ସୁସ୍ଥ ଓଡ଼ିଶା ପାଇଁ ଆଶା ଦିଦିଙ୍କ ନିଆରା ସଂକଳ୍ପ: କୋଭିଡ ଲଢେଇରେ ଯୋଦ୍ଧା ସାଜିଛନ୍ତି ୪୬ ହଜାରରୁ ଅଧିକ ଆଶା କର୍ମୀ

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ପାଇଁ ସଂକଳ୍ପଟିଏ | କରୋନାର ଗୁଜବ ଓ ମନରେ ଥିବା ଭ୍ରାନ୍ତ ଧାରଣାରୁ ଦୂରେଇବା ସହ ଅବିରତ ସେବାରେ ଲାଗିପଡିଛନ୍ତି ୪୬ ହଜାରରୁ ଅଧିକ ଆଶାକର୍ମୀ | ଆଜି ଆମେ ଏମିତି ଜଣେ ଆଶା ଦିଦିଙ୍କ ବିଷୟରେ କହିବୁ ଯିଏ କି ଲୋକଙ୍କ ସହ ସବୁ ପରିସ୍ଥିତିରେ ରହିଛନ୍ତି, ଏହା ପାଇଁ କିଛିଙ୍କର ରୋଷର ଶିକାର ହୋଇଛନ୍ତି କିନ୍ତୁ ଭୁଲିନାହାନ୍ତି ତାଙ୍କର କର୍ତ୍ତବ୍ୟ |
ଓଡ଼ିଶାର ଖୋର୍ଦ୍ଧା ଜିଲାର କଣ୍ଡଲେଇ ଗାଁର ଆଶାକର୍ମୀ ମଞ୍ଜୁ ଜେନା କୋଭିଡ ୧୯ର ମୁକାବିଲା ପାଇଁ ଅବିଶ୍ରାନ୍ତଭାବେ କାମ କରୁଛନ୍ତି । ତାଙ୍କ ଗୋଷ୍ଠୀ ଓ ସମୁଦାୟ ଯେପରି ଏହି ସଂକ୍ରମଣ କାଳରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଏ ସେଥିପାଇଁ ସେ ନିରନ୍ତର ଉଦ୍ୟମ ଚଳାଇଛନ୍ତି । ଗୋଷ୍ଠୀ ସେବା କ୍ଷେତ୍ରରେ ତାଙ୍କର ବର୍ଷ ବର୍ଷର ଉତ୍ସର୍ଗୀକୃତ ସେବା ଓ ଅଭିଜ୍ଞତା ତାଙ୍କ ପାଇଁ ସାମାଜିକ ପୁଞ୍ଜି ପାଲଟିଛି । ତାହାକୁ କାର୍ଯ୍ୟରେ ଲଗାଇ ସେ କୋଭିଡ ସଂପର୍କରେ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଓ ବିଚାରକୁ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

କେତେକଙ୍କ ମନରେ କୋଭିଡ-୧୯କୁ ନେଇ ବିଭିନ୍ନ ପ୍ରକାର ଧାରଣା ରହିଛି । ସଂକ୍ରମିତଙ୍କ ପ୍ରତି ଲୋକଙ୍କର ଏକ ପାତରଅନ୍ତର ଭାବ ଥିବାରୁ ସେମାନେ ଆକ୍ରାନ୍ତଙ୍କୁ ଏକ କଳଙ୍କ ବୋଲି ବିଚାର କରୁଛନ୍ତି । ଜଣେ ପ୍ରବାସୀ ଯୁବକ ଗାଁକୁ ଫେରିବା ପରେ ଲୋକେ ତାକୁ ଏହି ଧାରଣାର ବଶବର୍ତୀ ହୋଇ ଗ୍ରାମରେ ପୂରାଇ ଦେଇନଥିଲେ । ତେଣୁ ସେ ଘରକୁ ଯାଇପାରି ନଥିଲେ । ଲୋକଙ୍କର ଏହି କଳଙ୍କିତ ବ୍ୟବହାରର ପରିବର୍ତନ ପାଇଁ ସଂପୃକ୍ତ ଗୋଷ୍ଠୀ ସହ ମଞ୍ଜୁଙ୍କୁ ମୁହାଁମୁହିଁ ହେବାକୁ ପଡିଥିଲା । ଲୋକଙ୍କୁ ସେ ବହୁ ଉଦ୍ୟମ କରି ବୁଝାସୁଝା କରାଇବା ପରେ ସଂପୃକ୍ତ ଯୁବକ ନିଜ ଘରେ କ୍ୱାରେଂଟାଇନରେ ରହିବାର ସୁଯୋଗ ପାଇଥିଲେ । କ୍ୱାରେଣ୍ଟାଇନ ସମୟରେ ମଞ୍ଜୁ ସଂପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଅନୁଧ୍ୟାନ କରି ତାଙ୍କୁ ଆବଶ୍ୟକସ୍ଥଳେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ ।

ଲକଡାଉନ ସମୟରେ ସେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ସେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି । ସେ ଏକାଧିକ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ଯାଇ ଆନୁଷ୍ଠାନିକ ପ୍ରସବ କରାଇବାକୁ ଉତ୍ସାହିତ କରିବା ସହିତ ଏଥିରେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି । ନିଜ ଦାୟିତ୍ୱ ସଂପାଦନ ସହ ମଞ୍ଜୁ ମଧ୍ୟ ନିଜ ଘରେ ମାସ୍କ ତିଆରି କରି ତାହାକୁ ଗ୍ରାମର ଗରିବମାନଙ୍କୁ ବାଣ୍ଟୁଛନ୍ତି । କରୋନା ବିରୋଧୀ ଲଢେଇ ସମୟରେ ଓଡ଼ିଶାର ସହର ଓ ଗ୍ରାମାଞ୍ଚଳରେ ପ୍ରାୟ ୪୬,୬୨୭ ଆଶାକର୍ମୀ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ସ୍ଥାନୀୟ ଲୋକଙ୍କର ସମସ୍ତ ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରୁଛନ୍ତି । ଗାଁ କଲ୍ୟାଣ ସମିତି ସହିତ ସେମାନେ ମିଶି ନିବିଡଭାବେ କାର୍ଯ୍ୟ କରୁଛନ୍ତି ।

ସହରାଞ୍ଚଳରେ ମଧ୍ୟ ମହିଳା ଆରୋଗ୍ୟ ସମିତିଗୁଡିକ ସହିତ ମିଶି ଏହି ଆଶାକର୍ମୀମାନେ ବେଶ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛନ୍ତି । ସେମାନେ ଏସବୁ ମଂଚକୁ ଅଧିକ କ୍ରିୟାଶୀଳ କରାଇ କରୋନା ମୁକାବିଲା କାର୍ଯ୍ୟକୁ ଜୋରଦାର କରିଛନ୍ତି । ବାହାରକୁ ଗଲାବେଳେ ମାସ୍କ ଓ ଫେସ କଭର ବ୍ୟବହାର, ନିୟମିତ ହାତ ଧୋଇବା, ଶାରୀରିକ ଦୂରତ୍ୱ ରକ୍ଷା ଆଦି ସଂପର୍କରେ ସେମାନେ ଜନସଚେତନତାକୁ ଜୋରଦାର କରୁଛନ୍ତି । ଗ୍ରାମସ୍ତରରେ ସେମାନେ ଲିଫଲେଟ ବଂଟନ ଏବଂ ସ୍ୱାସ୍ଥ୍ୟକାନ୍ଥରେ ପୋଷ୍ଟର ଲଗାଇବା ଭଳି କାର୍ଯ୍ୟକରି ଲୋକଙ୍କୁ କରୋନା ସଂପର୍କରେ ସଚେତନ କରୁଛନ୍ତି ।

ସମ୍ବନ୍ଧିତ ଖବର