ପୁରୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ପୂଣ୍ୟ ପଞ୍ଚକ। ଧର୍ମ ମାସ କାର୍ତ୍ତିକରେ ଏହି ୫ ଦିନ ଶ୍ରେଷ୍ଠ ଦିନ ଭାବେ ବିବେଚନା କରାଯାଏ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ମଠ, ମନ୍ଦିର ସବୁଠି ଭଜନକୀର୍ତ୍ତନ ଚାଲିଛି। ସେପଟେ ପଞ୍ଚକର ୫ ଦିନ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ପାଞ୍ଚଟି ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ସଅଳ ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଦର୍ଶନ ପାଇଁ ଟାଉନ୍‌ ଥାନା ପାଖରୁ ସିଂହଦ୍ବାର ପର୍ଯ୍ୟନ୍ତ ବାରିକେଡ୍ କରାଯାଇଛି। ମରିଚିକୋଟ ଛକରୁ ୪ଟି ଧାଡ଼ିରେ ଭକ୍ତମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭିଡ଼କୁ ଦେଖି ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି।

Advertisment

ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚକର ୫ ଦିନ ଅର୍ଥାତ୍‌ ନଭେମ୍ବର ୨୩ ତାରିଖରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେ‌ଶ ଏବଂ ହରି ଉତ୍‌ଥାପନ ନୀତି, ନଭେମ୍ବର ୨୪ରେ ବାଙ୍କଚୁଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ନଭେମ୍ବର ୨୫ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ନଭେମ୍ବର ୨୬ରେ ଲକ୍ଷ୍ମୀନୃସିଂହ ବେଶ, ଶେଷଦିନ ଅର୍ଥାତ୍‌ ନଭେମ୍ବର ୨୭ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଶେଷଦିନ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ପଞ୍ଚକରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ଯେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବାରିକେଡ୍‌କୁ ଟାଉନ୍‌ ଥାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।

ଦର୍ଶନ ପାଇଁ ଥିବା ଧାଡ଼ି ଭିତରୁ ସ୍ବତନ୍ତ୍ରଭାବେ ବରିଷ୍ଠ ନାଗରିକଙ୍କ ପାଇଁ ଗୋଟିଏ ଧାଡ଼ି ରଖାଯାଇଛି। ବରିଷ୍ଠ ନାଗରିକଙ୍କ ବିଶ୍ରାମ ପାଇଁ ସିଂହଦ୍ବାରରେ ଏକାଧିକ ସେଡ୍‌ ବ୍ୟବସ୍ଥା ହୋଇଛି। ନୀତିକାନ୍ତିକୁ ଶୃଙ୍ଖଳିତ ଓ ସଅଳ ସଂପନ୍ନ ପାଇଁ ପାଳିଆ ସେବକଙ୍କୁ କୁହାଯାଇଛି। ଭକ୍ତଙ୍କ ପାଇଁ ଛାୟାପ୍ରଦ ସେଡ୍‌ ସହ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ସହଯୋଗ ପାଇଁ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପୁରୀ ଏସ୍‌ପି ଡ. କେ. ବିଶାଲ ସିଂହ କହିଛନ୍ତି ଯେ ପଞ୍ଚକରେ ଭିଡ଼ ବଢ଼ିବା ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ପାଇଁ ୪୦ ପ୍ଲାଟୁନ୍‌ ଫୋର୍ସ ସହ ୧୫୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।