ସମ୍ବଲପୁର: ଖେଳ ଓ ସଂଗୀତର ଏକ ବିରଳ ସମନ୍ବୟ, ସମ୍ବଲପୁରର କିମ୍ବଦନ୍ତି ବ୍ୟକ୍ତିତ୍ବ ଅରୁଣ ପ୍ରସନ୍ନ କୁମାର ସେଠ୍ଙ୍କର ମଙ୍ଗଳବାର ୯୩ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ଏଥି ସହ ରାଜ୍ୟର କଳା ଓ କ୍ରୀଡ଼ା କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି। ପିଲାବେଳେ ନଦୀ ବାଲିରେ ଗୁଡୁ ଖେଳି ଜଣେ ବିଶିଷ୍ଟ ଖେଳାଳି ପାଲଟିଥିବା ଅରୁଣ ମାତ୍ର ୬ ବର୍ଷ ବୟସରେ ମୃଦଙ୍ଗ ବଜାଇବା ଆରମ୍ଭ କରି ଜୀବନରେ ଜଣେ ଖ୍ୟାତାନାମା ସଂଗୀତଜ୍ଞ ପାଲଟିଥିଲେ। ଫୁଟବଲ୍ରେ ସନ୍ତୋଷ ଟ୍ରଫି ଖେଳି ନାଁ କରିଥିବା ଅରୁଣ କଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ବି ପାଇଥିଲେ। ଜୀବନର ଶେଷ ସମୟ ଅର୍ଥାତ୍ ଗତକାଲି ପର୍ଯ୍ୟନ୍ତ ସକ୍ରିୟ ଥିବା ଅରୁଣ ମଙ୍ଗଳବାର ସକାଳ ୯ଟା ୩୦ରେ ତାଙ୍କର କୁଞ୍ଜେଲପଡ଼ାସ୍ଥିତ ବାସଭବନରେ ଆଖି ବୁଜିଥିଲେ।
ଶେଷ ଶଯ୍ୟା ନିକଟରେ ପତ୍ନୀ ଅଶୋକୀ, ୨ ପୁଅ କିରଣ ଏବଂ କଲ୍ୟାଣ ଓ ନାତି, ନାତୁଣୀ ଉପସ୍ଥିତ ଥିଲେ। ଅପରାହ୍ଣରେ ରାଜଘାଟରେ ତାଙ୍କର ଦାହସଂସ୍କାର ବେଳକୁ ଅନ୍ୟ ଦୁଇ ପୁଅ କିଶୋର, କଳିଙ୍ଗ, ଝିଅ କବିତା ପହଞ୍ଚିପାରି ନଥିଲେ। ପୁଅ କିରଣ ସେଠ୍ ମୁଖାଗ୍ନି ଦେଇଥିଲେ। ଡା. ରାସେଶ୍ବରୀ ପାଣିଗ୍ରାହୀ, ଗୁରୁ ଜ୍ଞାନାଞ୍ଜନ ମହାପାତ୍ର, ଗୁରୁ ରଂଜିତ ନାଗ, ଗାୟକ ବିଭୂତି ପଟ୍ଟନାୟକ, ମୋତିଲାଲ ଦୋରା, ସୁଶାନ୍ତ ମିଶ୍ର, ତ୍ରିଲୋଚନ ତ୍ରିପାଠୀ, ଡ. ବିଜୟ ପ୍ରଧାନ, ସୂର୍ଯ୍ୟ ଗୁରୁ, ସୁଧୀର ପୂଜାରୀ, ସୁନୀଲ ତ୍ରିପାଠୀ, ପ୍ରଫୁଲ୍ଲ ଦାଶ, ଡ. ସତ୍ୟ ନାରାୟଣ ଠାକୁର, ଦେବାର୍ଚ୍ଚନ ଠାକୁରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ।
ବୁଧବାର ଶ୍ରୀ ସେଠ୍ଙ୍କର ୯୪ତମ ଜନ୍ମଦିନ ଥିଲା। କିନ୍ତୁ ସେ ତାହା ପାଳନ କରିବାକୁ ଆଉ ନାହାନ୍ତି। ଆଜି ନିଜ ଜୀବନର ଠିକ୍ ୯୩ ବର୍ଷ ପୂରଣ କରିବା ସହ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସମ୍ବଲପୁର ଟାଉନ୍ ହାଇସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିବା ପରେ ଶ୍ରୀ ସେଠ୍ ତତ୍କାଳୀନ ସମ୍ବଲପୁର ମହାବିଦ୍ୟାଳୟ (ବର୍ତ୍ତମାନର ଜିଏମ୍ ବିଶ୍ବବିଦ୍ୟାଳୟ)ରେ ପାଠ ପଢ଼ିଥିଲେ। ପିଲାଟି ବେଳୁ ଖେଳକୁଦ ପ୍ରତି ତାଙ୍କର ଆଗ୍ରହ ଥିଲା। ଛାତ୍ର ଜୀବନରେ ସେ କବାଡ଼ି, ଦୌଡ଼କୁଦରେ କୃତିତ୍ବ ହାସଲ କରିଥିଲେ। ମହନ୍ତ ନୀଳାମ୍ବର ଦାସ ଏବଂ ସ୍ବର୍ଗତ ଗୌରୀଶଂକର ସାହାଣୀଙ୍କଠାରୁ ପ୍ରୋତ୍ସାହନ ପାଇ ସେ ଫୁଟବଲ୍ ଖେଳରେ ପାଦ ଥାପିଥିଲେ। ନିଜର ଚମତ୍କାର ପ୍ରତିଭା ବଳରେ ସେ ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସାମିଲ ହୋଇ ନିଜ ଛାପ ଛାଡ଼ି ପାରିଥିଲେ। ୧୯୫୪ ମସିହାରେ ସେ ଓଡ଼ିଶା ଦଳର ତାରକା ଫରୱାର୍ଡ ଭାବେ ପୂର୍ବ ବର୍ଷ ଚାମ୍ପିଅନ୍ ପଞ୍ଜାବ ବିପକ୍ଷରେ ୨ଟି ଚମତ୍କାର ଗୋଲ୍ କରିଥିଲେ।
ତାଙ୍କ ପ୍ରଦର୍ଶନ ବଳରେ ଓଡ଼ିଶା ପଞ୍ଜାବକୁ ୩-୦ ଗୋଲ୍ରେ ହରାଇଥିଲା। ସେ ମଧ୍ୟ ବାଙ୍ଗାଲୋର ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ଶ୍ରୀ ସେଠ୍ ୧୦୦ ମିଟର୍, ୨୦୦ ମିଟର୍ ଦୌଡ଼ ଓ ହାଇଜମ୍ପ୍ରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଓ ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ବ କରି ବହୁ ପଦକ ଜିତିଥିଲେ।
ଶ୍ରୀ ସେଠ୍ଙ୍କୁ କିନ୍ତୁ କ୍ରୀଡ଼ାଠୁ ଅଧିକ ପରିଚୟ ଦେଇଥିଲା ତାଙ୍କର କଳା ଓ ସଂଗୀତ। ନିଜ ପିତା ତଥା ସଂକୀର୍ତ୍ତନ କଳାକାର ନାକା ସେଠ୍ଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ୬ ବର୍ଷ ବୟସରୁ ମୃଦଙ୍ଗ ବଜାଇବା ଆରମ୍ଭ କରିଥିବା ଅରୁଣ ପରବର୍ତ୍ତୀ ଜୀବନରେ ତାର୍ ସାହାନାଇ, ଦିଲରୁବା, ଭାଓଲିନ୍, ତବଲା, ମେଣ୍ଡୋଲିନ୍, ସିତାର୍, ଢ଼ୋଲକ୍, ପଖାୱଜ ପ୍ରଭୃତି ବିଭିନ୍ନ ବାଦ୍ୟଯନ୍ତ୍ରରେ ପାରଂଗମ ପାଲଟିଥିଲେ। ତେବେ ତାର୍ସାହାନାଇ ବାଦନରେ ତାଙ୍କର ସ୍ବାତନ୍ତ୍ରୢ ରହିଥିଲା। ଏହି ବିରଳ ବାଦ୍ୟର ସେ ଏକ ସମୟରେ ଜଣେମାତ୍ର ବାଦକ ଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର ଶ୍ରୀ ସେଠ୍ ବିଶ୍ବପ୍ରସିଦ୍ଧ ରଂଗବତୀ ଗୀତର ବାଦକ ଦଳର ଅନ୍ୟତମ ବାଦ୍ୟକାର ଥିଲେ। ‘ଝୁମ୍ଝୁମ୍ ବାଜେ ତୋର୍ ଝୁମ୍କା ପଏଁରି’ ଭଳି ଲୋକପ୍ରିୟ ସଂଗୀତରେ ବି ସେ ବାଦ୍ୟକାର ଥିଲେ। ସମ୍ବଲପୁରୀ ସଂଗୀତ ପ୍ରତି ତାଙ୍କର ଅବଦାନ ଅନେକ। ସଂଗୀତ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ୧୯୮୫ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କରିଥିଲା।
ଏହାଛଡ଼ା ସେ ଆକାଶବାଣୀ ଦିଲ୍ଲୀ ତରଫରୁ ମ୍ୟୁଜିକ କମ୍ପୋଜର୍ ପୁରସ୍କାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ, ‘ସମ୍ବାଦ’ ତରଫରୁ ଜୁଗାର ସମ୍ମାନ, ସମ୍ବଲପୁର ଲୋକ ମହୋତ୍ସବ ସମ୍ମାନ, ସମ୍ବଲପୁର ପୁସ୍ତକ ମେଳା ତରଫରୁ ସେତୁ ସମ୍ମାନ, ଇମ୍ଫା ତରଫରୁ ‘ବଂଶୀଧର-ଇଲା ପଣ୍ଡା’ ସମ୍ମାନ ସମେତ ଅଗଣିତ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ଶ୍ରୀ ସେଠ୍। ସମ୍ବଲପୁର କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ସଂଗୀତ କଳାକାରଙ୍କ ସହିତ ତତ୍କାଳୀନ ସୋଭିଏତ୍ ରୁଷ୍, ଇଣ୍ଡୋସେନିଆ, ଥାଇଲାଣ୍ଡ ସମେତ ଦେଶ, ବିଦେଶର ବିଭିନ୍ନ ସ୍ଥାନରେ ନିଜ କଳା ପରିବେଷଣ କରିଥିଲେ। ଶ୍ରୀ ସେଠ୍ ଅବକାରୀ ଓ ଜାତୀୟ ରାଜପଥ ବିଭାଗର ବିଭିନ୍ନ ପଦପଦବିରେ କାମ କରି ସରକାରୀ ଚାକିରିରୁ ଅବସର ନେଇଥିଲେ। ଅବସର ପରବର୍ତ୍ତୀ ଜୀବନରେ ଆଧ୍ୟାତ୍ମିକ ମାର୍ଗରେ ମନୋନିବେଶ କରିଥିଲେ। ସେ ବାଲିବନ୍ଧା ସୋମନାଥ ବାବା ମନ୍ଦିର ଟ୍ରଷ୍ଟର୍ ସଭାପତି, ସଦସ୍ୟ ଥିଲେ ଓ ଈଶ୍ବର ସେବାରେ ବ୍ରତୀ ଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ସହରରେ ଶୋକର ଛାୟା ଖେଳିଯାଇଛି।