ପୁରୀ: ଅଭିନେତା ବାବୁସାନ ମହାନ୍ତି ନଣ୍ଡା ହେବା ସହ ମହୋଦଧିରେ ଅସ୍ଥି ବିସର୍ଜନ କରିଛନ୍ତି। ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତର ୩ ମାସ ପରେ ସେ ନଣ୍ଡା ହୋଇ ଅସ୍ଥି ବିସର୍ଜନ କରିବା ସହ ସମସ୍ତ କ୍ରିୟା ସମାପ୍ତ କରିଛନ୍ତି। ବାବୁସାନ କହିଛନ୍ତି, ବାପାଙ୍କ ମୃତ୍ୟୁ ବେଳେ ‘ବୋଉ ବୁଟୁ ଭୂତ’ ଚଳଚ୍ଚିତ୍ରର ସୁଟିଂ ଥିଲା। ଏହି ଚଳଚ୍ଚିତ୍ର ସହ ଅନେକ ବ୍ୟକ୍ତିବିଶେଷ ଜଡ଼ିତ ଥିଲେ। ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ‌ ହୋଇସାରିଥିଲା। ତେଣୁ ନଣ୍ଡା ହୋଇଥିଲେ ଚଳଚ୍ଚିତ୍ର ସାରିବା ସମ୍ଭବ ହୋଇନଥାନ୍ତା। ବାପା ମୋତେ ଶିଖାଇଛନ୍ତି ‘କର୍ମ ହିଁ ଭଗବାନ’। ତେଣୁ ବାପାଙ୍କ କଥା ଅନୁସାରେ କାମକୁ ସମ୍ମାନ ଦେଇ ସୁଟିଂ ସମ୍ପନ୍ନ କରିଥିଲି।

Advertisment

ସେତେବେଳେ ନଣ୍ଡା ହୋଇ ପାରିନଥିଲି କି ଅସ୍ଥି ବିସର୍ଜନ କରିପାରିନଥିଲି। ଆଜି ନଣ୍ଡା ହୋଇ ଅସ୍ଥି ବିସର୍ଜନ ସମସ୍ତ ବିଧି ମୁତାବକ ସମ୍ପାଦନ କରିବା ପରେ ହାଲୁକା ଅନୁଭବ କରୁଛି। ବର୍ଷେ ପୂରି ନଥିବାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମନ୍ଦିରକୁ ଯାଇପାରୁନାହିଁ। କିନ୍ତୁ ମାମୁଙ୍କୁ ବାନା ବାନ୍ଧିବା ପାଇଁ କହିଛି। ଏହିଠାରୁ ମହାପ୍ରଭୁଙ୍କ ନିକଟରେ ବାପାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଓଡ଼ିଶାବାସୀଙ୍କ ପାଇଁ ଆଶୀର୍ବାଦ କାମନା କରୁଛି ବୋଲି ସେ କହିଛନ୍ତି। ଆସନ୍ତା ୧୨ ତାରିଖରେ ‘ବୋଉ ବୁଟୁ ଭୂତ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଥିବାରୁ ଚଳଚ୍ଚିତ୍ର ଦେଖିବା ପାଇଁ ଅନୁରୋଧ କରିଛନ୍ତି।