ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜଣେ ୫୦ ବର୍ଷୀୟା ଆଶାକର୍ମୀ। ତାଙ୍କ ନାମ ଅବନ୍ତୀ ପ୍ରଧାନ। ସେ ଆଜି ସକାଳେ ଆଠମଲ୍ଲିକ ଉପଖଣ୍ଡର ଉରୁକୁଲା ଗ୍ରାମରେ କରୋନା ସଂପର୍କିତ  ସର୍ଭେ କରୁଥିଲେ। ସକାଳ ପ୍ରାୟ ସାଢେ ୯ଟା ବେଳେ ହଠାତ୍  ଅବନ୍ତୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା।

Advertisment

ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା, ତାହା ଜଣାପଡ଼ିନାହିଁ। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ କିଶୋରନଗର ଥାନା ପୁଲିସ୍ ପହଞ୍ଚି ଅବନ୍ତୀ ପ୍ରଧାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ଆଜି କରୋନାଭାଇରସ୍ ବିପକ୍ଷରେ ଲଢୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଯାଇ ଭାରତୀୟ  ସେନାବାହିନୀ ‌ଦେଶର ବିଭିନ୍ନ ଅଞ୍ଚଳରେ ଫ୍ଲାଇ-ପାଷ୍ଟ୍, ସାମରିକା ବାଦ୍ୟ ବାଦନ ଓ ପୁଷ୍ପ ପାଖୁଡ଼ା ବୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଭାରତୀୟ ସେନା ପକ୍ଷରୁ ବିଭିନ୍ନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ହେଲିକପ୍ଟର ଜରିଆରେ ପୁଷ୍ପ  ବୃଷ୍ଟି କରାଯାଇଛି।