ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପୁରାତନ ବିରଞ୍ଚିନାରାୟଣ ମନ୍ଦିରର ଅରୁଣ ସ୍ତମ୍ଭ ଆଜି ଏକ ଟ୍ରକ୍ ଧକ୍କାରେ ଟଳିପଡ଼ିଛି। ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଅରୁଣ ସ୍ତମ୍ଭ ଉପରେ ଥିବା ମୂର୍ତ୍ତି ମଧ୍ୟ ଭାଙ୍ଗିଯାଇଛି। ଆଜି ଭୋର୍ରେ ଏକ ସାର ବୋଝେଇ ଟ୍ରକ୍ ପୋଲସରା ପଟୁ ଦ୍ରୁତ ଗତିରେ ଆସି ବଡ଼ଦାଣ୍ଡରେ ପହଞ୍ଚିଥିଲା। କିନ୍ତୁ ଅସ୍ଥାୟୀ ମଣ୍ଡପରେ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଚାଲିଥିବାରୁ ବଡ଼ଦାଣ୍ଡ ଦେଇ ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ଟ୍ରକ୍ଟି ଆଗକୁ ନଯାଇ ପଛକୁ ଆସିବା ବେଳେ ଭାରସାମ୍ୟ ହରାଇ ଅରୁଣ ସ୍ତମ୍ଭକୁ ଧକ୍କା ଦେଇଥିଲା। ଏନେଇ ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରିଛନ୍ତି। ବୁଗୁଡ଼ା ଥାନାରେ ଏତଲା ଦିଆଯିବା ପରେ ପୁଲିସ ଟ୍ରକ୍କୁ ଜବତ କରିବା ଚାଳକକୁ ଅଟକ ରଖିଛି। ସୂଚନା ଥାଉକି, ୧୭୯୦ ଖ୍ରୀଷ୍ଟାବ୍ଦରେ ଭଞ୍ଜ ବଂଶୀୟ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ମନ୍ଦିର ନିର୍ମାଣ ହେବା ପରଠୁ ଏହି ଅରୁଣ ସ୍ତମ୍ଭ ରହିଛି। ଏହାର ସୁରକ୍ଷା ପାଇଁ ବାଡ଼ ମଧ୍ୟ ନିର୍ମାଣ କରାଯାଇଛି।
ଟ୍ରକ୍ ଧକ୍କାରେ ଟଳିପଡ଼ିଲା ବିରଞ୍ଚନାରାୟଣ ମନ୍ଦିର ଅରୁଣ ସ୍ତମ୍ଭ
/sambad/media/post_attachments/wp-content/uploads/2023/04/5bc6e9ad-461b-4301-8259-870d7bc1c6b0.jpg)