ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଶାକର୍ମୀ

ବିଧାନସଭା ଶେଷ ପର୍ଯ୍ୟନ୍ତ ଆନ୍ଦୋଳନକୁ ଟାଳି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ସିଆଇଟିୟୁ ସହ ଅନୁବନ୍ଧିତ ଓଡ଼ିଶା ଆଶା କର୍ମୀ ଆସୋସିଏସନ୍‌ ଓ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘକୁ ନେଇ ଗଠିତ ଆଶା କର୍ମୀ ୟୁନିୟନ ସଂଯୁକ୍ତ ମୋର୍ଚା ଆଜି ଆନ୍ଦୋଳନରୁ ଓହରିଯାଇଛି। ବିଧାନସଭା ଶେଷ ପର୍ଯ୍ୟନ୍ତ ଆଶାକର୍ମୀଙ୍କ ଆନ୍ଦୋଳନକୁ ଟାଳି ଦେବାରେ ସଫଳ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ପରେ ଗତ ୧୧ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ଆଶାକର୍ମୀ ଆସୋସିଏସନ୍‌ର ଆନ୍ଦୋଳନର ସମାପ୍ତି ହୋଇଛି।

ଆଶାକର୍ମୀ ୟୁନିୟନ ସଂଯୁକ୍ତ ମୋର୍ଚାର ଆହ୍ଵାନରେ ଆଜି ହଜାର ହଜାର ଆଶାକର୍ମୀ ରେଳ ଷ୍ଟେସନ୍‌ରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ଧାରଣାସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବିଜୟ ଜେନା ଓ ରାଧାରମଣ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ସଭା ପରିଚାଳନା କରିଥିଲେ।

ସଂଗଠନର ଦାବି ମଧ୍ୟରେ ରହିଛି, ଆଶାକର୍ମୀଙ୍କ ପାଇଁ ମାସିକ ୧ହଜାର ଟଙ୍କା ଯଥେଷ୍ଟ ନୁହେଁ। ମମତା ଦିବସ, ସେକ୍ଟର ବୈଠକ, ଟିକାକରଣ, ଗାଁ କଲ୍ୟାଣ ସମିତି, ଜନ୍ମ ମୃତ୍ୟୁ ସାର୍ଟିଫିକେଟ ପଞ୍ଜୀକରଣ, ମ୍ୟାଲେରିଆ ଚିହ୍ନଟ ଭଳି ୯ମାକ ପାଇଁ ଦେୟ ପ୍ରଦାନ କରାଯାଉ। ସେହିପରି ଆଶାକର୍ମୀଙ୍କୁ ଯୋଗ୍ୟତା ଭିତ୍ତିରେ ସେବିକା ତାଲିମ ପାଇଁ ସ୍ଥାନ ସଂରକ୍ଷଣ, ମାଗଣା ବସ୍‌ପାସ୍‌ ପ୍ରଦାନ, କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା, ଯୋଗ୍ୟ ବିବେଚିତ ଆଶାମାନଙ୍କୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସର୍ବନିମ୍ନ ୩ହଜାର ଟଙ୍କା ମାସିକ ପେନସନ ଓ ଅବସରକାଳୀନ ସହାୟତା ରାଶି ୧୦ହଜାରୁ ୧ଲକ୍ଷକୁ ବୃଦ୍ଧି କରିବାକୁ ମୋର୍ଚା ପକ୍ଷରୁ ଦାବି କରାଯାଇଥିଲା।

ପରେ ମୋର୍ଚା ଏକ ପ୍ରତିନିଧିମଣ୍ଡଳୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବି ସଂପର୍କରେ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ପ୍ରତ୍ୟେକ ମାସରେ ଏକ ନିର୍ଦ୍ଦିଷ୍ଟ ଦରମା ପ୍ରଦାନ ସହିତ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଆଶାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଏବଂ ଏହା ଆଶା ଗୃହ ପ୍ରଦାନ କରିବା ଉପରେ ମଧ୍ୟ ପ୍ରତିନିଧିମଣ୍ଡଳୀ ଦାବି ରଖିଛି। ମୋର୍ଚାର ଦାବିଗୁଡ଼ିକ ଯଥାର୍ଥ। ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଏହା ସମୟ ସାପେକ୍ଷ ହୋଇଥିବାରୁ ବିଧାନସଭା ପରେ ପୁଣିଥିରେ ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ମୋର୍ଚାର ସାଧାରଣ ସଂପାଦିକା ନମିତା ସାହୁ କହିଛନ୍ତି, ମାସିକ ଦରମା ପ୍ରଦାନ କରିବା ମୁଖ୍ୟ ଦାବି ରହିଥିଲା। ଏଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ସରକାର ମଧ୍ୟ ଆଶା କର୍ମୀଙ୍କ ଦାବିକୁ ମାନି ନେଇଛନ୍ତି। ଆସନ୍ତା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା ହେବ। ପରର୍ବତୀ ସମୟରେ ପୁଣିଥରେ ଆଶାଙ୍କ ପ୍ରତିନିଧିମଣ୍ଡଳୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ତେଣୁ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ସଂଘ ଆନ୍ଦୋଳନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି। ବିକ୍ଷୋଭରେ ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ବିଷ୍ଣୁ ମହାନ୍ତି, ଲମ୍ବୋଦର ନାୟକ, ଜନାର୍ଦ୍ଦନ ପତି, ସୁନିତା ସିଂ, ବନବାସିନୀ ମହାପାତ୍ର, ସୀତାରାଣୀ ଦାସ, ଶକୁନ୍ତଳା ମହାକୁଡ଼, ସୁର ଜେନା, କୁମୁଦିନୀ ପ୍ରଧଶନ, ଗୀତା ପଲାଇ, ପଂଚାନନ ମହାକୁଡ଼ ଓ ପଙ୍କଜିନୀ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର