ଖୋର୍ଦ୍ଧା : ଔଷଧ ବାଣ୍ଟୁଥିବା ବେଳେ ଆଶାକର୍ମୀଙ୍କ ଦେହାନ୍ତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ଓରବରସିଂହ ପଞ୍ଚାୟତର ଆଶାକର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ(୩୬) ଗାଁରେ ଔଷଧ ବଣ୍ଟନ କରୁଥିବାବେଳେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ଣ୍ଣମାସୀଙ୍କ ସ୍ବାମୀ ବେଣୁଧର ଖୋର୍ଦ୍ଧା ଟାଉନ୍‌ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପୂର୍ଣ୍ଣମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀ ଭାବେ କାମ କରୁଥିଲେ। ଆଜି ଦିନ ୧୦ଟାରେ ଦୁର୍ଗାପୁର ଗାଁରେ ଘରଘର ବୁଲି ସରକାରୀ ଔଷଧ ବିତରଣ କରିବା ସମୟରେ ହଠାତ୍ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ଅଚେତ ଅବସ୍ଥାରେ ଗାଁଲୋକ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍‌ପିଟାଲ୍ ସୂତ୍ରରୁ ମିଳିଥିବା ସୂଚନାରେ ପୂର୍ଣ୍ଣମାସୀଙ୍କ ରାପିଡ୍ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିଛି। ସ୍ବାସ୍ଥ୍ୟ ପରୀକ୍ଷାରୁ ପୂର୍ଣ୍ଣମାସୀଙ୍କ ହୃଦ୍‌ଘାତରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର