ଭୁବନେଶ୍ବର: କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନ ମିଳିବା ପରେ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଛନ୍ତି। ଏହାପରେ ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି। ହେଲେ ନବୀନଙ୍କ ଏହି ସମ୍ମାନକୁ ବିରୋଧୀ କଟାକ୍ଷ କରିବାକୁ ପଛାଇନାହାନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କଟାକ୍ଷ କରି କହିଛନ୍ତି ଯେ ନବୀନ ବାବୁ କିଣା ଆୱାର୍ଡ ପାଇଛନ୍ତି। କେତେ ଟଙ୍କାରେ କିଣିଛନ୍ତି ଜଣାନାହିଁ। ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି। ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣି ନାହାନ୍ତି, ସିଏ ମୁଖ୍ୟମନ୍ତ୍ରୀଙ୍କୁ ସେବା ସାଧକ ଆୱାର୍ଡ ଦେଇଛନ୍ତି। ଯାହା ଆମ ଓଡ଼ିଶା ପାଇଁ ବାଧକ। ଯେଉଁ ସଂସ୍ଥା ଏହି ଆୱାର୍ଡ ଦେଇଛନ୍ତି ତା’ର ବିଶ୍ବସନୀୟତା କ’ଣ ତା ବିଷୟରେ ମଧ୍ୟ ଜଣାନାହିଁ। ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଯେଉଁ ଲୋକ ସନ୍ଧ୍ୟା ୮ଟା ପରେ କେଉଁ ଅନ୍ଧାରୀ ଦୁନିଆରେ ନିଖୋଜ ହୋଇଯା’ନ୍ତି ସେ ହେଉଛନ୍ତି ସେବାର ସାଧକ। ଯେଉଁ ଲୋକ କୌଣସି କଥା ଆଜି ପର୍ଯ୍ୟନ୍ତ ବୁଝିନାହାନ୍ତି, ଆମ ଭାଷା ଜାଣି ନାହାନ୍ତି କି ଆମ ସଂସ୍କୃତି ଜାଣି ନାହାନ୍ତି ତାଙ୍କୁ ସେବା ସାଧକ ପୁରସ୍କାର ଦିଆଯାଇଛି। ଯେଉଁମାନେ ପୁରସ୍କୃତ କରିଛନ୍ତି ସେମାନେ ଧନ୍ୟ, ଯେଉଁମାନେ ପୁରସ୍କାର ପାଇଛନ୍ତି ସେମାନେ ବି ଧନ୍ୟ।

Advertisment

ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସମାଲୋଚନା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୋଟେ ଅଲାଜୁକ ପ୍ରାଇଜ୍ ପାଇଛନ୍ତି। ପଇସା ଖର୍ଚ୍ଚ କରି ଗାଁ ଗାଁରୁ ଲୋକଙ୍କୁ ଆଣି ରାଜଧାନୀରେ ଭର୍ତ୍ତି କରିଛନ୍ତି। ଲୋକପ୍ରିୟତା କମିଥିବାରୁ ଏହି ସମ୍ବର୍ଦ୍ଧନା ସଭା। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି। ଏହାଦ୍ୱାରା ଲୋକେ ହନ୍ତସନ୍ତ ହେଉଛନ୍ତି, ଟ୍ରାଫିକ୍ ଜାମ୍‌ ହେଉଛି। ୨୦୨୪ରେ ଓଡ଼ିଶାବାସୀ ଏହାର ଜବାବ୍‌ ଦେବେ।