ଭୁବନେଶ୍ବର/ନୂଆଦିଲ୍ଲୀ : କରୋନା ସମୟରେ ଦେଶରେ ଥିବା ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟରେ ପଞ୍ଜୀକୃତ ଥିବା ପୁଅଙ୍କ ଅନୁପାତ ୨୦୧୮(୬୧.୮%) ତୁଳନାରେ ୨୦୨୦(୬୬.୪%) ବଢ଼ିଛି। ସେହିପରି ଝିଅଙ୍କ ପଞ୍ଜୀକରଣ ଅନୁପାତ ଯଥାକ୍ରମେ ୭୦ରୁ ୭୩%କୁ ବୃଦ୍ଧି ପାଇଛି। ଯଦି ଓଡ଼ିଶା କଥା ବିଚାରକୁ ନିଆଯାଏ ତେବେ ଓଡ଼ିଶାର ସମସ୍ତ ଶ୍ରେଣୀର ପୁଅ ଓ ଝିଅଙ୍କ ପଞ୍ଜୀକରଣର ଅନୁପାତ ସରକାରୀ ବିଦ୍ୟାଳୟରେ କମିଛି ଏବଂ ବେସରକାରୀ ବିଦ୍ୟାଳୟରେ ବୃଦ୍ଧି ପାଇଛି। ସରକାରୀ ବିଦ୍ୟାଳୟରେ ପଞ୍ଜୀକୃତ ଥିବା ପୁଅଙ୍କ ଅନୁପାତ ୨୦୧୮ରେ ୮୬.୨%ରୁ କମି ୨୦୨୦ରେ ୮୦.୭% ହୋଇଛି। ଝିଅଙ୍କ ସରକାରୀ ବିଦ୍ୟାଳୟ ପଞ୍ଜୀକରଣର ଅନୁପାତ ୮୯.୭%ରୁ ୮୬.୭%କୁ ହ୍ରାସ ପାଇଥିବା ନେଇ ସ୍ବେଚ୍ଛାସେବୀ ସଙ୍ଗଠନ ‘ପ୍ରଥମ’ ଦ୍ବାରା ପ୍ରକାଶିତ ‘ଅସର-୨୦୨୦’ ରିପୋର୍ଟରେ ଦର୍ଶାଯାଇଛି।
କରୋନା ମହାମାରୀ ଯୋଗୁଁ ଅନେକ ପିଲା ନାମ ଲେଖାଇପାରି ନାହାନ୍ତି। ବିଶେଷକରି ଛୋଟ ପିଲାମାନେ ଏବେବି ବିଦ୍ୟାଳୟରେ ନାମ ଲେଖାଇବାକୁ ଅପେକ୍ଷା କରିଛନ୍ତି। ବିଦ୍ୟାଳୟ ଯାଉ ନ ଥିବା ପିଲାଙ୍କ ଅନୁପାତ ୨୦୧୮-୧୯ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ବଢ଼ିଛି। ୬ରୁ ୭ ବର୍ଷ ବୟସର ଅଧିକାଂଶ ପିଲାମାନେ ନାମ ଲେଖାଇପାରୁ ନାହାନ୍ତି। ଏହି ବୟସର ପିଲାମାନେ କେବେ ବି ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି। ଯେହେତୁ ବିଦ୍ୟାଳୟ ବନ୍ଦ ଅଛି, ପିଲାମାନେ ନିଜ ପାଠପଢ଼ା ପାଇଁ ମୁଖ୍ୟତଃ ଘରେ ଥିବା ବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥିବା ଜଣାପଡ଼ିଛି।
ଦେଶରେ ୬୦%ରୁ ଅଧିକ ପିଲାଙ୍କ ପରିବାରରେ ଅତି କମ୍ରେ ଗୋଟିଏ ସ୍ମାର୍ଟଫୋନ୍ ରହିଛି। ପିଲାଙ୍କ ଅଭିଭାବକଙ୍କ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଗତ ୨ ବର୍ଷରେ ୩୬.୫%ରୁ ୬୧.୮% କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ତ୍ରିପୁରାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ୩୦% ରୁ ଅଧିକ ବଢ଼ିଛି। ୨୦୧୮ରେ ଓଡ଼ିଶାର ୨୬.୧% ପିଲାଙ୍କ ଘରେ ସ୍ମାର୍ଟଫୋନ ଥିବାବେଳେ ୨୦୨୦ରେ ତାହା ୪୯.୩%କୁ ବଢ଼ିଛି। ଦେଶର ୮୦%ରୁ ଅଧିକ ପିଲାଙ୍କ ପାଖରେ ତାଙ୍କ ଶ୍ରେଣୀ ଅନୁସାରେ ବହି ରହିଛି। ଏହି ଅନୁପାତ ବେସରକାରୀ ବିଦ୍ୟାଳୟ(୭୨.୨%) ଅପେକ୍ଷା ସରକାରୀ ବିଦ୍ୟାଳୟ (୮୪.୧%)ର ପିଲାଙ୍କ ପାଇଁ ଅଧିକ ରହିଛି। ରାଜସ୍ଥାନରେ ୬୦.୪%, ତେଲେଙ୍ଗାନାରେ ୬୮.୧%, ଆନ୍ଧ୍ର ପ୍ରଦେଶରେ ୩୪.୬% ପିଲାଙ୍କ ପାଖରେ ପାଠବହି ଥିବାର ଅନୁପାତ ୭୦%ରୁ କମ୍ ରହିଛି। ଓଡ଼ିଶାରେ ୮୮.୬% ପିଲାଙ୍କ ପାଖରେ ତାଙ୍କ ଶ୍ରେଣୀ ଅନୁସାରେ ପାଠ ବହି ଅଛି।
କାରୋନା ସମୟରେ ଓଡ଼ିଶାର ବେଶି ଅନୁପାତର ପିଲା ପଢ଼ିବା ଲାଗି ଘରୋଇ ସାହାଯ୍ୟ ପାଉଛନ୍ତି। ଏହି ସଂଖ୍ୟା ପ୍ରାୟ ୭୨.୩% ହେବ। ପିଲାଙ୍କ ଶ୍ରେଣୀ ବଢ଼ିବା ଅନୁସାରେ, ପିତାମାତା ପିଲାଙ୍କୁ ବେଶି ସାହାଯ୍ୟ କରିପାରୁ ନାହାନ୍ତି। ଯେଉଁ ପିଲା ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି, ତାଙ୍କର ୩୩% ମା’ ପାଠପଢ଼ାରେ ଯହାଯ୍ୟ କରିପାରୁଛନ୍ତି। ବଡ଼ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ସେମାନଙ୍କ ବଡ଼ ଭାଉ ଭଉଣୀ ବେଶି ସାହାଯ୍ୟ କରୁଛନ୍ତି। ବିଦ୍ୟାଳୟର ପ୍ରକାର ଯାହା ବି ହେଉ, ହ୍ବାଟ୍ସଆପ୍ ହିଁ ସବୁଠାରୁ ବେଶି ବ୍ୟବହୃତ ମାଧ୍ୟମ ପାଲଟିଛି। ଦେଶରେ ସରକାରୀ ବିଦ୍ୟାଳୟର ୬୭.୩% ଏବଂ ବେସରକାରୀ ବିଦ୍ୟାଳୟରେ ୮୭.୨% ପିଲା ହ୍ବାଟସପ୍ରେ ପଢ଼ୁଛନ୍ତି। ଓଡ଼ିଶାରେ ମଧ୍ୟ ହ୍ବାଟସପ୍ ହିଁ ସବୁଠାରୁ ବେଶି ବ୍ୟବହୃତ ମାଧ୍ୟମ ପାଲଟିଛି। ଯାହାଦ୍ୱାରା ପାଠ ସାମଗ୍ରୀ ଓ ବିଭିନ୍ନ ବିଷୟ ପଠାଯାଉଛି। ଓଡ଼ିଶାରେ ୧୫.୯% ସରକାରୀ ବିଦ୍ୟାଳୟ ପିଲା ଭିଡିଓ ଓ ରେକର୍ଡ କ୍ଲାସ୍ ଦେଖିଥିବା ବେଳେ ବେସରକାରୀ ବିଦ୍ୟାଳୟର ୩୦.୩% ପିଲା ଏହା ଦେଖିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Schools-l.jpg)