୨୨ ଦଫା ଦାବି ନେଇ ଆଶା କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ବର: ୨୨ ଦଫା ଦାବି ନେଇ ଆଜି ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ରାଜ୍ୟ ସଭାପତି ଲୋଭାକାନ୍ତ ସ୍ବାଇଁଙ୍କ ନେତୃତ୍ବରେ ଆଶା କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘର ଦାବି ମଧ୍ୟରେ ରହିଛି, ଆଶା କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ସର୍ବନିମ୍ନ ୨୧ହଜାର ଟଙ୍କା ଦରମା, ଅବସର ପରେ ପ୍ରତ୍ୟେକ ଆଶା କର୍ମୀଙ୍କୁ ୬ହଜାର ଟଙ୍କାର ମାସିକ ପେନସନ, ଅବସର ସମୟକୁ ୬୦ବର୍ଷ ପରିବର୍ତେ ୬୨ବର୍ଷକୁ ବୃଦ୍ଧି, ମୃତ୍ୟୁକାଳୀନ/ଅବସରକାଳୀନ ସହାୟତା ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଉ। ଗତ ଜୁଲାଇ ମାସରେ ରାଜ୍ୟ ସରକାର ମାସିକ ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ବୃଦ୍ଧି ଓ ସ୍ମାର୍ଟଫୋନ୍ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରାଯାଉ, ‌କେନ୍ଦ୍ର ସରକାର ଘୋଷଣା କରିଥିବା ମାସିକ ପ୍ରୋତ୍ସାହନ ୧ହଜାର ଟଙ୍କା ତୁରନ୍ତ ପ୍ରଦାନ କରିବା, ଏନ୍‌ଏଚ୍‌ଏମ୍‌କୁ ଅଧିକ ଅନୁଦାନ ସହ ସ୍ଥାୟୀ କରିବା, ଆଶା କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ଇପିଏଫ୍‌ ଓ ଇଏସ୍‌ଆଇ ଯୋଜନାରେ ସାମିଲ, ଜାତୀୟ କାର୍ଯ୍ୟକ୍ରମ ଓ ତାଲିମ୍ ସମୟରେ ଦୈନିକ ସର୍ବନିମ୍ନ ମଜୁରୀ ଲାଗୁ କରିବା, ଓଡ଼ିଆ ଭାଷାରେ ରେଜିଷ୍ଟର ଯୋଗାଇବା ଓ ଆଶା କର୍ମୀ କାମ କରୁଥିବା ରାଜସ୍ବ ଗ୍ରାମରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଭଳି ଦାବି ରହିଛି। ଏହି ଅବସରରେ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିକ୍ଷୋଭରେ ସିଆଇଟିୟୁର ରାଜ୍ୟ ସଂପାଦକ ବିଷ୍ଣୁ ମହାନ୍ତି, ସଭାପତି ଜନାର୍ଦ୍ଦନ ପତି, ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଧାରମଣ ଷଡ଼ଙ୍ଗୀ, ନଳିନୀ ସାହୁ, ଶକୁନ୍ତଳା ମହାକୁଡ଼, ପୁଷ୍ପା ଦାଶ, ଏଚ୍‌ଏନ୍‌ ଯାଦବ, ସୁରେଶ ସ୍ବାଇଁ, ନଳିନୀ ଦାସ, କବିତା ଦାସ, ସୁନିତା ସିଂ, ସନ୍ତୋଷ ଦାସ ଓ ଅନ୍ୟମାନେ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର