‘ସାଧାରଣ ଲୋକଙ୍କ ସ୍ବର ଥିଲେ ଅରୁଣ ଦେ’: ପ୍ରଥମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତୃବୃନ୍ଦ

ବାଲେଶ୍ବର: ଅରୁଣ ଦେ ଥିଲେ ସାଧାରଣ ଲୋକଙ୍କ ସ୍ବର। ଓଡ଼ିଶା ରାଜନୀତିରେ ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ନେତା। ବିଧାନସଭା ହେଉ କି ସାଧାରଣ ସଭା, ତାଙ୍କ ଶାଣିତ ଓ ବଳିଷ୍ଠ ତର୍କ ଆଗରେ ସମସ୍ତେ ନିଷ୍ପ୍ରଭ, ଫିକା ପଡ଼ିଯାଉଥିଲେ। ରାଜନୀତିର ଏହି ଅଜାତଶତ୍ରୁଙ୍କୁ ଶାସକ, ବିରୋଧୀଙ୍କଠୁ ଆରମ୍ଭ କରି ସାଧାରଣ ଜନତା, ଖଟିଖିଆ ସଭଏଁ ହୃଦୟରୁ ଭଲ ପାଉଥିଲେ। ବର୍ତ୍ତମାନ ରାଜନୀତିରେ ଅରୁଣ ଦେଙ୍କ ଭଳି ଜଣେ ରାଜନେତା ପାଇବା କଷ୍ଟ। ଏବର ନେତା କେବଳ ସଂପତ୍ତି ବୃଦ୍ଧି କରିବାରେ ବ୍ୟସ୍ତ। ଦାଦାଙ୍କ ପରି ୫ରୁ ୬ ଜଣ ନେତା ଯଦି ରାଜନୀତିରେ ରହିବେ, ତେବେ ଓଡ଼ିଶା ରାଜନୀତିର ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ ବୋଲି ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ଦେଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଆଜି ସକାଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଶକ୍ତି ଓ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପ୍ରମୁଖ ସ୍ବର୍ଗୀୟ ଅରୁଣ ଦେଙ୍କ ମଲ୍ଲିକାଶପୁରସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସିଦ୍ଧି କଲ୍ୟାଣମଣ୍ଡପରେ ଆୟୋଜିତ ସ୍ମୃତିସଭାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ‌ଦାଶ କହିଥିଲେ, ‘ ଛାତ୍ର ଜୀବନରେ ମୁଁ ଅରୁଣ ଦାଦାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସକ୍ରିୟ ରାଜନୀତିକୁ ଆସିଥିଲି। ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ଦାଦା ସବୁବେଳେ ମାର୍ଗଦର୍ଶନ ଦେଖାଉଥିଲେ।’ ସଂସ୍କୃତି ମନ୍ତ୍ରୀ ତଥା ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର ତାଙ୍କ ବକ୍ତବ୍ୟରେ ଅରୁଣ ଦେଙ୍କୁ ଓଡ଼ିଶା ରାଜନୀତିରେ ଜଣେ ମହାନ ବିପ୍ଳବୀ ନେତା ଭାବେ ଚିତ୍ରଣ କରିଥିଲେ। ମନ୍ତ୍ରୀ ଶ୍ରୀ ଦେବ କହିଥି‌ଲେ, ‘ଦାଦାଙ୍କ ପରଲୋକ ଆମ ପାଇଁ ଅପୂରଣୀୟ କ୍ଷତି। ବାଲେଶ୍ବର ରାଜନୀତି, ଉତ୍ତରଓଡ଼ିଶା ରାଜନୀତି ତଥା ଓଡ଼ିଶା ରାଜନୀତିରେ ତାଙ୍କର ଭୂମିକା ସଦାସର୍ବଦା ସ୍ମରଣୀୟ ହୋଇରହିବ।’ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ, ‘ ରାଜନୀତିରେ ଦୀର୍ଘ ୪୦ ବର୍ଷ ଧରି ଆମେ ଏକାଠି କାମ କରିଥିଲୁ। ବାଲେଶ୍ବରର ମାଟି, ପାଣି, ପବନ ସହ ତାଙ୍କର ନିବିଡ଼ତା ଥିଲା।’ ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ, ‘ ଅରୁଣ ଦେଙ୍କ ସହିତ ଜୀବନରୁ ଶେ‌ଷ ପର୍ଯ୍ୟନ୍ତ ବନ୍ଧୁତା ଥିଲା। ଛାତ୍ର ରାଜନୀତିରୁ ତାଙ୍କ ସହିତ ମୁଁ ନିକଟତର ହୋଇଥିଲି। ଓଡ଼ିଶା ରାଜନୀତି ହେଉ କି ଜାତୀୟ ରାଜନୀତି, ସାଧାରଣ ଲୋକଙ୍କ ସ୍ବାର୍ଥଜଡ଼ିତ ପ୍ରସଙ୍ଗରେ ସେ ଆଗକୁ ବାହାରୁଥିଲେ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଶ୍ରମିକ ଆନ୍ଦୋଳନ, ବାଲିଆପାଳ ସାମରିକ ଘାଟି ଆନ୍ଦୋଳନ, ଛାତ୍ର ରାଜନୀତି ସମ୍ପର୍କରେ ମନେ ପକାଇ ଦାଦାଙ୍କ ସ୍ମୃତିଚାରଣ କରିଥିଲେ। ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ମଧ୍ୟ ଅରୁଣ ଦେଙ୍କ ଦୁଃସାହସିକ ପଦକ୍ଷେପ, ନିଷ୍ପତ୍ତି, ଗଠନମୂଳକ ଚିନ୍ତାଧାରା ତଥା ସରକାର ବିରୋଧୀ ସମାଲୋଚକ ଭାବେ ମନେ ପକାଇ ତାଙ୍କର ପୁଞ୍ଜିପତି ବିରୋଧୀ ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଅରୁଣ ଦେ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବସ୍ତା ବିଧାୟକ ନିତ୍ୟାନନ୍ଦ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ସମାଜସେବୀ ସୁବାସିନୀ ଜେନା, ମା ଘର ସଂପାଦିକା ଋତୁପର୍ଣ୍ଣା ମହାପାତ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଯୋଗ ଦେଇଥିଲେ। ଅରୁଣ ଦେଙ୍କ ଭଉଣୀ ବାସନ୍ତୀ ଦେ ଚକ୍ରବର୍ତ୍ତୀ ସ୍ବାଗତ ଭାଷଣ ଦେବା ସହିତ ବାଲେଶ୍ୱରରେ ବନ୍ଦ ହୋଇଯାଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର କରିବାକୁ ଉପସ୍ଥିତ ମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସ୍ମୃତି ଶ୍ରଦ୍ଧାଞ୍ଜଳି ଗ୍ରନ୍ଥ ‘ଅନନ୍ୟ ଅରୁଣ’ର ଲୋକାର୍ପଣ କରାଯିବା ସହ ଅରୁଣ ଦାଦାଙ୍କ ନାମରେ ଏକ ୱେବ୍‌ସାଇଟ୍‌କୁ ଲୋକର୍ପଣ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଅରୁଣ ଦେ ସ୍ମୃତି ପରିଷଦର ମୁଖ୍ୟ ଉପଦେଷ୍ଟା ରଞ୍ଜନ କୁମାର ବାଗ, କବି ଶ୍ରୀଦେବ ଓ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ମିଳିତ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ରିଟ୍‌ ଅଧ୍ୟକ୍ଷ ଗୌରୀ ରାଉତ, ନୃତ୍ୟ ସଙ୍ଗୀତ କଳାମନ୍ଦିରର ଶରତ ଚନ୍ଦ୍ର ଦାସ, ଆଇନଜୀବୀ ଶରତ ମହାପାତ୍ର, ଜିଲ୍ଲା ପରିଷଦର ପୂର୍ବତନ ସଭାପତି ଗିରୀଶ ଚନ୍ଦ୍ର ଦାସ, ଟିୟୁସିସିର ଗୌରାଙ୍ଗ ପାଣିଗ୍ରାହୀ, ବାଲେଶ୍ବର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର