‘ଚାକିରିକୁ ସମାଜସେବା ଭାବେ ଗ୍ରହଣ କର’

୧୫୨ ଜଣ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ବର ଚାକିରିକୁ ସମାଜସେବା ଭାବେ ଗ୍ରହଣ କର। କର୍ମକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ସମାଜ ପ୍ରତି ଅଧିକରୁ ଅଧିକ ଅବଦାନ ଦିଅ। ନବନିଯୁକ୍ତ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏପରି ଆହ୍ବାନ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପରିଚାଳନା କାର୍ଯ୍ୟକ୍ରମ ସମ୍ବନ୍ଧୀୟ କର୍ମଶାଳା ଅବସରରେ ୧୫୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। କୃଷି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ଏହି ନିଯୁକ୍ତି ଦ୍ବାରା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟରେ କ୍ଷେତ୍ର କର୍ମଚାରୀଙ୍କ ଅଭାବ ପୂରଣ ହେବା ସହିତ ଆଗାମୀ ଦିନରେ କୃଷି ଓ କୃଷକ ସଶକ୍ତିକରଣର ପଥ ସୁଗମ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ୫ ଟି ସମ୍ବନ୍ଧୀୟ ଆଭିମୁଖ୍ୟକୁ ନିଷ୍ଠାର ସହ ଅନୁପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀମାନେ ଗ୍ରାମ୍ୟ ସ୍ତରରେ ରହି ଜନ ସହଭାଗିତା ଆଧାରରେ ଜଳ, ଜମିର ଠିକ୍ ଉପଯୋଗ କରି ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେଲେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ।

କୃଷି ଉତ୍ପାଦନ କମିନସର୍ ପ୍ରଦୀପ୍ତ କୁମାର ମହାପାତ୍ର ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାର ସୁଫଳ ପହଞ୍ଚାଇବାକୁ ନବନିଯୁକ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ନିମିତ୍ତ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟା ସମ୍ପର୍କରେ ଆଲୋକପାତ କରିଥିଲେ। ନିର୍ଦ୍ଦେଶକ ‌ହେମନ୍ତ କୁମାର ପଣ୍ଡା ନବନିଯୁକ୍ତ କର୍ମଚାରୀମାନଙ୍କୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର