ସମ୍ପତ୍ତି ତାଲିକା ପ୍ରସଙ୍ଗରେ ବିଜେଡି ନେତା ଅରୁଣ ଦେଙ୍କ ପ୍ରେସମିଟ୍‌: ପଦକ୍ଷେପ ସ୍ବାଗତଯୋଗ୍ୟ, କିନ୍ତୁ ସନ୍ଦେହ ଓ ଦ୍ବନ୍ଦ୍ବ ରହିଛି

ବାଲେଶ୍ବର: ପ୍ରତିବର୍ଷ ନେତା ଓ ସରକାରୀ ବାବୁମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବା ନେଇ ରାଜ୍ୟ ସରକାରଙ୍କ ନି‌ଷ୍ପତ୍ତିକୁ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେ ସ୍ବାଗତ କରିଛନ୍ତି। ମାତ୍ର ଏହାର କାର୍ଯ୍ୟକାରିତା ଏବଂ ଉଦ୍ଦେଶ୍ୟ ପୂରଣ ହେବା ନେଇ ତାଙ୍କ ମନରେ ସନ୍ଦେହ ଏବଂ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀ ଦେଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି।

ଏନେଇ ବୁଧବାର ସକାଳେ ଶ୍ରୀ ଦେ ବାଲେଶ୍ବର ସହର ମଲ୍ଲିକାଶପୁରଠାରେ ଥିବା ତାଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ ଡକାଇ କହିଥିଲେ, ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଏବଂ ଐତିହାସିକ। ପୂର୍ବରୁ ଏଭଳି ନିଷ୍ପତ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ମଧ୍ୟ ହୋଇଥିଲା। ଏବେ ଏହି ନିୟମକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଫଳରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ ତୃଣମୂଳସ୍ତରରୁ ବିଧାୟକ, ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କର ସମ୍ପତ୍ତି ତାଲିକା ସରକାରଙ୍କୁ ପ୍ରଦାନ କରିବେ। ତେବେ ଏଥିରେ ବିବିଧତା ରହିଥିବା ବେଳେ କିନ୍ତୁ ଦଣ୍ଡ ବିଧାନ କରାଯାଇନାହିଁ। ତେଣୁ ଏହା କେବେବି ଲକ୍ଷ୍ୟ ହାସଲ କରିପାରିବ ନାହିଁ। ଦୁର୍ନୀତିର ଚେର ଏତେ ଭିତରକୁ ଲମ୍ବିଛି ଯେ, ଏଥିରେ ନା ସରକାରୀସ୍ତରରେ ନା ନେତାଙ୍କସ୍ତରରେ ଆଦୌ ଦୁର୍ନୀତି ଲୋପ ପାଇପାରିବ ନାହିଁ। ଏହାଛଡ଼ା କାହାରି ମଧ୍ୟରେ ସାମାନ୍ୟତମ ଭୟ ମଧ୍ୟ ସଞ୍ଚାର କରିପାରିବ ନାହିଁ। ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଦର୍ଶାଉଥିବା ସଂପତ୍ତି ତାଲିକାଠାରୁ ଅନେକ ଗୁଣାରେ ସେମାନଙ୍କର ବେନାମୀ ସମ୍ପତ୍ତି ରହିଛି। ଯାହାର ହିସାବ କାହାରି ପାଖରେ ନାହିଁ। ସେମାନେ ପ୍ରଥମେ ସରକାରଙ୍କ ଏହି ନିଷ୍ପତ୍ତିକୁ ମାନିବେ ନାହିଁ। ରାଜ୍ୟରେ କେବଳ ଜଣେ ପାଠକ୍‌ ନୁହେଁ, ବାଲେଶ୍ବରଠାରୁ ଆରମ୍ଭ କରି ସାରା ରାଜ୍ୟରେ ଅନେକ ପାଠକ୍‌ ରହିଛନ୍ତି ଯେଉଁମାନଙ୍କୁ ଧରିବା ପାଇଁ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଆହୁରି ସକ୍ରିୟ କରିବାର ଆବଶ୍ୟକତା ରହିଛି। ଯଦି ଏହା କରା ନଯାଏ ତେବେ ସରକାରଙ୍କ ଏହି ବିଲ କେବେବି ଉଦ୍ଦେଶ୍ୟ ସାଧିତ କରିପାରିବ ନାହିଁ ବୋଲି ଶ୍ରୀ ଦେ କହିଥିଲେ।

ଏହାଛଡା କେନ୍ଦ୍ର ସରକାର ମଧ୍ୟ ଏହି ନିୟମକୁ ପାଳନ କରିବାର ଅାବଶ୍ୟକତା ରହିଥିବା ସେ କହିଥିଲେ। ପୂର୍ବରୁ ୨୦୧୪ରେ ମୋଦୀ ସ୍ବଚ୍ଛତା ଦର୍ଶାଇ ନିଜେ ଖାଇବେ ନାହିଁ କିମ୍ବା କାହାରିକୁ ଖାଇବାକୁ ଦେବେ ନାହିଁ ନୀତିରେ ଚାଲିଥିଲେ। ହେଲେ ଏବେ ସେ ନିଜେ ଖାଉଛନ୍ତି ଏବଂ ଅନ୍ୟକୁ ଖାଇବାକୁ ସୁଯୋଗ ଦେଉଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ନେତା ଓ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିବା ନେଇ ନିଷ୍ପତି ନେବାର କୌଣସି ଅାବଶ୍ୟତା ମଣୁନାହାନ୍ତି ଶ୍ରୀ ଦେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରଞ୍ଜନ ବାଗ, ଶାନ୍ତନୁ ଦାସ, ବିଷ୍ଣୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର