କୋଭିଡ୍ କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅଭିଜ୍ଞତା ବାଣ୍ଟିଲେ ଆଶାକର୍ମୀ ଯଶୋବନ୍ତୀ

କରୋନାକୁ ହରେଇବାକୁ ଜୀବନ ପ୍ରତି ଥିବା ବିପଦକୁ ଭୁଲିଯାଇଛୁ : ଯଶୋବନ୍ତୀ

ତୃଣମୂଳସ୍ତରରେ ଚାଲିଥିବା କରୋନା ଲଢ଼େଇର ଯୋଦ୍ଧା ଯଶୋବନ୍ତୀଙ୍କ ସହିତ ସିଧାସଳଖ କଥାହେଲେ ନବୀନ
ଶୁଣିଲେ ବିଧାୟକ

ବାରିପଦା/ବେତନଟୀ/ବୈଶିଙ୍ଗା : କରୋନାକୁ ନେଇ ଜୀବନ ପ୍ରତି ବିପଦ ରହିଛି। ମାତ୍ର କରୋନା ସହିତ ଚାଲିଥିବା ଲଢ଼େଇରେ ଏହି ମହାମାରୀକୁ ପରାସ୍ତ କରିବାକୁ ସେ ଦୃଢ଼ ପରିକର। ତେଣୁ ସେ ଏହି ବିପଦଜନକ କାର୍ଯ୍ୟକୁ ଜୀବନର ବ୍ରତ ଭାବେ ମାନିନେଇଛନ୍ତି। ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା କୋଭିଡ୍ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସିଧାସଳଖ କଥା ହୋଇ ଏପରି ମତବ୍ୟକ୍ତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍‌ରେ ନୂତନ ଭାବେ ସୃଷ୍ଟି ହୋଇଥିବା କେନ୍ଦୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଆଶାକର୍ମୀ ଯଶୋବନ୍ତି ନାଥ।

ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ବିରୋଧୀ ଦଳ ନେତା, ରାଜ୍ୟର ପ୍ରାୟ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଯଶୋବନ୍ତୀ ବର୍ଣ୍ଣନା କରିଥିଲେ ତୃଣମୂଳସ୍ତରରେ ଚାଲିଥିବା କରୋନା ସହିତ ଲଢ଼େଇର ଅଭିଜ୍ଞତା। ତୃଣମୂଳ ସ୍ତରର ଅଧିକୃତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ହିସାବରେ ଜୀବନକୁ ବାଜି ଲଗାଇ ସେ ଓ ଅନ୍ୟ ଆଶାକର୍ମୀ ଭଉଣୀମାନେ ଏଥିରେ ନିୟୋଜିତ ଅଛନ୍ତି । ପ୍ରମୁଖ ଲକ୍ଷ୍ୟ ହେଉଛି ନିଜର ରାଜ୍ୟ ଓ ଦେଶକୁ କରୋନା ମୁକ୍ତ କରିବା। ପ୍ରତ୍ୟେକ ଦିନର କାର୍ଯ୍ୟାବଳୀ ବାବଦରେ ପ୍ରଶ୍ନର ଉତ୍ତର ଦେଇ ଯଶୋବନ୍ତୀ କହିଲେ ପ୍ରତ୍ୟେକ ଦିନ ଘର ଘର ବୁଲି କାହାରି ପାଖରେ କୋଭିଡ ଲକ୍ଷଣ ଥିଲେ ସେମାନଙ୍କୁ ଚିହ୍ନଟ କରାଯାଉଛି। ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ସ୍ୱାବ ସଂଗ୍ରହରେ ସହାୟତା କରୁଛନ୍ତି । ଯେଉଁମାନଙ୍କର ସ୍ୱାବ ପରୀକ୍ଷା ପଜିଟିଭ ଆସୁଛି ସେମାନଙ୍କ କୋଭିଡ ହସପିଟାଲ ସ୍ଥାନାନ୍ତର କରିବାରେ ସହାୟତା କରୁଛନ୍ତି । ଚିକିତ୍ସା ପରେ ସୁସ୍ଥ ହୋଇ ଆସିଲେ ସେମାନଙ୍କ ଘରକୁ ଯାଇ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାରେ ନିୟୋଜିତ ଥିବା ସେ ପ୍ରକାଶ କରିଥିଲେ। ଏହା ଛଡା କାହାରିକୁ ହୋମ୍ କ୍ୱାରାଣ୍ଟାଇନ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲେ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । କ୍ଷେତ୍ରରେ କାର୍ଯ୍ୟ କରୁ ଥିବା ବେଳେ ସମସ୍ୟା ବାବଦରେ ପ୍ରଶ୍ନରେ ଆଶାକର୍ମୀ ଯଶୋବନ୍ତୀ କହିଲେ ଯେତେବେଳେ ତଥ୍ୟ ପଚରା ଯାଉଛି ସେଗୁଡିକୁ ଲୋକମାନେ ଲୁଚାଉଛନ୍ତି । କାଶ, ଛିଙ୍କ, ଥଣ୍ଡା, ଛାତି ଦରଜ, ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଲକ୍ଷଣ ଥିଲେ ସ୍ୱାବ ପରୀକ୍ଷା ପାଇଁ ଯିବା କଥା କିନ୍ତୁ କିଛି ଲୋକ କୁଣ୍ଠାବୋଧ କରୁଛନ୍ତି । ଆଶାକର୍ମୀ ହିସାବରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ରାଜ୍ୟକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ୨୪ ଘଣ୍ଟା କାର୍ଯ୍ୟରେ ନିୟୋଜିତ ଥିବା ସେ କହିଥିଲେ। ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ସେବା ହିଁ ଜୀବନର ବ୍ରତ ଭାବି କରୋନା ସହିତ ଲଢ଼େଇ କରୁଛୁ । ରାଜ୍ୟକୁ କରୋନା ମୁକ୍ତ କରିବାକୁ ଆମ୍ଭେ ଚେଷ୍ଟିତ ରହିଥିବା ଯଶୋବନ୍ତୀ ପ୍ରକାଶ କରିଥିଲେ।

ତାଙ୍କର ଏପରି ମତ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ପ୍ରଭାବିତ କରିଥିବା ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମଧ୍ୟ ରହିଥିଲେ । ସେହିପରି ଜିଲ୍ଲାରୁ ପ୍ରାୟ ଅଧିକାଂଶ ବିଧାୟକ ଏହି କର୍ମଶାଳାରେ ଯୋଡ଼ିହୋଇଥିଲେ। କରୋନା ଲଢ଼େଇକୁ ନେଇ ଚାଲିଥିବା ପ୍ରକ୍ରିୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ ବିଧାୟକଗଣ। କରୋନା ଭଳି ମହାମାରୀ ସମୟରେ କିପରି ପ୍ରସ୍ତୁତ ରହିବା ଏବଂ ଏହାକୁ ସଫଳତାର ସହିତ ମୁକାବିଲା କରିବା ସେନେଇ ସମସ୍ତ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ମିଳିମିଶି ସମସ୍ତେ ଏହାକୁ ମୁକାବିଲା କରିବାକୁ ଆହ୍ବାନ କରିଥିବା ବାରିପଦା ବିଧାୟକ ପ୍ରକାଶ ସୋରେନ୍ କହିଛନ୍ତି। ଏପରି କର୍ମଶାଳା ସ୍ବାଗତଯୋଗ୍ୟ ବୋଲି ଶ୍ରୀ ସୋରେନ୍ କହିଛନ୍ତି।

ସମ୍ବନ୍ଧିତ ଖବର