ବୟନଶିଳ୍ପ ବିଶେଷଜ୍ଞ ଅରୁଣ ଦ୍ବିବେଦୀଙ୍କ ପରଲୋକ

ଭୁବନେଶ୍ବର : ଜଣାଶୁଣା ବୟନଶିଳ୍ପ ବିଶେଷଜ୍ଞ ଅରୁଣ ପ୍ରସନ୍ନ ଦ୍ବିବେଦୀଙ୍କର ମଙ୍ଗଳବାର ରାତି ୧୦ଟା ୪୦ରେ ଭୁବନେଶ୍ବସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଘରେ ରହି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ସହଧର୍ମିଣୀ ଆରତିଙ୍କ ସମେତ ପୁଅ ତଥା ‘ସମ୍ବାଦ’ର ଆସିଷ୍ଟାଣ୍ଟ ମ୍ୟାନେଜର(ଇନ୍‌ଫ୍ରାଷ୍ଟ୍ରକଚର) ରାଜା ଦ୍ବିବେଦୀ ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୁଧବାର ମଧ୍ୟାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଶ୍ରୀ ଦ୍ବ‌ିବେଦୀ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଟେକ୍ସଟାଇଲ୍‌ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଲାଭ ସହ ଅହମ୍ମଦାବାଦସ୍ଥିତ ଆଇଆଇଏମ୍‌ରୁ ମ୍ୟାନେଜ୍‌ମେଣ୍ଟ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ବୟନଶିଳ୍ପ ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବିରେ ରହି ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। ଢେଙ୍କାନାଳ କଳିଙ୍ଗ ସୂତାକଳର ପରିଚାଳନା ନିର୍ଦେଶକ ରହିବା ସହ ଓଡ଼ିଶା ରାଜ୍ୟ ହ୍ୟାଣ୍ଡଲୁମ୍‌ର ପରିଚଳନା ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଓଡ଼ିଶା ଓ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରି ବୟନଶିଳ୍ପ ଓ ହସ୍ତତନ୍ତର ବିକାଶରେ ନିଜକୁ ସାମିଲ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର