କରୋନା ଯୁଦ୍ଧରେ ପରଦା ପଛର ଯୋଦ୍ଧା : ଟ୍ୱିଟରରେ ସାହାଯ୍ୟ ମାଗିଲେ ଜଣେ ମା’, ସହାୟତାର ହାତ ବଢାଇଲେ ଆଇପିଏସ ଅରୁଣ ବୋଥ୍ରା

ଲକଡାଉନ ବେଳେ କୁନି ଶିଶୁ ପାଇଁ ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିଲା ୨୦ ଲିଟର ଓଟ କ୍ଷୀର

ଭୁବନେଶ୍ୱର : ଅରୁଣ ବୋଥ୍ରା । ଓଡି଼ଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ । ସେସୁର ମୁଖ୍ୟ ପରିଚାଳନା ଅଧିକାରୀ । ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ । ଓଡିଶାରେ କାର୍ଯ୍ୟରତ ରାଜସ୍ଥାନ ଜୟପୁର କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କାରଣ କରୋନା ଯୁଦ୍ଧର ସେ ଏକ ପ୍ରମୁଖ ଯୋଦ୍ଧା ଭାବରେ ସାମ୍ନାକୁ ଆସିଛନ୍ତି । କେମିତି? ଜାଣିବା ପାଇଁ ପୁରା କାହାଣୀ ଉପରେ ନଜର ପକାନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି ମୁମ୍ବାଇ ଚେମ୍ବୁରେ ରହୁଥିବା ଜଣେ ମହିଳା ନେହା କୁମାରୀ, ଲେଖିଲେ – ତାଙ୍କ ସାଢେ ୩ ବର୍ଷର ଶିଶୁ ଅଟିଜିମ୍ ଏବଂ ଫୁଡ ଆଲର୍ଜି ରୋଗରେ ଆକ୍ରାନ୍ତ । ତେଣୁ ତାଙ୍କୁ କେବଳ ଡାଲି ଜାତୀୟ ଶସ୍ୟ ଏବଂ ଓଟ ଖୀର ହିଁ ଖାଦ୍ୟ ଭାବେ ଦିଆଯାଉଛି । ସାରା ଦେଶରେ ଲକଡାଉନ ଘୋଷଣା ହେଲାବେଳକୁ ତାଙ୍କ ପାଖରେ ଶିଶୁଟିକୁ ଦେବା ପାଇଁ ପର୍ଯ୍ୟାପ୍ତ ଓଟ ଖୀର ନଥିଲା । ତେଣୁ ରାଜସ୍ଥାନ ସଦ୍ରିରେ ଉପଲବ୍ଧ ହେଉଥିବା ଓଟ ଖୀର କିମ୍ବା ଏହାର ପାଉଡର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ମହିଳା ।

ତାଲାବନ୍ଦର କଷ୍ଟକର ସମୟରେ ଜଣେ ମା’ର ଏହି ଆକୁଳ ନିବେଦନ ଟ୍ୱିଟରରେ ଦେଖିବା ପରେ ତତ୍ପରତା ପ୍ରକାଶ କରିଥିଲେ ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା । ବୋଥ୍ରା ଟ୍ୱିଟ କରି ଲେଖିଲେ- ଆପଣଙ୍କ ଯୋଗାଯୋଗର ସଂପୂର୍ଣ୍ଣ ଠିକଣା ଦିଅନ୍ତୁ । ଆପଣଙ୍କ ଶିଶୁ ପାଇଁ ଯାହା କିଛି ସମ୍ଭବ ହେବ ସେ କରିବେ।

ଓଡିଶାରେ କାର୍ଯ୍ୟରତ ଜୟପୁର କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ଟ୍ୱିଟ ଉପରେ ନଜର ପଡିବା ପରେ, ଅସୁବିଧାରେ ପଡିଥିବା ସେହି ମା’ର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କଲେ ଉତର-ପଶ୍ଚିମାଂଚଳ ରେଳବାଇରେ କାର୍ଯ୍ୟରତ ଚିଫ ପାସେଂଜର ଟ୍ରାଫିକ ମ୍ୟାନେଜର ତରୁଣ ଜୈନ। ରାଜସ୍ଥାନ ଆଜମେରରେ ଥିବା ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହେଲା। ଆଉ ନିଷ୍ପତି ହେଲା- ଲୁଧିଆନାରୁ ବାନ୍ଦ୍ରା ମଧ୍ୟରେ ଚଳାଚଳ କରୁଥିବା ମାଲବାହୀ ଟ୍ରେନକୁ ରାଜସ୍ଥାନ ଫାଲନା ଷ୍ଟେସନରେ ଅଟକାଇ ଓଟ ଖୀର ପରିବହନ କରାଯିବ। ଉଚ୍ଚ କର୍ତୃପକ୍ଷଙ୍କ ଅନୁମତି ନେଇ ଟ୍ରେନରେ ଓଟ ଖୀର ଆଣି ବାନ୍ଦ୍ରାରେ ପହଂଚାଇବାରେ ପ୍ରମୁଖ ଭୂମିକା ନିଭାଇଥିଲା ଭାରତୀୟ ରେଳବାଇ।

ମୁମ୍ବାଇରେ ରହୁଥିବା ନେହା କୁମାରୀଙ୍କ ପାଖରେ ୧୦ ତାରିଖ ରାତିରେ ରାଜସ୍ଥାନରୁ ୨୦ ଲିଟର ଓଟ ଖୀର ପହଂଚି ପାରିଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଆଇପିଏସ ଅଫିସର ଅରୁଣ ବୋଥ୍ରା । ଏଥିପାଇଁ ସେ ରେଳବାଇ ଅଧିକାରୀ ତରୁଣ ଜୈନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ତାଲାବନ୍ଦର କଷ୍ଟକର ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥିବା ତରୁଣ ଜୈନଙ୍କ ପରି ଅରୁଣ ବୋଥ୍ରାଙ୍କ ଅବଦାନକୁ ମଧ୍ୟ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ସମ୍ବନ୍ଧିତ ଖବର