ଘଟଗାଁ: ମା’ ତାରିଣୀଙ୍କ ପବିତ୍ର ଆଷାଢ଼ି ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ଏହି ପୂଜା ଉପଲକ୍ଷେ ନିଶାର୍ଦ୍ଧରେ ଛାଗବଳି ଭୋଗ ଲାଗି କରାଯାଇଥିଲା। ଆଷାଢ଼ି ପୂଜା ପାଇଁ ଆଜି ମା’ଙ୍କ ମନ୍ଦିର ଦିନ ତମାମ ବନ୍ଦ ରହିଥିବା ବେଳେ ସଂଧ୍ୟାରେ ଖୋଲିଥିଲା। ତେବେ ମା’ ଆଜି ସୁନାବେଶରେ ଝଟକିଥିଲେ।
ଦିନତମାମ ତୁହାକୁ ତୁହା ବର୍ଷା ସତ୍ତ୍ବେ ସନ୍ଧ୍ୟାରେ ବରିଷ୍ଠ ପୂଜକ ଶ୍ୟାମସୂନ୍ଦର ଦେହୁରୀ, ନଟବର ଦେହୁରୀ, ଦୋଳଗୋବିନ୍ଦ ଦେହୁରୀ, ପଶୁର୍ରାମ ଦେହୁରୀ, ଶରତ ଦେହୁରୀ, ରାଜକିଶୋର ଦେହୁରୀ ସମେତ ୧୫ ରୁ ଅଧିକ ପୂଜକ ମା’ଙ୍କ ଶୋଡ଼ଶ ଉପଚାର ପୂଜା ବିଧି ଅନୁସାରେ କରିଥିଲେ। ଏହି ଅବସରରେ ମା’ଙ୍କ ସୁନାବେଶ କରାଯାଇଥିଲା। ସନ୍ଧ୍ୟା ୭ଟା ବେଳେ ପହଡ଼ ଖୋଳିବା ମାତ୍ରେ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରି ମା’ଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ।
୨୨ ଖଣ୍ତ ମୌଜାରୁ ନିମନ୍ତ୍ରିତ ଗ୍ରାମ ଦେବତୀ ଶାଳର ପୂଜକ ଓ ଗ୍ରାମ ମୁଖିଆମାନେ ନିଜ ନିଜର ଭୋଗଡାଲା ଧରି ଧାଡିରେ ଜଣକ ପରେ ଜଣେ ପ୍ରବେଶ କରିଥିଲେ। ଆଷାଢ଼ି ପୂଜାରେ ବୋଦା ପୂଜା (ଛାଗ ବଳିଭୋଗ) ଲାଗି କରାଯାଇଥାଏ। ଫଳରେ ପ୍ରତ୍ୟେକ ଗାଁ ରୁ ଗୋଟିଏ ଗୋଟିଏ ଭୋଗଡାଲା ସହ ବୋଦା ପୂଜା ପାଇଁ ଆସିଥାଏ। ବୋଦାଙ୍କୁ ଫୁଲ ଚନ୍ଦନ ସହ ଫୁଲ ପିନ୍ଧାଇ ପୂଜା କରାଯାଇଥାଏ। ଏହି ପୂଜା ସହ ଉକ୍ତମାନଙ୍କ ଭୋଗଲାଗି କରାଯାଇଥାଏ।
ଦିନତମାମ ମନ୍ଦିର ବନ୍ଦ ରହିଥିବା ବେଳେ ସନ୍ଧ୍ୟାରୁ ରାତି ୧୦ ଟା ଯାଏ ଆଜି ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିଥିଲା। ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ବିଳମ୍ବିତ ପ୍ରାୟ ରାତି ପ୍ରାୟ ୧୨ ଟା ପରେ ବରିଷ୍ଠ ପୂଜକ ଶ୍ୟାମସୂନ୍ଦର ଦେହୁରୀ ଓ ତାଙ୍କ ସହ ଯୋଗୀ ନିଶା ପୂଜା କାର୍ଯ୍ୟ କରିଥିଲେ। ଏହି ନିଶା ପୂଜାରେ ଛାଗବଳି ଭୋଗ ଲାଗି କରାଯାଇଥିଲା
କିଂବଦନ୍ତୀ ଅନୁଯାୟୀ ଏହି ବଳିଭୋଗ ମା’ଙ୍କ ବାହନ ଆସି ଯାଇଥାନ୍ତି। ପୂଜକ କାଷ୍ଠା ଉପବାସ ରହି ନିଶାପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଆଷାଢ଼ି ପୂଜା ପାଇଁ ମନ୍ଦିର ବେଢା ପରିସରକୁ ରଙ୍ଗ ବେରଙ୍ଗ ଆଲୋକରେ ସୁସଜ୍ଜିତ କରାଯାଇଥିଲା। ଆଷାଢ଼ି ପୂଜା ସହ ଆଜି ସନ୍ଧ୍ୟାରେ ମନ୍ଦିର ବେଢା ଭିତରେ ଚଣ୍ତିପୂଜା କରାଯାଇଥାଏ। ପଣ୍ତିତ ନିରାକାର ଦାଶ ଚଣ୍ତିପୂଜା କରିଥିବା ବେଳେ ମା’ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ବଳଭଦ୍ର ନନ୍ଦ ଓ ତାଙ୍କ ସହଧର୍ମିଣୀ ସଂକଳ୍ପ ପୂଜା କରିଥିଲେ। ଶୃଙ୍ଖଳା ଦର୍ଶନ ପାଇଁ ଆଜି ୪୦ ରୁ ଅଧିକ ପୁଲିସ ନିୟୋଜିତ କରାଯାଇଥିଲା। ଘଟଗାଁ ପୁଲିସ ଉପଖଣ୍ତ ଅଧିକାରୀ ଅସିତ୍ କୁମାର ମହାନ୍ତି, ଥାନା ଅଧିକାରୀ ପ୍ରତିଭା ମଂଜରୀ ସାହୁ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଟ୍ରଷ୍ଟବୋର୍ଡ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ପ୍ରମୋଦ କୁମାର ଦେହୁରୀ, ରୁଦ୍ର ନାରାୟଣ ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ବଳଭଦ୍ର ନନ୍ଦ ଓ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।