହି ଜଳ ବ୍ୟବହାର କରି ଲୋକେ କିଡ୍‌ନିଜନିତ ରୋଗର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅତୀତରେ କଳାପଥର ଉତ୍ତୋଳନ ସମୟରେ ଅଘଟଣ ଘଟି ୬ଜଣରୁ ଅଧିକ ଶ୍ରମିକ ଓ ଖାଦାନ ମାଲିକଙ୍କ ପ୍ରାଣହାନି ଘଟିଛି। ବେଆଇନ ଭାବରେ ପଥର ଖାଦାନ ଚାଲୁଥିବାରୁ ମୃତ ଶ୍ରମିକ ପରିବାର କ୍ଷତିପୂରଣ ପାଉନାହାନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଏହି ପାହାଡ଼ରେ ଚଢ଼ଉ କରାଯାଇ ଅନେକ ମେସିନ୍ ଓ କଳାପଥର ପରିବହନ କରୁଥିବା ଗାଡ଼ି ଜବତ କରାଯାଇଛି। ପରେ ଜରିମାନା ବାବଦକୁ କିଛି ଟଙ୍କା ଆଦାୟ କରାଯାଇ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଏ। ଫଳରେ ଦିନ କେଇଟା ପରେ ପୁଣି ପୂର୍ବପରି ଚୋରା ଚାଲାଣ ଆରମ୍ଭ ହୋଇଯାଉଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ନଜରରେ ରଖି ଲଘୁଖଣି ବିଭାଗ ପକ୍ଷରୁ ଖାଦାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଥିବା ସୂଚନା ଦିଆଯାଇଛି।