ଆସିଆନ୍-ଓଡ଼ିଶା ସମ୍ପର୍କ ଦୃଢ଼ ହେବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆସିଆନ୍ ରାଷ୍ଟ୍ରଦୂତ, ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ଆମନ୍ତ୍ରଣ

ଭୁବନେଶ୍ବର : ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସଂଘ (ଆସିଆନ୍) ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆହ୍ବାନ ଦେଇଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଆସିଆନ୍‌ର ହେଡ୍‌ସ ଅଫ୍ ମିସନ୍ସ ବା ରାଷ୍ଟ୍ରଦୂତମାନଙ୍କ ସହ ଲୋକସେବା ଭବନରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିବା ଲାଗି ମଧ୍ୟ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। କନ୍‌କ୍ଲେଭ୍‌ରେ କଣ୍ଟ୍ରି ଡେସ୍କ ସ୍ଥାପନ କରିବାକୁ ସେମାନଙ୍କୁ କହିଛନ୍ତି।

ରୟାଲ ଥାଇ ଦୂତାବାସର ରାଷ୍ଟ୍ରଦୂତ ପଟ୍ଟାରାଟ ହଙ୍ଗଟଙ୍ଗଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଓଡ଼ିଶା ଆସିଛି। ଶ୍ରୀ ହଙ୍ଗଟଙ୍ଗ କହିଛନ୍ତି ଯେ ଓଡ଼ିଶା ଏବଂ ଆସିଆନ୍ ମଧ୍ୟରେ ସମ୍ପର୍କ ୨୫୦୦ ବର୍ଷରୁ ଅଧିକ ପୁରୁଣା। ଖାଦ୍ୟ ପ୍ରକ୍ରିୟାକରଣ, ଆତିଥେୟତା, ସେବା, ସାଂସ୍କୃତିକ ବିନିୟମ କାର୍ଯ୍ୟକ୍ରମ ଏବଂ ମେଡିକାଲ୍ ପର୍ଯ୍ୟଟନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାର ବ୍ୟାପକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଆସିଆନ ରାଷ୍ଟ୍ରଦୂତଙ୍କ ଏହି ଦଳ ଚଳିତ ମାସ ୨୬ରେ ଓଡ଼ିଶା ଆସିଥିଲେ। ଆଜି ଗସ୍ତର ଶେଷ ଦିନରେ ଏକ ବ୍ୟବସାୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା, ମୁଖ୍ୟମନ୍ତ୍ରୀ (୫-ଟି) ସଚିବ ଭି କେ ପାଣ୍ଡିଆନ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ରାଜ୍ୟର ପ୍ରମୁଖ ଶିଳ୍ପ ସଂଘର ପ୍ରତିନିଧିମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର