ମୋଦୀ ପ୍ରଧାନମନ୍ତ୍ରୀ ଥିବା ଯାଏ ଏମ୍‌ଏସ୍‌ପି ବନ୍ଦ ହେବାର ପ୍ରଶ୍ନ ଉଠୁ ନାହିଁ: ଧର୍ମେନ୍ଦ୍ର

କୃଷି ନୀତି ଉପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ
ନୂଆ ନୀତି ଚାଷୀ ଓ ଉପଭୋକ୍ତାଙ୍କ ସ୍ବାର୍ଥକୁ ସୁରକ୍ଷିତ କରିବ

ଭୁବନେଶ୍ୱର : ମୋଦୀ ସରକାରଙ୍କ କୃଷି ବିଲ୍‌ ଦ୍ବାରା ଏମ୍‌ଏସ୍‌ପି ବନ୍ଦ ହେବ ବୋଲି ଅପପ୍ରଚାର କରାଯାଉଛି। ଭାରତରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବାର ପ୍ରଶ୍ନ ଉଠୁ ନାହିଁ। ଓଡ଼ିଶା ସମେତ ସାରା ଦେଶରେ ଏମ୍‌ଏସ୍‌ପି ବ୍ୟବସ୍ଥା ପୂର୍ବ ପରି ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭୁବନେଶ୍ବର ଗସ୍ତରେ ଆସିଥିବା ଅବସରରେ ଶ୍ରୀ ପ୍ରଧାନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତି ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ମୋଦୀ ସରକାରଙ୍କ ଦ୍ବାରା ଅଣାଯାଇଥିବା ତିନିଟି ବିଲ୍‌ ଯଥା କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଲ୍‌, ଚାଷୀ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତିଭିତ୍ତିକ ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ବିଲ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍‌ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନ୍‌ରେ ପରିଣତ ହୋଇଛି। ଏହି ତିନିଟି ଆଇନ୍‌ ଦ୍ବାରା ଚାଷୀ ଓ ଉପଭୋକ୍ତାଙ୍କ ସ୍ବାର୍ଥ ସୁରକ୍ଷିତ ରହିବ। ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏପିଏମ୍‌ସି ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଆଇନ୍ ବଳରେ ଚାଷୀମାନେ ଏପିଏମ୍‌ସି ସହିତ ବାହାରେ ମଧ୍ୟ ଖୋଲା ବଜାରରେ ନିଜର ସାମଗ୍ରୀକୁ ବିକ୍ରି କରିପାରିବେ। ଅର୍ଥାତ ନୂଆ କୃଷି ନୀତି ଦ୍ବାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବ ନାହିଁ। ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ। ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ା ଯାଇଛି। ଫଳରେ ଦେଶର ଯେ କୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସମର୍ଥ ହେବେ। ଭାରତରେ ଜିଡିପିରେ କୃଷି କ୍ଷେତ୍ରର ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍‌ ଅଣାଯାଇଥିଲା। ଏହା ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ବାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ଠିକ୍ ମୂଲ୍ୟ ହେବ ଓ ଉପଭୋକ୍ତାଙ୍କୁ ମଧ୍ୟ ଠିକ୍ ମୂଲ୍ୟରେ ସାମଗ୍ରୀ ମିଳିପାରିବ। ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ। ମାତ୍ର ନୂଆ କୃଷି ନୀତି ଦ୍ବାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ଓ ନିଜ ଆକାଂକ୍ଷା ପୂରଣ କରିପାରିବେ। ଏପରି ବିଲ୍‌ ଆଣି ମୋଦୀ ସରକାର ଚାଷୀଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।

କୃଷି କ୍ଷେତ୍ର ପାଇଁ ମୋଦୀ ସରକାରଙ୍କ ଅବଦାନ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଲେ ଯେ ରାଜ୍ୟର ଚାଷୀମାନଙ୍କ ଠାରୁ କେନ୍ଦ୍ର ସରକାର ୨୦୦୯ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିଅନ୍ ମେଟ୍ରିକ୍ ଟନ୍ ଧାନ କିଣିଥିଲେ ଏବଂ ୨୦୧୩-୧୪ରେ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପ୍ରତି ୧୩୧୦ ଟଙ୍କା ଥିଲା। ମ‌ାତ୍ର ମୋଦୀ ସରକାରରେ ୨୦୧୪ ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିଅନ୍ ମେଟ୍ରିକ୍ ଟନ୍‌ର ଧାନ କିଣାଯାଇଛି ଏବଂ ୨୦୨୦-୨୧ରେ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୨୦୧୪-୨୧ ମଧ୍ୟରେ ଓଡ଼ିଶା ଚାଷୀଙ୍କ ଠାରୁ ୧୨,୯୫୭.୬୩ ଟନ୍ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମ୍‌ଏସ୍‌ପି କ୍ବିଣ୍ଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ୧ ଲକ୍ଷ କୋଟିର କୃଷି ଭିତ୍ତଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦନ ସଂସ୍ଥା(ଏଫ୍‌ପିଓ) ଗଠନ ପାଇଁ ଯୋଜନା ରହିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହାରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାର ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର