ଆଶାକର୍ମୀ ରାସ୍ତାରେ ମାଣ ବସାଇଲେ, ଲକ୍ଷ୍ମୀ ପୁରାଣ ପଢ଼ିଲେ

ଭୁବନେଶ୍ୱର : ବିଭିନ୍ନ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଆଶା କର୍ମୀଙ୍କ ଆନ୍ଦେଳନ ଆଜି ୭ମ ଦିନରେ ପହଞ୍ଚିଛି। ଆଜି ମାର୍ଗଶୀର ମାସ ମାଣବସା ଗୁରୁବାର ଥିବାରୁ ଧାରଣାରେ ବସିଥିବା ଆଶାକର୍ମୀମାନେ ରାଜରାସ୍ତାରେ ମାଣ ବସାଇଥିଲେ ଏବଂ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ। ଅପରପକ୍ଷରେ ଆଶାକର୍ମୀଙ୍କୁ ବିଭାଗୀୟ କର୍ତୃପକ୍ଷ ଆଲୋଚନାକୁ ଡାକି ନ ଥିବାରୁ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ଦାବି ମଧ୍ୟରେ ରହିଛି ଏନ୍‌ଏଚ୍‌ଏମ୍‌ ଅଧୀନରେ କାର୍ଯ୍ୟରତ ଆଶକର୍ମୀଙ୍କୁ ସ୍ଥାୟୀ କରିବା, ମାସିକ ୧୮ହଜାର ଟଙ୍କା ଦରମା, ପ୍ରୋଭିଡେଣ୍ଟ ଫଣ୍ଡ, ପେନସନ ଓ ବୀମା ଲାଗୁ କରିବା, ପ୍ରତ୍ୟେକ ମାସ ୧୦ତାରିଖ ସୁଦ୍ଧା ପ୍ରାପ୍ୟ ପ୍ରଦାନ, ସମସ୍ତ ଡାକ୍ତରଖାନାରେ ଆଶାଗୃହ ଯୋଗାଇବା, ବିନା ପାରିଶ୍ରମିକରେ କୌଣସି କାମ ନ ଦେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ଆଶାକର୍ମୀଙ୍କୁ ନିୟୋଜିତ କରିବା ଓ ସେକ୍ଟର ମିଟିଂ ଓ ଭିଏଚ୍‌ଏନ୍‌ଡି ଭତ୍ତା ବୃଦ୍ଧି ।

ଧାରଣାରେ ସଂଘର ସଭାପତି ରାଧାରମଣ ଷଡ଼ଙ୍ଗୀ, ସିଆଇଟିୟୁ ସଂପାଦକ ବିଷ୍ଣୁ ମହାନ୍ତି, ସିପିଆଇଏମ୍‌ ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ରେବତୀ ପରିଡ଼ା, ପ୍ରଭାତି ମହାରଣା, ବିଷ୍ଣୁପ୍ରିୟା ମଣ୍ଡଳ ଓ ଗଙ୍ଗାଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର