ଉଛୁଳା ନଦୀ ପାର ହୋଇ ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଆଶା ଦିଦି

କେନ୍ଦୁଝର: ମନ ଜିଣିଲେ ଆଶା ଦିଦି | ଉଛୁଳା ନଦୀ ପାର ହୋଇ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଏବେ ଆଶା ଦିଦି ସମସ୍ତଙ୍କ ମନ ଜିତିଯାଇଛନ୍ତି | କିଛି ଏଭଳି ଦୃଶ୍ୟ କେନ୍ଦୁଝର ତେଲକୋଇ ବ୍ଲକ କରଦାଙ୍ଗି ପଂଚାୟତ ସାପଲାଂଜି ଗ୍ରାମରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ହାଡ଼ି ମୁଣ୍ଡାଙ୍କ ଗର୍ଭବତୀ ପତ୍ନୀ ଚନ୍ଦ୍ରି ମୁଣ୍ଡାଙ୍କର ଆଜି ସକାଳୁ ଗର୍ଭ ଯନ୍ତ୍ରଣା ହୋଇଥିଲା | ଏ ନେଇ ଆଶା ଦିଦି ପୁଷ୍ପଲତା ପାତ୍ରଙ୍କୁ ଖବର ଦିଆଯାଇଥିଲା | ତେବେ ଗାଁ ପାଖ ଦେଇ ବହିଯାଉଥିଲା ସମକୋଈ ନଦୀ |

ଚନ୍ଦ୍ରିଙ୍କୁ ଡାକ୍ତରଖାନା ନ ନେଇ ଘରେ ପ୍ରସୂତି କରାଇବାକୁ ଉଚିତ ମଣି ନଥିଲେ ଆଶା ଦିଦି | ନଦୀ ପାର ହେବାକୁ ହୁଲି ଡଙ୍ଗାଟିଏ ସବୁବେଳେ ଗ୍ରାମବାସୀଙ୍କ ପାଇଁ ଭରସା ଥିବାବେଳେ ଗତକାଲି ପ୍ରବଳ ବର୍ଷାରେ ଡଙ୍ଗାଟି ଭାସିଯାଇଥିଲା | ତେଣୁ ନଦୀ ପାର କରିବାକୁ ଅନ୍ୟ କିଛି ବାଟ ନଥିବାରୁ ଆଶା ଦିଦି ନିଜର ସାହସିକତା ଦେଖାଇ ବେକେ ପାଣିରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହୋଇଥିଲେ |

ଅବଶ୍ୟ ନଦୀ ପାର କରିବାକୁ ଗର୍ଭବତୀ ମହିଳାଙ୍କ ପରିବାରର ଦୁଇ ସଦସ୍ୟ ସାହାଯ୍ୟ କରିଥିଲେ | ଏହାପରେ ନଦୀ ଆର ପଟରେ ଏକ ଅଟୋ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

ସମ୍ବନ୍ଧିତ ଖବର