ସିଆଇସିଇଏଫ୍‌ ବାଙ୍ଗାଲୋର ପ୍ରସ୍ତୁତ କରୁଛି ଡିପିଆର୍‌
ଆର୍ଯ୍ୟପଲ୍ଲୀ ମୌଜାରେ ଚିହ୍ନଟ ହୋଇଛି ୨୩.୯୮ଏକର ଜମି

Advertisment

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ଠାରେ ବଙ୍ଗୋପସାଗର କୂଳରେ ମାଛଧରା ବନ୍ଦର(ଫିସିଙ୍ଗ୍‌ ହାର୍ବର୍‌) ପ୍ରତିଷ୍ଠା ଲାଗି ପ୍ରସ୍ତାବ ରହିଛି। ୭ବର୍ଷ ତଳୁ ଏହି ପ୍ରସ୍ତାବ ରହିଥିଲେ ହେଁ ଏ ଯାଏ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ୨୦୨୨ ସୁଦ୍ଧା ଏହି ଅନ୍‌ ସି ଫିସିଂ ହାର୍ବର୍‌ କାର୍ଯ୍ୟକ୍ଷମ ଲାଗି ପ୍ରସ୍ତାବ ରହିଥିଲା। ଡିପିଆର୍‌ ପ୍ରସ୍ତୁତିରେ ବିଳମ୍ବ ଏବଂ ପରିବେଶ ମଞ୍ଜୁରି ମିଳି ନ ଥିବାରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ବେଙ୍ଗାଲୁରୁର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ୍‌ ଇଞ୍ଜିନିୟରିଂ ଅଫ୍‌ ଫିସେରୀ ଏହି ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ କରୁଛି। ପୁନେସ୍ଥିତ ସେଣ୍ଟ୍ରାଲ ୱାଟର୍‌ ପାୱାର୍‌ ରିସର୍ଚ୍ଚ ଷ୍ଟେସନ୍‌ (ସିଡବ୍ଲୁପିଆରଏସ୍‌) ଡିପିଆର୍‌ ମଡ଼େଲକୁ ଅନୁଧ୍ୟାନ କରୁଛି। ଡିପିଆର୍‌ ପ୍ରସ୍ତୁତ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଠାରୁ ପରିବେଶ ମଞ୍ଜୁରି ଲୋଡ଼ାଯିବ। ଏହି ଅନୁମତି ମିଳିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରେ ଆର୍ଯ୍ୟପଲ୍ଲୀ ଠାରେ ମାଛଧରା ବନ୍ଦର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଚିନ୍ତା କରି ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୧୩ ମସିହା ଆର୍ଯ୍ୟପଲ୍ଳୀ ଠାରେ ମାଛ ଧରା ବନ୍ଦର ହୋଇପାରିବ କି ନାହିଁ ‌ତାହା ଚେନ୍ନାଇ ଆଇଆଇଟିର ଓସେନ୍‌ ଇଞ୍ଜିନିୟରିଂ ବିଭାଗ ସର୍ଭେ କରିଥିଲା। ଗୋପାଳପୁର ବନ୍ଦ ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର ପାଇଁ ପ୍ରକୃଷ୍ଟ ସ୍ଥାନ‌ ବୋଲି ଏହି ସଂସ୍ଥା ରିପୋର୍ଟ ଦେଇଥିଲା। ଏହାପରେ ଆର୍ଯ୍ୟପଲ୍ଲୀ ମୌଜାର ସାନ ଆର୍ଯ୍ୟପଲ୍ଲୀ ଓ ବଡ଼ ଆର୍ଯ୍ୟପଲ୍ଲୀ ଠାରେ ୨୩.୯୮ଏକର ପରିମିତ ଜମିରେ ଏହି ବନ୍ଦର ପ୍ରତିଷ୍ଠା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲା। ୨୦୧୭ ମସିହାରେ ଏହି ମାଛଧରା ବନ୍ଦରର ଡିପିଆର୍‌ ପ୍ରସ୍ତୁତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଇଞ୍ଜିନିୟରିଂ ଫର୍‌ ଫିସେରୀ (ସିଆଇସିଇଏଫ୍‌)କୁ ଡିପିଆର୍‌ ପ୍ରସ୍ତୁତି ଦାୟିତ୍ବ ଦିଆ ଯାଇଥିଲା। ଏହି ସଂସ୍ଥା ପକ୍ଷରୁ ଡିପିଆର୍‌ ପ୍ରସ୍ତୁତ ଚାଲିଛି। ଡ଼ିପିଆର ପ୍ରସ୍ତୁତ ହେବା ପରେ ପରିବେଶ ମଞ୍ଜୁର ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

publive-image Zamroo

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତା ଏହି ମାଛଧରା ବନ୍ଦର ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ମାଛଧରା ବନ୍ଦର ଲାଗି କେନ୍ଦ୍ର ଓ ରାଜ୍ୟ ଉଭୟେ ୫୦ ପ୍ରତିଶତ ଲେଖାଏଁ ଅନୁଦାନ ଯୋଗାଇବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଜରିଆରେ ଏହି ବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ରହିଥିବା ସୂଚନା ମିଳିଛି। ପ୍ରତିଷ୍ଠା ହେଲେ ଏହା ରାଜ୍ୟର ପ୍ରଥମ ସମୁଦ୍ରଭିତ୍ତିକ ମାଛଧରା ବନ୍ଦର (ଅନ୍‌ ସି ଫିସିଂ ହାର୍ବର) ହେବ। ପ୍ରାସ୍ତବିତ ମାଛଧରା ବନ୍ଦର ଜେଟି ପ୍ରାୟ ୯୪୦ ମିଟର ଲମ୍ବ ରହିବ। ଗଭୀର ସମୁଦ୍ରରେ ଚଳାଚଳ କରୁଥିବା ପୋତ, ଟ୍ରଲର୍‌, ବଡ଼ ବଡ଼ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ଆଦି ଏହି ବନ୍ଦରରେ ଲଙ୍ଗର୍‌ ପକାଇ ପାରିବ।

ଗଞ୍ଜାମ ଜିଲ୍ଲା ମତ୍ସ୍ୟକର୍ମୀ ୟୁନିୟନ ସଭାପତି ବି.ସୀମାଦ୍ରି କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଜିଲ୍ଲାର ୨୮ଟି ଗାଁ ଓ ପଡ଼ୋଶୀ ପୁରୀ ଜିଲ୍ଲାର ସମୁଦାୟ ୫୦ହଜାର ମତ୍ସ୍ୟଜୀବ ଉପକୃତ ହୋଇପାରିବେ। ଏଥିସହ ଏହି ମାଛଧରା ବନ୍ଦର ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡ଼ିଶାର ଆର୍ଥନୈତିକ ବିକାଶ ହୋଇପାରିବ। ସରକାର ଏହି ପ୍ରକଳ୍ପର ଆନୁଷଙ୍ଗିକ କାର୍ଯ୍ୟକୁ ତୁରନ୍ତ ଶେଷ କରି ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଆବଶ୍ୟକ। ୨୦୨୪ସୁଦ୍ଧା ଏହି ମାଛଧରା ବନ୍ଦର ପ୍ରତିଷ୍ଠା କରି କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଅନ୍ତୁ ସେ କହିଛନ୍ତି।