ତିଗିରିଆ: ତିଗିରିଆ ବ୍ଲକ୍‌ ସୋମପଡ଼ା ପଞ୍ଚାୟତର ବିଡ଼ି ଶ୍ରମିକ ବିଦ୍ୟାନିକେତନରେ ଆଜି ଅଭାବନୀୟ ଘଟଣା ଘଟିଛି। ୫-ଟି ଯୋଜନାରେ ବିଦ୍ୟାଳୟର ଉନ୍ନତୀକରଣ ଓ ଶ୍ରେଣୀଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର କାର୍ଯ୍ୟର ବିଲ୍‌ ପାଇନଥିବା କାରଣରୁ ଶ୍ରେଣୀଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଟାଣ ଖରାରେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଥିଲା। ଏହାକୁ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ଅଭିଭାବକ ଓ ଅଞ୍ଚଳବାସୀ ବିରୋଧ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ପ୍ରକାଶଥାଉ କି, ସୋମପଡ଼ାସ୍ଥିତ ବିଡ଼ି ଶ୍ରମିକ ବିଦ୍ୟାନିକେତନର ନବମ‌ ଶ୍ରେଣୀରେ ୬୩ ଓ ଦଶମ ଶ୍ରେଣୀରେ ୫୦ଜଣ ଏହିପରି ମୋଟ୍‌ ୧୧୩ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୫-ଟି ଯୋଜନାରେ ବିଦ୍ୟାଳୟର ରୂପାନ୍ତରୀକରଣ ନିମନ୍ତେ ତତ୍କାଳୀନ ସରକାର ୨୪ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟ ପାଇଁ ଅଞ୍ଚଳର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନିର୍ବାଚନ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇପାରି ନଥିଲା। ଫଳରେ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶ୍ରେଣୀଗୃହ ଅଭାବ ଯୋଗୁଁ ଦିନକୁ ଦିନ ବିଦ୍ୟାଳୟରେ ଉପସ୍ଥାନ ହ୍ରାସ ଘଟୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ, ଦଶହରା ଛୁଟି ସମୟରେ ବଳକା କାର୍ଯ୍ୟ ଶେଷ କରି ନ ଥିବା ଦର୍ଶାଇ ଠିକାଦାରଜଣକ ବିଦ୍ୟାଳୟର ପୁରୁଣା ଶ୍ରେଣୀଗୃହ ନିଜ କବ୍‌ଜାକୁ ନେଇଯାଇଥିଲେ। ବିଦ୍ୟାଳୟ ଖୋଲିବା ପରେ ଶୁକ୍ରବାର ଠିକାଦାରଜଣକ ପୁନର୍ବାର ପ୍ରଧାନଶିକ୍ଷକଙ୍କ ନିକଟରୁ ନବମ ଶ୍ରେଣୀର ଚାବି ନେଇଥିଲେ। ଆଜି ସକାଳେ ସେ ନିର୍ମାଣ କାର୍ଯ୍ୟର ବିଲ୍‌ ପାଇ ନ ଥିବା ଦର୍ଶାଇ ଉକ୍ତ ଶ୍ରେଣୀଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରଛାତ୍ରୀ ଆଜି ପ୍ରବଳ ଖରାରେ ବାରଣ୍ଡାରେ ବସି ପାଠ ପଢ଼ିଥିଲେ।

ଏହା ଜଣାପଡ଼ିବା ପରେ ସ୍ଥାନୀୟ ସରପଞ୍ଚ ଶ୍ରୀ ରାଉତଙ୍କ ସହ ଅଭିଭାବକ ଓ ଅଞ୍ଚଳବାସୀ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଖବର ପାଇ ବ୍ଲକ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ଓ ଜନସାଧାରଣଙ୍କୁ ବୁଝାଇଥିଲେ। ମାତ୍ର ଶ୍ରୀ ନନ୍ଦ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପରେ ବିଡିଓ ପ୍ରଣବ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ଠିକାଦାରଙ୍କ ସହ ବିଡିଓ ଫୋନ୍‌ ଯୋଗେ ଆଲୋଚନା କରିବା ପରେ ଶ୍ରେଣୀଗୃହରୁ ତାଲା ଖୋଲା ଯାଇଥି‌ଲା। ଏଭଳି ଘଟଣାକୁ ବିଡିଓ ଶ୍ରୀ ବେହେରା ନିନ୍ଦା କରିବା ସହ ଯଥଶୀଘ୍ର ବକେୟା କାର୍ଯ୍ୟ ଶେଷ କରିବା ଲାଗି ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।