ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନେଦରଲ୍ୟାଣ୍ଡ୍ସରେ ସେ ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତିରେ ବିଜୁ ବାବୁଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ କିମ୍ବା ତାଙ୍କ ପୁଅ ଅରୁଣଙ୍କର ଓଡ଼ିଶା ସହ କିଛି ସମ୍ପର୍କ ନଥିବାରୁ ଓଡ଼ିଶାବାସୀଙ୍କ ପାଇଁ ଏହି ବିବାହ ସେତେଟା ଗୁରୁତ୍ବ ରଖୁନି। କିନ୍ତୁ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଓ ତାହା ପରବର୍ତ୍ତୀ କିଛି ଘଟଣାକ୍ରମ ଏହି ବିବାହକୁ ଆଲୋଚନା ପରିସରକୁ ଆଣିଛି। କାରଣ ଯେଉଁ ସମୟରେ ଅରୁଣ ବାହାଘର ପାଇଁ ବିଦେଶରେ ଥିଲେ ସେହି ସମୟରେ ସେ ଓଡ଼ିଶା ଆସିବା ନେଇ ଏକ ଗୁଜବ ଖେଳିଥିଲା। ଏମିତି ଗୁଜବ କିଏ କାହିଁକି ରଚିଥିଲା, ତାହା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୯ ତାରିଖରେ ଅରୁଣଙ୍କ ବାହାଘର ହୋଇଛି। ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ବିବାହ ଫଟୋଗୁଡ଼ିକୁ ସୋସିଆଲ୍ ମିଡିଆରେ ପୋଷ୍ଟ କଲା ପରେ ଏ ସମ୍ପର୍କରେ ଜଣାପଡ଼ିଛି। ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। କିନ୍ତୁ ଜୁନ୍ ୭ ତାରିଖ ରାତିରେ ଅରୁଣ ଭୁବନେଶ୍ବର ଆସିଥିବା ନେଇ ଜୋର୍ଦାର ଚର୍ଚ୍ଚା ହୋଇଥିଲା। ବାସ୍ତବରେ ତାଙ୍କୁ ନା କିଏ ବିମାନବନ୍ଦରରେ ଦେଖିଥିଲେ ନା ନବୀନ ନିବାସରେ। ଅରୁଣଙ୍କ ଆସିବା ନେଇ ଏକ ଯୋଜନାବଦ୍ଧ ଗୁଜବ ରଚାଯାଇଥିଲା ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଜୁନ୍ ୪ ତାରିଖରେ ବିଜେଡିର ପରାଜୟ ପରେ ଦଳ ଭିତରେ ଜୋର୍ଦାର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏଥିପାଇଁ ସମସ୍ତେ ଭି କେ ପାଣ୍ଡିଆନ୍ଙ୍କୁ ଦାୟୀ କରୁଥିବା ବେଳେ ସେ ୫ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ୭ ତାରିଖରେ ବିଜେଡିର ଯୁବ-ଛାତ୍ର ନେତାମାନେ ଶଙ୍ଖ ଭବନ ଯାଇ ପାଣ୍ଡିଆନ୍ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅସନ୍ତୋଷ ଓଗାଳିଥିଲେ। ପାଣ୍ଡିଆନ୍ କିମ୍ବା ତାଙ୍କ ସହଯୋଗୀ ନେତା, ମୁଖପାତ୍ରଙ୍କୁ ଶଙ୍ଖ ଭବନ ପୂରାଇ ଦିଆଯିବ ନାହିଁ ବୋଲି ଜଣାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷ ଆହୁରି ତେଜିଥିଲା। ସେହି ୭ ତାରିଖ ରାତିରେ ପାଣ୍ଡିଆନ୍ ଦିଲ୍ଲୀରୁ ଫେରିଥିଲେ। ବିମାନବନ୍ଦରରେ ତାଙ୍କୁ ପ୍ରଣବ ଅପେକ୍ଷା କରିଥିଲେ। ଉଭୟ ସେଠାରୁ ସିଧାସଳଖ ନବୀନ ନିବାସ ଆସିଥିଲେ। କିନ୍ତୁ ରାତିରେ ହଠାତ ପ୍ରଚାର ହେଲା ଯେ ଅରୁଣ ପଟ୍ଟନାୟକଙ୍କୁ ସାଙ୍ଗରେ ନେଇ ପାଣ୍ଡିଆନ୍ ଆସିଛନ୍ତି। ଅରୁଣ ୨/୩ ଦିନ ନବୀନ ନିବାସରେ ରହିବେ ବୋଲି ଚର୍ଚ୍ଚା ହେଲା।
ଏହା ବିଜୁଳି ବେଗରେ ପ୍ରଚାର ହେଲା ପରେ ବିଜେଡି ନେତା ଓ କର୍ମୀମାନେ ଭାବିନେଲେ ଅରୁଣ ବୋଧେ ବିଜେଡିର ମଙ୍ଗ ଧରିବେ। ସତରେ ଅରୁଣ ଆସିଛନ୍ତି କି ନାହିଁ, ତାହା ଜାଣିବାକୁ ବିଭିନ୍ନ ସୂତ୍ରରେ ସମସ୍ତେ ଖବର ନେଲେ। ଅରୁଣଙ୍କର ଆସିବାକୁ କେହି ଦେଖି ନଥିଲେ। କିନ୍ତୁ ଗୁଜବ ଏତେ ଜୋର୍ ବ୍ୟାପିଥିଲା ଯେ କେହି କେହି ସାମାଜିକ ଗଣମାଧ୍ୟମରେ ତାଙ୍କୁ ସ୍ବାଗତ କରିବାକୁ ଲାଗିଲେ। ପରଦିନ ଅର୍ଥାତ ୮ ତାରିଖରେ କିଛି ନେତା ନବୀନ ନିବାସ ଯାଇ ଅରୁଣଙ୍କୁ ଦେଖା କରିବାକୁ ସୁଯୋଗ ଉଣ୍ଡିଥିଲେ। କିନ୍ତୁ କେହି କିଛି ଟେର୍ ପାଇ ନଥିଲେ। ବରଂ ସେହିଦିନ ପାଣ୍ଡିଆନ୍ଙ୍କୁ ସାର୍ଟିଫିକେଟ୍ ଦେଇ ନବୀନ ଗଣମାଧ୍ୟମରେ ବିବୃତି ଦେଲେ। ୯ ତାରିଖରେ ଅରୁଣଙ୍କ ବାହାଘର ହୋଇଥିବା ଆଜି ଜଣାପଡ଼ିବା ପରେ ୭ ତାରିଖରେ ନବୀନ ନିବାସ ଆସିବା ଏକ ଗୁଜବ ଥିଲା ବୋଲି ଦଳର ନେତା ଓ କର୍ମୀମାନେ ସ୍ପଷ୍ଟ ହୋଇଛନ୍ତି। ଯେହେତୁ ଦଳର ନେତା ଓ କର୍ମୀମାନେ ବିଭିନ୍ନ ମାଧ୍ୟମରେ ଅସନ୍ତୋଷ ଓଗାଳୁଥିଲେ, ତେଣୁ ତାହାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ଅରୁଣ ପଟ୍ଟନାୟକଙ୍କ ଓଡ଼ିଶା ଗସ୍ତକୁ ଏକ ମାଧ୍ୟମ କରାଯାଇଥିଲା ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି।