ଭୁବନେଶ୍ବର: ଏକ ବିଂଶ ଶତାବ୍ଦୀରେ ମଣିଷର କୁଶଳତା ଓ କ୍ଷମତାକୁ ମଣିଷ ଦ୍ବାରା ପ୍ରସ୍ତୁତ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ନିୟନ୍ତ୍ରଣ କରିବାକୁ ଯାଉଛି। ଆଗାମୀ ଦଶନ୍ଧୀ ଭାରତର ହେବ । ଜ୍ଞାନ, କ୍ଷମତା ଆଦିରେ ବିଶ୍ବଗୁରୁ ହେବ ବୋଲି ଯୋଜନା ଚାଲିଛି। ଇଂରାଜୀ ଶାସନ ସମୟରେ ରଚିତ ମଧୁବର୍ଣ୍ଣବୋଧର ‘ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି’ ରୁଢ଼ି ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି ବୋଲି ନିକଟରେ ଦେଶର ୧୪ରୁ ୧୮ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କୁ ନେଇ ୨୬ଟି ରାଜ୍ୟର ୨୮ଟି ଜିଲ୍ଲାରେ କରାଯାଇଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର୍) ସର୍ଭେରେ ପ୍ରମାଣିତ ହୋଇଛି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସରକାରୀ ଚାକିରି ମଧ୍ୟରେ ପୁଲିସ ଓ ଶିକ୍ଷକତା ହିଁ ପ୍ରମୁଖ ଆକର୍ଷଣ ରହିଥିବା ବେଳେ ଦେଶର କିଶୋରକିଶୋରୀଙ୍କ ମଧ୍ୟରେ ବୃତ୍ତିଗତ ଲକ୍ଷ୍ୟ ତାଲିକାରେ ସେନା ଯବାନ ଓ ଶିକ୍ଷକ ଚାକିରି ହିଁ ପ୍ରମୁଖ ରହିଛି। ଓଡ଼ିଶାର ସମ୍ବଲପୁର ଜିଲ୍ଲାକୁ ନମୁନା ଜିଲ୍ଲା ଭାବେ ନିଆଯାଇ ସର୍ବେକ୍ଷଣରେ ସାମିଲ କରାଯାଇଥିଲା। ସର୍ବେକ୍ଷଣରେ ଯୋଡ଼ି ହୋଇଥିବା ନବମରୁ ଦ୍ବାଦଶ ଶ୍ରେଣୀର କିଶୋରଙ୍କ ମଧ୍ୟରୁ ୪.୬ ପ୍ରତିଶତ ଯେ କୌଣସି ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨.୧ ପ୍ରତିଶତ ଘରୋଇ କମ୍ପାନିରେ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ୨୭.୧ ପ୍ରତିଶତ କିଶୋର କିଶୋରୀ ଭବିଷ୍ୟତରେ କ’ଣ ହେବେ ସେନେଇ ସନ୍ଦିହାନ ଥିବା ବେଳେ ୩.୧ ପ୍ରତିଶତ କୃଷି, ୧.୯ ପ୍ରତିଶତ ଖେଳାଳୀ ଓ ୧.୭ ପ୍ରତିଶତ ପାରିବାରିକ ବ୍ୟବସାୟ କିମ୍ବା ବୃତ୍ତି ଅନୁସରଣ କରିବେ ବୋଲି କହିଛନ୍ତି। ଯେତିକି ପ୍ରତିଶତ କିଶୋର ସରକାରୀ ଚାକିରି କରିବେ ବୋଲି କହିଛନ୍ତି ସେମାନଙ୍କ ମଧ୍ୟରେ ୧୬.୮ ପ୍ରତିଶତ ପୁଲିସ ଚାକିରିକୁ ନିଜର ପ୍ରଥମ ପସନ୍ଦ କହିଛନ୍ତି। ଏହା ପଛକୁ ଇଂଜିନିୟର ୧୨.୭ ପ୍ରତିଶତ, ସେନା ଯବାନ ୧୧.୩ ପ୍ରତିଶତ, ଶିକ୍ଷକତା ୮ ପ୍ରତିଶତ, ଡାକ୍ତର ୪ ପ୍ରତିଶତ ରହିଥିବା ବେଳେ ଆଏଏସ୍ ଓ ଆଇପିଏସ୍ ଭଳି ଲାଭପ୍ରଦ ଚାକିରି ସର୍ବନିମ୍ନ ପସନ୍ଦରେ ରହିଛି। ଭବିଷ୍ୟତ ଜୀବନରେ ୦.୦୮ ପ୍ରତିଶତ କିଶୋର ଆଇଏଏସ୍ ହେବେ ବୋଲି କହିଥିବା ବେଳେ ୦.୦୩ ପ୍ରତିଶତ ଆଇପିଏସ୍ ହେବି ବୋଲି ମତ ଦେଇଛନ୍ତି।
ସେହିଭଳି ପାଠ ପଢ଼ୁଥିବା କିଶୋରୀଙ୍କ ମଧ୍ୟରେ ୨୯.୪ ପ୍ରତିଶତ ନିଜର ଭବିଷ୍ୟତର ବୃତ୍ତି ସମ୍ପକର୍ରେ ଅଜ୍ଞ ଅଛନ୍ତି। ୧.୮ ପ୍ରତିଶତ ଭବିଷ୍ୟତ ଜୀବନରେ ଘରକାମ କରିବେ ବୋଲି କହିଥିବା ବେଳେ ୨.୮ ପ୍ରତିଶତ କୌଣସି ସରକାରୀ ଚାକିରି, ୦.୬ ପ୍ରତିଶତ ଘରୋଇ ଚାକିରି, ୦.୪ ପ୍ରତିଶତ ଖେଳାଳୀ, ୧.୧ ପ୍ରତିଶତ କୃଷକ ଓ କୃଷି ସମ୍ପର୍କିତ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଯେତିକି ପ୍ରତିଶତ କିଶୋରୀ ସରକାରୀ ଚାକିରି ଜୀବନର ଲକ୍ଷ୍ୟ ବୋଲି କହିଛନ୍ତି ସେମାନଙ୍କ ମଧ୍ୟରେ ସର୍ବାଧିକ ୨୩.୫ ପ୍ରତିଶତ ଶିକ୍ଷୟିତ୍ରୀ, ୧୨.୭ ପ୍ରତିଶତ ନର୍ସ, ୧୧.୪ ପ୍ରତିଶତ ପୁଲିସ, ୭.୨ ପ୍ରତିଶତ ଡାକ୍ତର, ୩.୫ ପ୍ରତିଶତ ସେନା ଯବାନ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ୧ ପ୍ରତିଶତ ଆଇଏଏସ୍, ୦.୯ ପ୍ରତିଶତ ଆଇପିଏସ୍ ଓ ୦.୭ ପ୍ରତିଶତ ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି।
ଦେଶରେ ଶିକ୍ଷାର ସ୍ଥିତି କିଭଳି ରହିଛି ସେନେଇ ନୂଆଦିଲ୍ଲୀର ପ୍ରଥମ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ପ୍ରକାଶ ପାଇଥାଏ। ଜାନୁଆରୀ ୧୭ରେ ପ୍ରକାଶିତ ୨୦୨୩ର ଏହି ରିପୋର୍ଟରେ ଦେଶର ଶିକ୍ଷା ସ୍ଥିତି ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।