ଗାନ୍ଧୀମାର୍ଗରେ ଗର୍ଜିଲେ ଆଶାକର୍ମୀ, ୧୩ ଦଫା ଦାବିରେ ଅହୋରାତ୍ର ଧାରଣା ଆରମ୍ଭ

ଭୁବନେଶ୍ବର : ୧୩ ଦଫା ଦାବି ନେଇ ବୁଧବାର ଦିନ ଆଶାକର୍ମୀମାନେ ଗାନ୍ଧୀମାର୍ଗରେ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ଗଣବିକ୍ଷୋଭ ପ୍ରଦର୍ଶନ ପରେ ଅହୋରାତ୍ର ଧାରଣା ଆରମ୍ଭ କରିଦେଇଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା କରାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି।

ବୁଧବାର ଦିନ ‘ଆଶାକର୍ମୀ ୟୁନିଅନ୍ ସଂଯୁକ୍ତ ମୋର୍ଚ୍ଚା’ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡ଼କୁ ଯାଇଥିଲା। ପୁଲିସ ଅଟକାଇବାରୁ ସେମାନେ ଗାନ୍ଧୀମାର୍ଗରେ ଧାରଣା ଦେଇଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତାମାନେ ଦାବି ପୂରଣ ନେଇ ବକ୍ତବ୍ୟ ରଖିଥିଲେ। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ ଅଧୀନରେ ଗ୍ରାମାଞ୍ଚଳର ମା’ ଓ ଶିଶୁର ବିକାଶ ଦିଗରେ ଆଶାକର୍ମୀମାନେ ଅବିରତ କାମ କରୁଛନ୍ତି। ଫଳରେ ଶିଶୁ ଓ ମାତୃ ମୃତ୍ୟୁହାର କମିବା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମଲାଭ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ତା’ ସତ୍ତ୍ୱେ ଆଶାକର୍ମୀମାନେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ। ଚଳିତ ବଜେଟ୍‌ରେ ଆଶାକର୍ମୀଙ୍କ ସମସ୍ୟା ସମାଧାନ ପାଇଁ କୌଣସି ସୁବିଧା ନାହିଁ। ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ୨୧ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ସମସ୍ତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଥିଲେ।

ସମସ୍ତ ଆଶା କର୍ମୀଙ୍କୁ ସିଏଚ୍‌ଓ ସେଣ୍ଟର୍ ବାବଦରେ ଦେୟ ପ୍ରଦାନ କରିବା, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କରର ମାନ୍ୟତା ଦିଆଯିବା, ଅବସର ବୟସ ସମୟ ସୀମା ୬୨ ରୁ ୬୫ ବର୍ଷ ବୟସ କରିବା, ଅବସରକାଳୀନ ସହାୟତା ରାଶି ୨୦ ହଜାରରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହିତ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବା, ମୃତ୍ୟୁକାଳୀନ ସହାୟତା ରାଶି ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଥିଲା। ସେମାନଙ୍କ ଅନ୍ୟ ଦାବିଗୁଡ଼ିକ ‌ମଧ୍ୟରେ ରହିଛି ୧୦ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏଏନ୍‌ଏମ୍‌ ଭାବେ ପଦୋନ୍ନତି ଦେବା, ଶିକ୍ଷାଗତ ଯୋଗ୍ୟତା ଓ ୫ ବର୍ଷ ଅଭିଜ୍ଞତା ଥିବା ଆଶାକର୍ମୀମାନଙ୍କୁ ନର୍ସିଂ କଲେଜ୍ ଓ ସ୍କୁଲରେ ତାଲିମ ଦେବା ପାଇଁ ୧୦ ଭାଗ ସ୍ଥାନ ସଂରକ୍ଷଣ କରିବା, ଆଶାମାନଙ୍କର କାର୍ଯ୍ୟର ମୂଲ୍ୟାୟନ ଓ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରତି ୩ ମାସରେ ଥରେ ଆଶା ସମ୍ମିଳନୀ କିମ୍ବା ଆଶା ଦିବସ ସଂଗଠିତ କରିବା ଇତ୍ୟାଦି। ଆଜି ପ୍ରତିବାଦ ସଭାରେ ବକ୍ତାମାନେ କହିଥିଲେ ‌ଯେ ସରକାର ଏସବୁ ଦାବି ପୂରଣ ନ କଲେ ଆନ୍ଦୋଳନ ଜୋର୍‌ଦାର୍‌ ହେବ।

ଏହି ଧାରଣାରେ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦିକା ନମିତା ସାହୁ, ଉପସାଧାରଣ ସମ୍ପାଦିକା ମାତିଲଦା କୁଲୁ, ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଯୁଧିଷ୍ଠିର ମହାରଣା, ବାଳକୃଷ୍ଣ ଭୋଇ, ଏଆଇଟିୟୁସିର ତୀର୍ଥ ପ୍ରଧାନ, ମନୋଜ ପରିଡ଼ା ଓ ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର