୨୧ରୁ ଘରକୁ ଘର ବୁଲି କୋଭିଡ ରୋଗୀଙ୍କୁ ଖୋଜିବେ ଆଶା କର୍ମୀ

୩ମାସ ଯାଏ ଚାଲିବ ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ, ଯକ୍ଷ୍ମା, କୁଷ୍ଠ ରୋଗୀଙ୍କ ଚିହ୍ନଟ
ସବୁ ଜିଲ୍ଲାପାଳଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକାଙ୍କ ଚିଠି

ଭୁବନେଶ୍ବର : ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ୍‌ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ଓ କୋଭିଡ ରୋଗୀଙ୍କୁ ଚିହ୍ନଟ ଅଭିଯାନ। ଜୁନ୍ ୨୧ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ଅଧୀନରେ ଆଶା କର୍ମୀମାନେ ଘରକୁ ଘର ବୁଲି ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜିବା ସହିତ ଲୋକମାନଙ୍କୁ ସଚେତନ କରିବେ। ଏଥିପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଜାରି ହୋଇଛି। ପୂର୍ବରୁ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଅଭିଯାନ ଆଗୁଆ ରୋଗୀଙ୍କୁ ଚିହ୍ନଟ କରିବାରେ ବେଶ୍ ଫଳପ୍ରଦ ହୋଇଥିଲା।

କିଭଳି ଢଙ୍ଗରେ ଏସବୁ ରୋଗୀ ସ୍କ୍ରିନିଂ କରାଯିବ ଏଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ୩ମାସ ଏହି ଅଭିଯାନରେ ପ୍ରଥମ ୨ମାସ ଆଶା କର୍ମୀ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ। ତୃତୀୟ ମାସରେ ଯେଉଁ ରୋଗୀ ଚିହ୍ନଟ ହୋଇଥିବେ ସେମାନଙ୍କର ସ୍ଥିତି ଅନୁଧ୍ୟାନ କରିବେ। ସପ୍ତାହକୁ ଅତିକମ୍‌ରେ ୩ଦିନ ଏହି କାର୍ଯ୍ୟକ୍ରମ ହେବା ସହିତ ପ୍ରତିଦିନ ୮/୧୦ଟି ଘରକୁ ବୁଲିବେ। ଏଥିରେ ଆଶା କର୍ମୀଙ୍କୁ ସହାୟତା କରିବେ ମୋବାଇଲ ହେଲ୍‌ଥ ୟୁନିଟ୍‌(ଏମ୍‌ଏଚ୍‌ୟୁ) ଓ ମୋବାଇଲ ହେଲ୍‌ଥ ଟିମ୍‌(ଏମ୍‌ଏଚ୍‌ଟି)। ‌ଯେଉଁ ଘରେ ଡାଇରିଆ ରୋଗୀ ଚିହ୍ନଟ ହେବେ ସେମାନଙ୍କୁ ଓଆରଏସ୍‌ ଓ ଜିଙ୍କ ପ୍ରଦାନ କରାଯିବ।

Down To Earth

ରାଜ୍ୟରେ ଏବେ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟିଛି। ତେଣୁ ଯେଉଁମାନଙ୍କର ଆଇଏଲଆଇ ଓ ଏସ୍‌ଏଆରଆଇ ଲକ୍ଷଣ ରହିଥିବ ସେମାନଙ୍କୁ ଚିହ୍ନଟ କରି ନିକଟସ୍ଥ ପିଏଚ୍‌ସି/ସିଏଚ୍‌ସିକୁ ରାଟ୍ ଟେଷ୍ଟ ପାଇଁ ପଠାଇବେ। ଯେଉଁମାନେ କୋଭିଡ ଟିକା ନେଇ ନ ଥିବେ ସେମାନଙ୍କୁ ଟିକା ନେବା ପାଇଁ ଆଶା କର୍ମୀ ସଚେତନ କରିବେ। ସେହିପରି ମ୍ୟାଲେରିଆ ସନ୍ଦିଗ୍ଧଙ୍କ ଆରଡିଟି ଜରିଆରେ ପରୀକ୍ଷା କରାଯିବା ସହିତ ମଶାର ଉତ୍ସକୁ ଚିହ୍ନଟ କରାଯାଇ ନଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ। ଔଷଧୀୟ ମଶାରୀ ବଣ୍ଟନ ସହିତ ଲିମ୍ଫୋଡେମା ଓ ହାଇଡ୍ରୋସିଲ୍ ରୋଗୀଙ୍କୁ ଚିହ୍ନଟ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ୨ ସପ୍ତାହରୁ ଅଧିକ ସମୟ ଧରି କାଶ ସହିତ ଓଜନ ହ୍ରାସ, ରାତିରେ ଝାଳ ବୋହିବା ଆଦି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ କରାଯିବ। କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟ ଯକ୍ଷ୍ମା ପରୀକ୍ଷା କରାଯିବ। ଏହାସହ ସ୍କ୍ରିନିଂ ସମୟରେ ଯଦି କୌଣସି ବ୍ୟକ୍ତି କୁଷ୍ଠରେ ଆକ୍ରାନ୍ତ ଥିବା ସନ୍ଦେହ ଉପୁଜିବ ତାଙ୍କୁ ତୁରନ୍ତ ନିକଟସ୍ଥ ପିଏଚ୍‌ସି/ସିଏଚ୍‌ସିକୁ ପରବର୍ତୀ ସ୍କ୍ରିନିଂ ପାଇଁ ପଠାଇବାର ବ୍ୟବସ୍ଥା କରିବେ।

ଗାଇଡଲାଇନ୍ ଅନୁସାରେ ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ ଏହି ଆକ୍ରାନ୍ତମାନେ ଚିହ୍ନଟ ହେବ ସେଠାରେ ଇଣ୍ଟିଗ୍ରେଟେଡ୍‌ ଆଇଇସି କର୍ଣ୍ଣର/କିଓସ୍କ ପ୍ରତିଷ୍ଠା କରାଯିବ। ହାତ ଧୋଇବା, ପରିମଳ, ମ୍ୟାଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ଆଦିର ପୋଷ୍ଟର ଲଗାଇବାକୁ ନିର୍ଦେଶ ରହିଛି। ଏଥିପାଇଁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଆଶା କର୍ମୀଙ୍କ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି। ରାଜ୍ୟସ୍ତରରେ ଏକ ଟିମ୍ ପ୍ରତି ମାସରେ ଗୋଟିଏ ଜିଲ୍ଲାକୁ ପରିଦର୍ଶନ କରିବା ସହିତ ଅଭିଯାନର ତଦାରଖ କରିବେ।

ସମ୍ବନ୍ଧିତ ଖବର