କୋଭିଡ୍‌ ପାଇଁ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ

ସଂଧ୍ୟା ୬ଟା ପରେ ଅଣଭୋଟର ନିର୍ବାଚନ ମଣ୍ଡଳୀରେ ରହିପାରିବେନି

ଭୁବନେଶ୍ୱର: ଦିନକ ପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗ୍ରହଣ କରାଯିବ। କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ ହେଉଥିବାରୁ ଏଥର ନିର୍ବାଚନ କମିସନଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ମତଦାନ କେନ୍ଦ୍ର ବାହାରେ ଜଣେ ଆଶା କର୍ମୀ ଓ ଅନ୍ୟ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏମାନେ ମତଦାନ କେନ୍ଦ୍ର ବାହାରେ ରହିବେ। ଏହି ୨ ଜଣ ମତଦାତାଙ୍କର ତାପମାତ୍ରା ମାପିବେ । ଏତଦ୍‌ ବ୍ୟତୀତ ଗାଇଡକରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେବେ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଗ୍ରହଣ ସମୟରେ ପୋଲିଂ ଅଧିକାରୀଙ୍କ ସମେତ ୪ ଜଣ ପୋଲିଂ ବୁଥରେ ରହିବେ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ, ନଭେମ୍ବର ୩ ତାରିଖରେ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ ଆଜି ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ କରାଯିବ। ରାଜନୈତିକ ଦଳର ନେତାମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସନ୍ଧ୍ୟା ୬ଟା ପରେ ନିର୍ବାଚନ ପାଇଁ ସେମାନେ ଘରକୁ ଘର ପ୍ରଚାର ପାଇଁ ଯାଇପାରିବେ ନାହିଁ। କୌଣସି ରାଲି ଅଥବା ସାଧାରଣ ସଭାର ଆୟୋଜନ କରିପାରିବେ ନାହିଁ। ଏଥି ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ଲୋହାନୀ କହିଛନ୍ତି, ଆଜିଠାରୁ ସଂଧ୍ୟା ୬ଟା ପରେ ଅଣଭୋଟରମାନେ ନିର୍ବାଚନ ମଣ୍ଡଳୀରେ ରହିପାରିବେ ନାହିଁ। ଭୋଟର ହୋଇ ନଥିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ରହିପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛୁ ଯେ, ବାହାର ଲୋକ ଦେଖାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ। ରାସ୍ତାରେ ଯଦି ବାହାର ଲୋକ ଯାଉଛନ୍ତି, ସେମାନଙ୍କୁ ଯାଂଚ କରିବେ।

ନିୟମ ଉଲ୍ଲଂଘନ ନେଇ ୫୨ଟି ମାମଲା ରୁଜୁ ହୋଇଛି। ୧୧ ହଜାର ୨୦୫ ଲିଟର ମଦ ଜବତ ହୋଇଛି ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର