ଝାରସୁଗୁଡ଼ା : ଖଣି ଖାଦାନ ଭରା ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ପାଉଁଶ ଦାଉସାଧୁଛି। ଝାରସୁଗୁଡ଼ା ସହରରୁ ନେଇ କୋଲାବିରା, ଲଇକେରା ଯାଏ ବେଆଇନ୍ ପାଉଁଶ ପରିବହନ ଓ ଡମ୍ପିଂ ଯୋଗୁ ଲୋକେ ଅଣନିଃଶ୍ବାସୀ ହୋଇଗଲେଣି। ଛତିଶଗଡ଼ର ପାଉଁଶ ପାଇଁ ବି ସୀମାନ୍ତରେ ରହୁଥିବା ୬ ପଞ୍ଚାୟତର ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି। ଏସବୁ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ସିଏସ୍ଆର୍ ପାଣ୍ଠିରୁ ୨୦୨୦ ଯାଏ ବିଭିନ୍ନ ଉନ୍ନୟନ ମୂଳକ କାମ କରୁଥିଲା ଏନ୍ଟିପିସି । ହେଲେ ଗତ ୩ ବର୍ଷ ହେବ ତାହା ବି ବନ୍ଦ ହୋଇଯାଇଛି। ଫଳରେ ଲୋକେ କମ୍ପାନି ଯୋଗୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କର ହକ୍ ବି ପାଇପାରୁନଥିବା ଅଭିଯୋଗ ହୋଇଛି।
ଛତିଶଗଡ଼ର ରାୟଗଡ଼ ଜିଲ୍ଲା ପୁସୌର ନିକଟସ୍ଥ ଲାରା ଗ୍ରାମରେ ରହିଥିବା ଏନ୍ଟିପିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ପ୍ରତିଦିନ ଟନ୍ଟନ୍ ଓଜନର ପାଉଁଶ ନିର୍ଗତ ହେଉଛି। ଯାହା ଆସି ପୁସୌର ନିକଟସ୍ଥ ଶୁଖାନାଲା ଅଞ୍ଚଳର ଆସ୍ ପଣ୍ଡରେ ଜମା ହୋଇଥାଏ। ଏହି ଆସ୍ପଣ୍ଡରୁ ଝାରସୁଗୁଡ଼ା ଲଖନପୁର ବ୍ଲକ ରେମଟା ପଞ୍ଚାୟତର ଆକାଶ ମାର୍ଗ ଦୂରତା ଶୂନ କିମି ହୋଇଥିବା ବେଳେ ଭୂ-ଦୂରତା ୫ କିମି। କେବଳ ରେମ୍ଟା ନୁହେଁ ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଢେଇକେଲା, ଚାରପାଲି, କିସିଣ୍ଡା, କନକତୋରା ଓ ବାଦୀମାଲ ପଞ୍ଚାୟତରୁ ବି ଏହି ଆସ୍ପଣ୍ଡର ଭୂ-ଦୂରତା ସର୍ବାଧିକ ୧୦ କିମି। ଚାରପାଲି ପଞ୍ଚାୟତ ନୂଆଡିହି ଗ୍ରାମରୁ ଏହି ଆସ୍ପଣ୍ଡର ମଧ୍ୟରେ କେବଳ ଏକ ଜମି ରହିଛି। ବିଶେଷ କରି ଖରାଦିନେ ଏହି ଆସ୍ ପଣ୍ଡରେ ପଡ଼ୁଥିବା ପାଉଁଶ ଶୁଖିଯାଉଛି। ଯଦ୍ବାରା ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଏହି ଅଞ୍ଚଳରେ ପାଉଁଶ ଝଡ଼ ସୃଷ୍ଟି ହେଉଛି। ଛତିଶଗଡ଼ର ଶୁଖାନାଲା ଅଞ୍ଚଳରେ ସୃଷ୍ଟ ଏହି ପାଉଁଶ ଝଡ଼ ଯୋଗୁ ସୀମାନ୍ତ ପଞ୍ଚାୟତଗୁଡ଼ିକରେ ପାଉଁଶ ଆଚ୍ଛାଦିତ ହୋଇଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଏହାର ପ୍ରଭାବରେ ସୀମାନ୍ତରେ ଥିବା ପୋଖରୀଗୁଡ଼ିକରେ ପାଉଁଶର ଆସ୍ତରଣ ବସି ଯାଉଥିବା ବେଳେ ତାହା ଆଉ ବ୍ୟବହାରଯୋଗ୍ୟ ହୋଇ ରହୁନାହିଁ। ପୂର୍ବରୁ ଏହି ଅଞ୍ଚଳର ଚାଷୀ ରବି ଧାନ ସମେତ ବିଭିନ୍ନ ପରିବା ଚାଷ କରି ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ଗତ କିଛି ବର୍ଷ ହେବ ଲଗାତାର ପାଉଁଶ ପଡ଼ିବା ଯୋଗୁ ଚାଷଜମି କ୍ଷତିଗ୍ରସ୍ତ ହେଲାଣି। ଜମିର ଉର୍ବରତା ନଷ୍ଟ ହେବା ସହ ଚାଷ ମଧ୍ୟ ଭଲ ହେଉନଥିବା ରେମଟା ପଞ୍ଚାୟତ ଶରଧାପାଲିର ଚାଷୀ ପ୍ରଫୁଲ୍ଲ ସାହୁ ଅଭିଯୋଗ କରିଛନ୍ତି। କେବଳ ଯେ ଚାଷ ପ୍ରଭାବିତ ହେଉଛି ତାହା ନୁହେଁ ବରଂ ଲଗାତାର ଏହି ବିଷାକ୍ତ ପାଉଁଶ ପ୍ରଭାବରେ ଲୋକେ ଚର୍ମରୋଗ ଓ ଶ୍ବାସରୋଗରେ ମଧ୍ୟ ଆକ୍ରାନ୍ତ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଏନେଇ ଅଞ୍ଚଳବାସୀ ଏକାଧିକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।