ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୬୦% ବିଦ୍ୟାର୍ଥୀ ଦ୍ବିତୀୟ ଶ୍ରେଣୀ ପାଠ ପଢ଼ି ପାରୁନାହାନ୍ତି। ଅର୍ଥାତ୍ ମାତ୍ର ୪୦% ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିପାରୁଛନ୍ତି। ଜାତୀୟ ସ୍ତରରେ ସ୍ଥିତି ଆହୁରି ଖରାପ। ୭୨.୯% ପିଲା ମୌଳିକ ପଠନ ଓ ଗଣିତ ବିଷୟରେ ବହୁତ ଦୁର୍ବଳ ଅଛନ୍ତି। ତୃତୀୟ ଶ୍ରେଣୀର ୬୨.୩% ବିଦ୍ୟାର୍ଥୀ ଅତି କମ୍ରେ ଫେଡ଼ାଣ କରିପାରୁ ନାହାନ୍ତି। ପଞ୍ଚମ ଶ୍ରେଣୀ ପିଲାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ୨୦୨୨ ତୁଳନାରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ ୪୨.୮% ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିପାରୁ ନାହାନ୍ତି। ୨୦୨୨ରେ ପଞ୍ଚମ ଶ୍ରେଣୀର ୫୦.୪% ପିଲା ଦ୍ବିତୀୟ ଶ୍ରେଣୀ ପାଠ ପଢ଼ିପାରୁଥିଲେ, ଯାହାକି ୨୦୨୪ରେ ୫୭.୨%ରେ ପହଞ୍ଚିଛି। ପଞ୍ଚମ ଶ୍ରେଣୀର ୫୭.୨% ପିଲା ଅତି କମ୍ରେ ହରଣ କରିପାରୁଛନ୍ତି। ପ୍ରଥମ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ଆଜି ନୂଆଦିଲ୍ଲୀରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ତରର ଫଳାଫଳ(ଅସର)-୨୦୨୪ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ତେବେ ପିଲାଙ୍କୁ ସ୍କୁଲ ପଠାଇବା ଦିଗରେ ଅଭିଭାବକ ଅଧିକ ସଚେତନ ହୋଇଛନ୍ତି। ପ୍ରାକ୍-ବିଦ୍ୟାଳୟରେ ପିଲାଙ୍କ ନାମଲେଖା ତଥା ୬ ବର୍ଷ ବୟସରୁ କମ୍ ବୟସର ପିଲା ସବୁବର୍ଷ ପରି ଏଥର ଆଗରେ ରହିଛନ୍ତି। ଏହି ବୟସର ପିଲାଙ୍କ ଅଙ୍ଗନବାଡ଼ିରେ ନାମଲେଖା ଅଧିକ ରହିଛି। ୩ ବର୍ଷ ବୟସର ୯୪% ଓ ୪ ବର୍ଷ ବୟସର ୯୦% ପିଲା ଅଙ୍ଗନବାଡ଼ିରେ ପଢ଼ୁଛନ୍ତି। ଜାତୀୟ ହାର ୬୬.୮% ତୁଳନାରେ ଓଡ଼ିଶାରେ ପ୍ରାକ୍-ବିଦ୍ୟାଳୟ ହାର ୮୮% ରହିଛି। ସେହିପରି ୬ରୁ ୧୪ ବର୍ଷ ବୟସର ୯୮.୯% ପିଲା ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠି ସରକାରୀ ବିଦ୍ୟାଳୟରେ ଅଧିକ ପିଲା ରହିଛନ୍ତି। ଜାତୀ ୟହାର ୬୬.୮% ଥିବା ବେଳେ ଓଡ଼ିଶାରେ ୮୮% ରହିଛି।
ଡ୍ରପ୍ଆଉଟ୍ ହାର କମୁଛି
ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଛି
ଆଶ୍ବସ୍ତିର ବିଷୟ ହେଉଛି ଯେ ବିଦ୍ୟାଳୟ ବାହାରେ ଥିବା ୧୫ ଓ ୧୬ ବର୍ଷ ବୟସର ପୁଅ/ଝିଅଙ୍କ ଅନୁପାତ ହ୍ରାସ ପାଇଛି। ପୁଅଙ୍କ ଅନୁପାତ ୭.୨% ଓ ଝିଅଙ୍କ ଅନୁପାତ ୫.୯% ରହିଛି। ୧୪ରୁ ୧୬ ବର୍ଷ ବୟସର ୮୩.୨% ପିଲାଙ୍କ ଘରେ ସ୍ମାର୍ଟଫୋନ୍ ଉପଲବ୍ଧ ରହିଛି। ସେଥିମଧ୍ୟରୁ ୮୦.୯% ପିଲା ସ୍ମାର୍ଟଫୋନ୍ ବ୍ୟବହାର ଜାଣିଛନ୍ତି। ଏହି ବୟସର ୬୧.୭% ପିଲା ଶିକ୍ଷା ବିଷୟରେ ଜାଣିବାକୁ ଏବଂ ୭୭.୬% ପିଲା ସୋସିଆଲ ମିଡିଆ ପାଇଁ ବ୍ୟବହାର କରୁଛନ୍ତି। ୭୫% ପିଲା ସ୍ମାର୍ଟଫୋନ୍ରେ ଆଲାର୍ମ ଦେଇପାରୁଥିବା ବେଳେ ୭୧.୪% ପିଲା ସୂଚନା ପାଇବାକୁ ବ୍ରାଉଜ୍ କରିପାରୁଛନ୍ତି। ସର୍ଭେ ସମୟରେ ଦେଖିବାକୁ ମିଳିଛି ଯେ ବିଦ୍ୟାଳୟରେ ବିଜୁଳି ଓ ପିଇବା ପାଣି ଉପଲବ୍ଧତା ଓଡ଼ିଶାରେ ବଢ଼ିଚାଲିଛି। ୨୦୨୨ରେ ୯୩.୭% ବିଦ୍ୟାଳୟକୁ ବିଜୁଳି ସଂଯୋଗ ଥିବା ବେଳେ ୨୦୨୪ରେ ତାହା ୯୭.୭%ରେ ପହଞ୍ଚିଛି। ଅଳ୍ପ କିଛି ବିଦ୍ୟାଳୟକୁ ଛାଡ଼ି ହେଲେ ସବୁଠି ପିଇବା ପାଣି ଉପଲବ୍ଧ ରହିଛି। ଓଡ଼ିଶାରେ ୮୫.୮% ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପାଇଁ ତ୍ରୈମାସିକ ‘ବିଦ୍ୟାଳୟ ପ୍ରସ୍ତୁତି’ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି, ଯାହାକି ଜାତୀୟ ହାରଠାରୁ ବେଶି ରହିଛି। ସର୍ଭେ ସମୟରେ ୩ରୁ ୧୬ ବର୍ଷ ବୟସର ପିଲାଙ୍କ ବିଦ୍ୟାଳୟର ସ୍ଥିତି, ୫ରୁ ୧୬ ବର୍ଷ ବୟସ ପିଲାଙ୍କ ମୌଳିକ ଭାଷା ଓ ଗଣିତ ଆକଳନକୁ ଲିପିବଦ୍ଧ କରାଯାଇଛି। ୧୪ରୁ ୧୬ ବର୍ଷ ବୟସ ପିଲାଙ୍କ ଡିଜିଟାଲ୍ ସାକ୍ଷରତା ବିଷୟରେ ପ୍ରଶ୍ନ ପଚରାଯିବା ସହ କିଛି କାର୍ଯ୍ୟକଳାପ କରିବାକୁ ଦିଆଯାଇଥିଲା। ଦେଶର ୬୦୫ ଜିଲ୍ଲାର ୧୯ ହଜାର ୬୦ ଗ୍ରାମର ୩ ଲକ୍ଷ ୫୨ ହଜାର ୨୮ ଘରେ ଥିବା ୬ଲକ୍ଷ ୪୯ହଜାର ୪୯୧ ପିଲାଙ୍କ ସର୍ଭେ ହୋଇଥିଲା। ଯେଉଁଥିରେ ଓଡ଼ିଶାର ୩୦ ଜିଲ୍ଲାର ୯୦୦ ଗ୍ରାମର ୧୭ହଜାର ୬୪୭ ପିଲାଙ୍କ ସର୍ଭେ ହୋଇଥିଲା।