ଅସରଳା ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ପୁଲିସର ଅସହଯୋଗ, ଅଭିଯୋଗକାରୀଙ୍କ ଆତ୍ମାହୁତି ଧମକ

ଖୋର୍ଦ୍ଧା: ପ୍ରାୟ ୪୦-୫୦ ଦିନ ପୂର୍ବେ ବୋଲଗଡ଼ ଥାନା ଅସରଳା ଗାଁରେ ଏକ ଟ୍ରାକ୍ଟର ଋଣ ନେଇ ଖିଲାପ କରିଥିବା ଘଟଣାରେ ଉକ୍ତ ଟ୍ରାକ୍ଟର ଜବତ କରିବାକୁ ଯାଇଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଅଧିକାରୀଙ୍କୁ ପୁଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତତ୍କାଳୀନ ଥାନା ଅଧିକାରୀ ଏହି ମାମଲାରେ ଅସହଯୋଗ କରୁଥିବା, ଲାଂଚ ମାଗୁଥିବା ନେଇ ଅଭିଯୋଗ କରି ଉକ୍ତ ମହିଳା ଅଧିକାରୀ ଆତ୍ମାହୁତିର ଧମକ ଦେଇଛନ୍ତି ।

ଆଜି ଆକ୍ରମଣର ଶିକାର ହୋଇଥିବା ତଥା ଫାଇନାନ୍ସ କମ୍ପାନୀର ଅଧିକାରୀ ତପସ୍ୱିନୀ ଦାଶ ପୂର୍ବାହ୍ଣରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ଥିବାରୁ ସେ ଫେରିଯାଇଥିଲେ । ଏନେଇ ଅଭିଯୋଗକାରିଣୀ ତପସ୍ୱିନୀ ଗଣମାଧ୍ୟମକୁ କହିଛନ୍ତି ଯେ ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ଅସରଳା ଗାଁର ରୋଜାଲିନ ପରିଡ଼ା ଏକ ଟ୍ରାକ୍ଟର ଋଣ କରି ନେଇଥିଲେ । ସେ ଅନେକ ଦିନ ଋଣର କିସ୍ତି ନଶୁଝିବା, ଋଣ ଆଦାୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ଅସହଯୋଗ କରିଥିବାରୁ ଜୁଲାଇ ୩୦ ତାରିଖରେ ବୋଲଗଡ଼ ଥାନା ପୁଲିସଙ୍କ ସହ ସେ ସେଠାକୁ ଯାଇଥିଲେ । ତେବେ ତାଙ୍କୁ ପୁଲିସ ଉପସ୍ଥିତିରେ ରୋଜାଲିନ, ରୋଜାଲିନଙ୍କ ସ୍ୱାମୀ କାଳିଆ ଭଂଜ ଓ କାଳିଆଙ୍କ ବାପା ପବିତ୍ର ଭଂଜ କୁରାଢ଼ୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ ।

ଏନେଇ ତପସ୍ୱିନୀଙ୍କ ଭାଇ ବାଙ୍କୋଇ ଫାଣ୍ଡି ଓ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନାହିଁ । ଏନେଇ ସେ ଅଗଷ୍ଟ ୬ ତାରିଖରେ ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ବୋଲଗଡ଼ ଥାନା ଅଧିକାରୀ ୧୦ ହଜାର ଟଙ୍କା ଲାଂଚ ମାଗୁଥିବା ଓ ଅଭିଯୁକ୍ତଙ୍କ ସପକ୍ଷରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହାସତ୍ୱେ ମଧ୍ୟ ତାଙ୍କୁ ନ୍ୟାୟ ମଳିନଥିବାରୁ ଆଜି ସେ ପୁଣି ଥରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।

ଯଦି ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରେ ଓ ତାଙ୍କୁ ନ୍ୟାୟ ନମିଳେ ତେବେ ସେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ତପସ୍ମିନୀ କହିଛନ୍ତି । ଏହି ମାମଲାରେ ବୋଲଗଡ଼ ଥାନା ଅଧିକାରୀ କିମ୍ବା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର