‘ଅସାନି’ ବିପଦ ଟଳିଲା: ଶେଷ ମୁହୂର୍ତରେ ଦିଗ ବଦଳାଇଲା ବାତ୍ୟା

କାକିନାଡ଼ାରେ ସ୍ଥଳଭାଗ ପାଖରେ ମୋଡ଼ ନେବ, ଓଡ଼ିଶା ଉପକୂଳରୁ ବହୁ ଦୂରରେ ଚାଲିଯିବ

ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ‘ଅସାନି’କୁ ନେଇ ପାଣିପାଗ ବିଭାଗ ଯେତେ ସବୁ ଆକଳନ କରିଥିଲା, ତାହା ଶେଷ ମୁହୂର୍ତରେ ବଦଳିଗଲା। ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ। ଫଳରେ ଓଡ଼ିଶା ପ୍ରତି ବିପଦ ଆପାତତଃ ଟଳିଯାଇଛି ଓ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଚେହେରା ନେଇ ବାତ୍ୟା ଆଗକୁ ବଢ଼ିବ। ରିପୋର୍ଟ ଲେଖା ହେବା ବେଳକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ତଥ୍ୟ ଦେଇଛି ତାହା ହେଲା, ଭୀଷଣ ବାତ୍ୟା ରୂପ ନେଇ ‘ଅସାନି’ ପୁରୀ ଠାରୁ ୫୩୦ କିଲୋମିଟର ଓ ଗୋପାଳପୁର ଠାରୁ ୬୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଏବଂ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଦୁର୍ବଳ ହୋଇ ବାତ୍ୟା ରୂପ ନେଇସାରିଥିବ। ଏହା ଯେବେ ଭାଇଜାକ୍ ପାଖରେ ଥିବ, ସେବେ କୋରାପୁଟ ଠାରୁ ୧୬୯ କିଲୋମିଟର ଦୂରରେ ରହିଥିବ। ଏବଂ ଗୋପାଳପୁର ଠାରୁ ୧୮୩ କିଲୋମିଟର ଦୂରରେ ଦୁର୍ବଳ ଅବସ୍ଥାରେ ଆଗକୁ ବଢ଼ିବ। ଅବଶିଷ୍ଟ ଉପକୂଳ ଅଞ୍ଚଳ ପାଇଁ ବିଶେଷ ପ୍ରଭାବ ନାହିଁ, କାରଣ ଏହା ସମୁଦ୍ରର ବହୁ ଦୂରରେ ଯିବ। ଏତେ ବର୍ଷା ବି ହୋଇନପାରେ। ତେବେ ସମୁଦ୍ର ଭୀଷଣ ଅଶାନ୍ତ ରହିବ।

ଦୁର୍ବଳ ହେଲାଣି; ଆଜିଠୁ ପ୍ରଭାବ କମିବ
ଗୋପାଳପୁରରୁ ୧୮୩ କିମି ଦୂରରେ ଯିବ

ଆଇଏମ୍‌ଡି ପୂର୍ବରୁ କହୁଥିଲା ଯେ ‘ଅସାନି’ ଆନ୍ଧ୍ର ଉପକୂଳମୁହାଁ ହେବା ପରେ ଦିଗ ପରିବର୍ତ୍ତନ କରି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବେ ସମୁଦ୍ର ମଧ୍ୟରେ
ଗତି କରିବ। ଅର୍ଥାତ୍ ବାତ୍ୟା କେଉଁଠି ବି ସ୍ଥଳଭାଗ ଛୁଇଁବ ନାହିଁ ବୋଲି କୁହାଯାଇଥିଲା। ଯେହେତୁ ଉପକୂଳର ୮୦ରୁ ୨୦୦ କିଲୋମିଟର ଦୂରରେ ଯିବ, ଏଣୁ ୫୦ କିଲୋମିଟର ପାଖାପାଖି ପବନ ଓ ୭ରୁ ୧୧ ସେମି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଆଜିର ପୂର୍ବାନୁମାନ ଅନୁଯାୟୀ, ଏହା ଓଡ଼ିଶା ଉପକୂଳଠାରୁ ବହୁ ଦୂରରେ ସମୁଦ୍ର ଭିତରେ ଗତି କରିବ। ପାଣିପାଗ ବିଭାଗର ଏହି ନୂଆ ଆକଳନ ସତ୍ତ୍ବେ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଜି ଓଡ୍ରାଫ୍‌ର ୧୨ଟି ଟିମ୍‌କୁ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍‌କୁ ମଧ୍ୟ ମାଲକାନଗିରି, କୋରାପୁଟ, ଗଜପତି ସମେତ ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି। ଆଜି ଏହି ଟିମ୍‌ଗୁଡ଼ିକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆର୍‌ସି) ପ୍ରଦୀପ ଜେନା ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ‘ଅସାନି’ ଆଜି ଆନ୍ଧ୍ରପ୍ରଦେଶମୁହାଁ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା କାକିନାଡ଼ା ପାଖରେ ସ୍ଥଳଭାଗ ପାଖାପାଖି ଯାଏ ଯିବ। ସେତେ‌ବେଳକୁ ଏହା ଭୀ‌ଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାର ରୂପ ନେଇ ସାରିଥିବ। କାକିନାଡ଼ାଠାରେ ପବନର ବେଗ ୭୦ରୁ ୮୦ କିମି ରହିବ‌। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରେ ସେଠାରୁ ‘ଅସାନି’ ଦିଗ ବଦଳାଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାମୁହାଁ ହେବ। କିନ୍ତୁ ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ ଓ ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ।
ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୋରାପୁଟ, ରାୟଗଡ଼ା, ଖୋର୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍‌ଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅପରପକ୍ଷେ ଗଜପତି, ଗଞ୍ଜାମ, ପୁରୀରେ ଆସନ୍ତାକାଲି ୭୦ରୁ ୨୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଆସନ୍ତା ୧୨ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମ୍‌ଡି ପକ୍ଷରୁ ସତର୍କ କରାଯାଇଛି।

ଅପରପକ୍ଷେ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ଓ ପ୍ରଶାସନକୁ ଅସୁବିଧାରେ ପକାଇବ‌ା ଘଟଣାକୁ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା କ୍ଷୋଭ ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀମାନେ ସରକାରଙ୍କ ନିର୍ଦ୍ଦେଶ ନମାନି ସମୁଦ୍ରକୁ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଏସ୍‌ଆର୍‌ସି ଶ୍ରୀ ଜେନା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର