ପୁଣି ବିବାଦରେ ସୋନା ମହାପାତ୍ର : ଟୁଇଟର୍‌ରେ ଆଇଜି ଅରୁଣ ବୋଥ୍ରାଙ୍କ ଜବାବ

କଟକ : ‘ଆହେ ନୀଳ ଶୈଳ…’ ଗୀତକୁ କଦର୍ଯ୍ୟ ଢଂଗରେ ଗାଇଥିବା ସୋନା ମହାପାତ୍ର ନିକଟରେ କରିଥିବା ଏକ ଟୁଇଟ୍‌ ପୁଣି ବିବାଦ ସୃଷ୍ଟି କରିଛି । ତାଙ୍କ ଟୁଇଟ୍‌ ଉପରେ ଜବାବ ରଖି ସମାଲୋଚନା କରିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା।

ସୋନା ମହାପାତ୍ର ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ମୁଁ ଆଜି ଓଡ଼ିଶାର ନକାରାତ୍ମକ ଭାବନାକୁ ପଛରେ ଛାଡ଼ି ପ୍ୟାରିସ୍‌ ଯାଉଛି। ସେଥିପାଇଁ ମୁଁ ଉତ୍ସାହିତ। ସେଠି ମୁଁ ଲୋକମାନଙ୍କୁ ଭେଟିବି । ଭାରତକୁ ପ୍ରତିନିଧିତ୍ୱ କରିବି । ମୁଁ ପଛରେ ଛାଡ଼ି ଯାଉଛି ମୋ ରାଜ୍ୟ ଓଡ଼ିଶାର ସବୁ ନକାରାତ୍ମକ ଭାବନା । ସେଠାରେ ମୋ ଦେଶର ଏକ ବ୍ୟାପକ ଦୃଷ୍ଟି ଭଙ୍ଗୀ ରଖିବି ।’ ଜୁନ୍‌ ୧୮ ତାରିଖରେ ସୋନା କରିଥିବା ଏ ପ୍ରକାର ଟୁଇଟ୍‌ର ଜବାବ ରଖିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ଶ୍ରୀ ବୋଥ୍ରା ଟୁଇଟ୍‌ରେ ଲେଖିଛନ୍ତି, ‘ଏହା ଅତି ପିଲାଳିଆମି। କିଛି ଲୋକ ତୁମ ଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି କ’ଣ ସାରା ଓଡ଼ିଶା ନକାରାତ୍ମକ ହେଇଯିବ? ମୁଁ ଜଣେ ଅଣ ଓଡ଼ିଆ ହେଇ ଏଠି ପ୍ରଚୁର ଭଲ ପାଇବା ଓ ସ୍ନେହ ପାଇଛି। କିନ୍ତୁ ଜଣେ ଓଡ଼ିଆ ହେଇ ତୁମେ ସାମାନ୍ୟ ସମାଲୋଚନାକୁ ନେଇ ସମସ୍ତଙ୍କୁ ନକାରାତ୍ମକ ସଜେଇ ଦେଉଛ? ଆମେ ଯେଉଁମାନେ ତୁମକୁ ସମର୍ଥନ କରିଥିଲୁ, ସେମାନଙ୍କ କଥା ଥରେ ଚିନ୍ତା କର।’ କ୍ରାଇମବ୍ରାଞ୍ଚ ଆଇଜିଙ୍କ ଏଭଳି ଟୁଇଟ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର