ମହାପ୍ରଭୁଙ୍କୁ କୋଠାବାଡ଼ି ଦାନ କରିବେ ଆସାମ ମହିଳା

ବନ ବିଭାଗରେ ଚାକିରି କରୁଥିଲେ, ଦେଢ଼ ବର୍ଷ ହେଲା ଶ୍ରୀକ୍ଷେତ୍ରରେ ରହୁଛନ୍ତି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଦେଶବିଦେଶର କୋଟି କୋଟି ଭକ୍ତଙ୍କ ଅଗାଧ ବିଶ୍ବାସ ରହିଛି। କିଏ ବିଶ୍ବାସର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଟଙ୍କା ତ’ କିଏ ଗହଣାଗାଣ୍ଠି ଦାନସୂତ୍ରରେ ଦେଇଥା’ନ୍ତି। କିନ୍ତୁ ଆସାମର ଜଣେ ମହିଳା ଭକ୍ତ ଆଜି ମହାପ୍ରଭୁଙ୍କୁ ନିଜସ୍ବ ଜମି ଓ କୋଠା ଆଦିକୁ ଦାନସୂତ୍ରରେ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯେଉଁ ସମୟରେ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଜମା ଟଙ୍କାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି, ସେହି ସମୟରେ ଏହି ମହିଳା ଭକ୍ତ ନିଜ ନାମରେ ଥିବା ଜମି, କୋଠା ଘର ମହାପ୍ରଭୁଙ୍କ ନାମରେ କରିଦେବାକୁ ମନ ବଳାଇବା ମହାପ୍ରଭୁଙ୍କ କୋଟି କୋଟି ଲୋକଙ୍କ ରହିଥିବା ଭକ୍ତିଭାବର ଉଦାହରଣ ପାଲଟିଛି।

ଏହି ମହିଳା ଭକ୍ତ ଜଣକ ହେଲେ ଆସାମ ତେଜପୁର ସୁନିତପୁର ଗାଁର ୬୨ ବର୍ଷୀୟା ରାମେଶ୍ବରୀ ଦେବୀ। ରାମେଶ୍ବରୀଙ୍କ ପରିବାର କହିଲେ ଦୁଇ ପୁଅ ଓ ଦୁଇ ଝିଅ। ବନ ବିଭାଗରେ ଚାକିରି କରୁଥିଲେ ରାମେଶ୍ବରୀ। ଏ ଭିତରେ ଝିଅ ଓ ପୁଅଙ୍କ ବିବାହ କରି ସାରିଛନ୍ତି। ପୁଅ ଓ ଝିଅ ବି ଭଲରେ ଅଛନ୍ତି। ନିଜର ଚାକିରିକୁ ସାନ ପୁଅକୁ ଦେଇ ଶେଷ ଜୀବନ ମହାପ୍ରଭୁଙ୍କ ପାଖରେ କାଟିବାକୁ ୨୦୧୧ ମସିହା ଫେବ୍ରୁଆରିରେ ଶ୍ରୀକ୍ଷେତ୍ର ଚାଲି ଆସିଲେ ରାମେଶ୍ୱରୀ। ପୁରୀ ଆସି ଆସାମ ପଣ୍ଡାଙ୍କ ସହଯୋଗରେ ନିଜ ସ୍ୱାମୀଙ୍କ ନାଁରେ ଥିବା ୩ କଠା ଜମି ଓ ତିନୋଟି ଘରକୁ ଦାନ କରିବାକୁ ମନ ବଳାଇଥିଲେ। କିନ୍ତୁ ସେ ସମୟରେ କେହି ତାଙ୍କ କଥାକୁ ଗ୍ରହଣ କରିନଥିଲେ।

ତେବେ ସେ ଆଜି ବ୍ୟକ୍ତିଗତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ପ୍ରଶାସକଙ୍କୁ ଭେଟି ଏହି ଦାନ ସମ୍ପତ୍ତି କିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁକୁ ଆସିବ, ତା’ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ନୀତି ପ୍ରଶାସକଙ୍କୁ ଜମି ପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଦେଇଛନ୍ତି। କିପରି ଏହି ଦାନ ଜାଗା ଓ ଘର ମହାପ୍ରଭୁଙ୍କ ନାଁ’ ରେ ହୋଇପାରିବ ସେ ସଂପର୍କରେ ପଚାରି ବୁଝିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଆସାମ ଯାଇ ଦାନ ଜମି ଓ ଘରର ସ୍ଥିତି ଯାଞ୍ଚ କରି ତୁରନ୍ତ ଏହାକୁ ଗ୍ରହଣ କରିବାକୁ ରାମେଶ୍ବରୀ ନିବେଦନ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ସହଜରେ ଗ୍ରହଣ କରିନି।

ଏ ସଂପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି, ମହିଳା ଜଣକ ଦାନସୂତ୍ରରେ ଦେଉଥିବା ଜମି, କୋଠା ଘର ବିବାଦୀୟ କି ନାହିଁ, ପ୍ରଥମେ ତାହାର ସ୍ଥିତି ଯାଞ୍ଚ ହେବ। କାଗଜପତ୍ର ଠିକ୍‌ ଅଛି କି ନାହିଁ, ସେ ଦିଗକୁ ବି ଅନୁଧ୍ୟାନ କରାଯିବ। ସବୁଦିଗକୁ ଅନୁଧ୍ୟାନ ପରେ ଯାଇ ଏହା ମହାପ୍ରଭୁଙ୍କ ନାଁ’କୁ ଆସିପାରିବ କି ନାହିଁ, ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ରାମେଶ୍ବରୀ ପୂର୍ବରୁ ପଶ୍ଚିମଦ୍ବାର ଆସାମ ଭବନରେ ରହୁଥିଲେ। କିନ୍ତୁ ୭୫ ମିଟର ଉଚ୍ଛେଦ କ୍ରମେ ଏହି କୋଠା ଭାଙ୍ଗିଯିବା ପରେ ଏବେ ସେ ବାଗେଡ଼ିଆ ଧର୍ମଶାଳାରେ ରହୁଛନ୍ତି।

ସମ୍ବନ୍ଧିତ ଖବର