ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୫୮ ଫୁଟ୍ ରହିଥିବା ଶୁକ୍ରବାର ସନ୍ଧ୍ୟା ୬ଟାରେ ୬୧୭.୯୩ ଫୁଟ୍ରେ ପହଞ୍ଚିଥିଲା। ଏବେ ସେଠାରେ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି।

Advertisment

ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାରରେ ଗତକାଲି ଜଳପ୍ରବେଶ ହାର ବଢ଼ୁଥିବାରୁ ଆଜି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା। ପୂର୍ବରୁ ୨ଟି ଗେଟ୍ ଖୋଲା ରହିଥିଲା। ମଧ୍ୟାହ୍ନ ୧୨ଟା ପରେ ଅଧିକ ୫ଟି ଗେଟ୍ ଖୋଲାଯାଇଥିଲା। ସେହିପରି ଅପରାହ୍ଣ ୫ଟାରେ ପୁଣି ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସନ୍ଧ୍ୟା ୬ଟା ସମୟରେ ଜଳଭଣ୍ଡାରକୁ ୪, ୭୮,୮୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ସର୍ବମୋଟ ୨,୧୬, ୭୩୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଜଳଭଣ୍ଡାରର ୧୨ଟି ଗେଟ୍ଦେଇ ୧,୮୫,୭୨୪ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୧,୦୦୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ୧, ୭୩୫ କ୍ୟୁସେକ୍ ପାଣି କେନାଲଗୁଡ଼ିକରେ ଛଡ଼ାଯାଇଛି। ସେଥିରୁ ବରଗଡ଼ କେନାଲରେ ୧୩୭୫ କ୍ୟୁସେକ୍, ଶାସନ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି। ଦୁଇ ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବନ୍ୟା ସ୍ଥିତି ସୃଷ୍ଟି ହେବାରୁ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା କରିଦେଇଛି। ତେବେ, ଆଜି ଉପର ମୁଣ୍ଡରେ ସେଭଳି ଭଲ ବର୍ଷା ନାହିଁ। ତେଣୁ, ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାର ସମ୍ଭାବନା ଯଥେଷ୍ଟ ରହିଛି।