୫୩ଟି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପାଉଛନ୍ତି ଆଶା କର୍ମୀ

ଭୁବନେଶ୍ବର : ଆଶାକର୍ମୀମାନେ ୫୩ଟି ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆଶାକର୍ମୀ ପ୍ରତ୍ୟେକ ମାସରେ ନିର୍ଧାରିତ ୧୪ଟି କାର୍ଯ୍ୟ ସଂପାଦନ କରିଥିଲେ ସର୍ବନିମ୍ନ ମାସି ୪୫ଶହ ଟଙ୍କା ପାଇବା ପାଇଁ ନିର୍ଦେଶନାମା ରହିଥିବା ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।

ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ଆଶା କର୍ମୀମାନେ ନିଜ ଗ୍ରାମ ବା ଗୋଷ୍ଠୀରେ ଓ ସହରାଞ୍ଚଳ ବସ୍ତିରେ ସାମାଜିକ ସ୍ବାସ୍ଥ୍ୟ ସହାୟିକା ଭାବେ କାର୍ଯ୍ୟ ସଂପାଦନ କରିଥାନ୍ତି। ଏହାବାଦ୍ ଆଶାକର୍ମୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଅଣଆର୍ଥିକ ପ୍ରୋତ୍ସାହନ ଯଥା ୟୁନିଫର୍ମ, ବାଇସାଇକଲ, ଆଲମିରା, ପାଣି ବୋତଲ, ଛତା ଓ ସ୍ଲିପର ଆଦି ପ୍ରଦାନ କରାଯାଉଛି। ଅଙ୍ଗନବାଡ଼ି କର୍ମୀମାନଙ୍କ ଅତିରିକ୍ତ ମାନଦେୟ ରାଶି ଓ ମାନଦେୟ ରାଶି ୨୦୧୭ ଅକ୍ଟୋବର ୧ତାରିଖ ଓ ୨୦୧୮ ଅକ୍ଟୋବରରୁ ବୃଦ୍ଧି ପରାଯାଇଛି। ଏହାସହ ଅଙ୍ଗନବାଡ଼ି କର୍ମୀ ଓ ମିନି ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା ମୁକାବିଲା ପାଇଁ ମାସିକ ୧ହଜାର ଟଙ୍କା ହିସାବରେ ଜୁଲାଇ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦିଆଯାଇଛି। ପୁନର୍ବାର ୨୦୨୧ ମସିହାରେ ୩ମାସ ପାଇଁ ୧ହଜାର ଟଙ୍କା ଦିଆଯାଇଛି।

ଆଦିବାସୀ ଅଞ୍ଚଳରେ ବାଲ୍ୟବିବାହ ରୋକିବା ପାଇଁ ଓଡ଼ିଶା ବାଲ୍ୟ ବିବାହ ନିଷେଧ ନିୟମାବଳୀ ୨୦୧୯ ଅନୁଯାୟୀ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ଭୂମିକା, ଦାୟିତ୍ବ ଓ କାର୍ଯ୍ୟକ୍ଷମତାକୁ ବ୍ୟାପକ କରାଯାଇଛି। ଜରୁରୀ ପରିସ୍ଥିତିରେ ଜିଲ୍ଲାପାଳମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନର ଧାରା ୧୩ର ଉପଧାରା ୫ରେ ନିଷେଧାଜ୍ଞା ଜାରି କରିବାର କ୍ଷମତା ଦିଆଯାଇଛି। ୧୬ଟି ଆଦିବାସୀ ପ୍ରମଣ ଜିଲ୍ଲାଗୁଡ଼ିକ ଚିହ୍ନଟ କରି ପ୍ରାଥମିକତା ସ୍ତରରେ ବାଲ୍ୟବିବାହ ନିରାକରଣ ସଚେତନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଜିଲ୍ଲା କୋର୍ଡିନେଟରମାନଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାର ‘ଅଦ୍ବିକା’ ନାମକ ଏକ ଅଭିନବ କାର୍ଯ୍ୟକ୍ରମ କରାଯାଇଛି। ପ୍ରତ୍ୟେକ ଶନିବାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ରୁ ୧୯ବର୍ଷର କିଶୋର/କିଶୋରୀମାନଙ୍କୁ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ସଚେତନତା ଓ ସଶକ୍ତ କରାଯାଉଛି। ଏହା ଭିତରେ ୧୨ହଜାରରୁ ଅଧିକ ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର