ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ମୋହରେ ପକାଇଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଅତିରିକ୍ତ ବୋନସ୍। ଜିଲ୍ଲାରେ ଧାନଚାଷୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପରିଲକ୍ଷିତ ହୋଇଛି। କୃଷି ବିଭାଗର ତଥ୍ୟ, ଏଭଳି ଚିତ୍ର ବୟାନ କରୁଛି। ହେଲେ ଗତବର୍ଷ ଯେତିକି ଜମିରେ ଚାଷ ହୋଇଥିଲା, ଏଥର ବି ସେତିକି ଜମିରେ ଚାଷ ହୋଇଛି। ଚଳିତ ବର୍ଷ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଏବେ ଚାଷୀଙ୍କ ପଞ୍ଜୀକରଣ ଜାରି ରହିଛି। ଜିଲ୍ଲାର ୨୬ଟି ବ୍ଲକ୍ର ମୋଟ ୫୨ଟି ଲ୍ୟାମ୍ପ୍ସ ଅଧୀନରେ ଥିବା ୧୦୩ଟି ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀମାନେ ପଞ୍ଜୀକରଣ ଜାରି ରଖିଛନ୍ତି। ଅଦ୍ୟାବଧି ୬୪ ହଜାର ୭୩୨ ଚାଷୀଙ୍କ ନାମ ପଞ୍ଜୀକରଣ ସରିଛି। ତେବେ ଆସନ୍ତା ୨୫ ତାରିଖ ଯାଏଁ ପଞ୍ଜୀକରଣ ଚାଲିବାକୁ ଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିବା ନିଶ୍ଚିତ। ଗତବର୍ଷ ଖରିଫ୍ ଋତୁରେ ଜିଲ୍ଲାର ୫୫ ହଜାର ୯୩୮ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ଅର୍ଥାତ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏଯାଏଁ ୧୫.୭୨ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କଲେଣି।
ଗତବର୍ଷ ତୁଳନାରେ ୧୫.୭୨% ବଢ଼ିଲେଣି ଚାଷୀ
ଆକୃଷ୍ଟ କରୁଛି ଏମ୍ଏସ୍ପି ବୃଦ୍ଧି ଓ ବୋନସ୍!
ରାଜ୍ୟ ସରକାର ପକ୍ଷରୁ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ରହିଥିବା ବେଳେ ଏହା ଉପରେ ସରକାର ୮୦୦ ଟଙ୍କା ବୋନସ୍ ଦେଉଛନ୍ତି। ଅର୍ଥାତ୍ କ୍ବିଣ୍ଟାଲ ୩୧୦୦ ଟଙ୍କାରେ ଧାନ ବିକ୍ରିର ସୁଯୋଗ ପାଉଛନ୍ତି ଚାଷୀ। ଧାନଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ରାଜ୍ୟରେ ଧାନ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜିଲ୍ଲା ପ୍ରଶାସନ କହୁଛି। ହେଲେ ଜିଲ୍ଲାରେ ଗତବର୍ଷ ଭଳି ଏଥର ବି ସମାନ ୨.୫ ଲକ୍ଷ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ଡିଆର୍ସିଏସ୍ ଅଶୋକ କୁମାର ପାଣି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ୮ ଶହ ଟଙ୍କା ବୋନସ୍ ପାଇବା ପାଇଁ ଯୌଥ ପରିବାରରୁ ଏବେ ଏକାଧିକ ଚାଷୀ ନିଜ ନାମ ପଞ୍ଜୀକରଣ କରିବାକୁ ଆଗ୍ରହୀ ହୋଇଛନ୍ତି। ଫଳରେ ଚାଷଜମି ସମାନ ଥିଲେ ବି ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/gdgdcv-2025-08-20-02-04-09.jpg)