ପଞ୍ଚଭୂତରେ ବିଲୀନ ହେଲା ଅରୁଣ ଦେ’ଙ୍କ ପାର୍ଥିବ ଶରୀର, ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ପ୍ରିୟ ଦାଦା’ଙ୍କ ଶେଷ ଦର୍ଶନରୁ ବଞ୍ଚିତ ହେଲେ ବାଲେଶ୍ବରବାସୀ

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ୫ଥରର ବିଧାୟକ ସ୍ବର୍ଗତ ଅରୁଣ ଦେ’ଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଛି। କୋଭିଡ୍ କଟକଣା ଯୋଗୁଁ ସ୍ବର୍ଗତ ଦେ’ଙ୍କ ମରଶରୀରକୁ ଜନ୍ମମାଟି ବାଲେଶ୍ବର ନିଆ ନ ଯାଇ ଭୁବନେଶ୍ବରସ୍ଥିତ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେଣୁ ବାଲେଶ୍ବରବାସୀ ସେମାନଙ୍କ ପ୍ରିୟ ନେତା ‘ଦାଦା’ଙ୍କୁ ଶେଷ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଆଜି ଅପରାହ୍‌ଣରେ ପୁଲିସ ଓ ତାଙ୍କ ପରିବାର ସଦସ୍ୟ ଏବଂ କିଛି ସମର୍ଥକଙ୍କ ଗହଣରେ ତାଙ୍କ ମରଶରୀର ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲା। ଏଠାରେ ଉପସ୍ଥିତ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ବର ବିଧାୟକ ସ୍ବରୂପ ଦାସ, ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ମରଶରୀର ନିକଟରେ ନିରବ ପ୍ରାର୍ଥନା କରାଯାଇଥିଲା।

ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦଳୀୟ ନେତା

ସେହିଭଳି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସ୍ବର୍ଗତ ଦେ’ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭାର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂହ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସମୀର ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଜେଡି ସାଧାରଣ ସଂପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଣବ ବଳବନ୍ତରାୟ, ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦେ’ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ନିରବ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର