ଅନାଥ ପିଲାଙ୍କୁ ‘ଆଶୀର୍ବାଦ’, ଏପ୍ରିଲ ୨୦୨୦ ପରେ ହୋଇଥିବା ଅନାଥଙ୍କ ପାଇଁ ନବୀନଙ୍କ ସହାୟତା

ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫୦୦ ଟଙ୍କା
ବାପା ବା ମା’ଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା
ଉଭୟ ବର୍ଗର ପିଲାଙ୍କୁ ମାଗଣା ଶିକ୍ଷା ଓ ସ୍ବାସ୍ଥ୍ୟ ସେବା

ଭୁବନେଶ୍ବର : ରାଜ୍ୟରେ ଅନାଥ ହୋଇଥିବା ପିଲାମାନଙ୍କ ଦାୟିତ୍ବ ନେବେ ରାଜ୍ୟ ସରକାର। ସିଧାସଳଖ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେ‌ବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ‘ଆଶୀର୍ବାଦ’ ନାମରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ୨୦୨୦ ଏପ୍ରିଲ୍‌ ପହିଲା ପରଠାରୁ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା, ଭରଣପୋଷଣ ଓ ଯତ୍ନ ପାଇଁ ଏହି ଯୋଜନାରେ ସହାୟତା ଦିଆଯିବ। ଆଜି ସାରା ବିଶ୍ବ ‘ପିତୃ ଦିବସ’ ପାଳନ କରୁଥିଲା ବେଳେ ନବୀନଙ୍କ ଏହି ଘୋଷଣା ଅସହାୟ ପିଲାଙ୍କ ପାଇଁ ଆଶାର କିରଣ ଦେଖାଇଛି।

‘ଆଶୀର୍ବାଦ’ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପିଲାମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଛି। ଗୋଟିଏ ବର୍ଗରେ ରହିବେ ବାପା, ମା’ ଉଭୟଙ୍କୁ ହରାଇଥିବା ପିଲା। ଦ୍ବିତୀୟ ବର୍ଗରେ ଏକକ ଅଭିଭାବକ (ସିଙ୍ଗଲ୍‌ ପ୍ୟାରେଣ୍ଟ)ଙ୍କୁ ହରାଇଥିବା ପିଲା। ତୃତୀୟ ବର୍ଗରେ ଉପାର୍ଜନକାରୀ ବାପା ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜର ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ‘ଆଶୀର୍ବାଦ’ ଯୋଜନାରେ ଏହି ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ବଜନମାନଙ୍କ ଗହଣରେ ହିଁ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ, ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ।

‘ଆଶୀର୍ବାଦ’ ଯୋଜନା ଅନୁଯାୟୀ ୨୦୨୦ ଏପ୍ରିଲ ପହିଲା ଦିନ କିମ୍ବା ତାହା ପରେ ବାପା-ମା’ଙ୍କୁ ହରାଇଥିବା ଏବଂ ଏକକ ଅଭିଭାବକଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ। ପିଲାକୁ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ, ତେବେ ଆଉ ସହାୟତା ଦିଆଯିବ ନାହିଁ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ।

ବାପା ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢ଼ୁଥିଲେ, ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ଯଦି ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥା’ନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡ଼େ, ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ। ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ପିଲାକୁ ଅନ୍ୟ ସ୍କୁଲରେ ପଢ଼ାଇବା ପାଇଁ ଚାହିଁବେ, ତେବେ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ। ଉଚ୍ଚଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ‘ଗ୍ରିନ୍ ପ୍ୟାସେଜ୍‌’ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥା’ନ୍ତି, ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ‘ଆଉଟ୍‌ ଅଫ୍‌ ଟର୍ଣ୍ଣ’ରେ ଘର ମଞ୍ଜୁର କରାଯିବ। ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି, ତେବେ ତାଙ୍କୁ ସେହି ସୁବିଧା ଯୋଗାଇ ଦିଆଯିବ। ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୁଲିସ ସହ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନେବେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲମନ୍ଦ ଉପରେ ନଜର ରଖିବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ୍‌ ଜଷ୍ଟିସ୍‌ ଫଣ୍ଡ୍‌ରୁ ଆବଶ୍ୟକ ସ୍ଥଳେ ଏ ପିଲାମାନଙ୍କୁ ସହାୟତା ମିଳିପାରିବ।

ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଚାଇଲ୍‌ଡ୍‌ କେୟାର୍‌ ଇନ୍‌ଷ୍ଟିଚ୍ୟୁସନ୍‌ରେ ରୁହନ୍ତି, ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା ରିକରିଂ ଡିପୋଜିଟ୍‌ ଭାବେ ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ। ପିଲାର ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା କରାଯିବ।

ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମା’ଙ୍କ ମୃତ୍ୟୁ ଘଟିଥିବ ଏବଂ ପିଲାଟି ବଞ୍ଚି ରହିଥିବା ବାପା ବା ମା’ ପାଖରେ ରହୁଥିବ, ସେହି କ୍ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣପୋଷଣ ପାଇଁ ବଞ୍ଚିଥିବା ମା’ କିମ୍ବା ବାପା କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ। ପିଲାକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି, ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ। ପିଲାର ମା’ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥା’ନ୍ତି, ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ। ଏହା ବାଦ୍ ଅନ୍ୟ ଦୁଇ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ ଓ ବୀମା ଆଦି ସବୁ ସୁବିଧା ଏହି ବର୍ଗର ପିଲାଙ୍କୁ ମଧ୍ୟ ମିଳିବ।

ଚାଇଲ୍‌ଡ୍‌ ଲାଇନ୍ ତଥା ପଞ୍ଚାୟତ ସ୍ତରୀୟ କମିଟି, ବ୍ଲକ କମିଟି, ଆଗଧାଡ଼ିର କର୍ମୀ, ସିଭିଲ୍‌ ସୋସାଇଟି ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବ। ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଆବେଦନ କରିପାରିବେ।

ଅସମୟରେ ବାପା ମା’ଙ୍କୁ ହରାଇଥିବା ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼େ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ବତନ୍ତ୍ର ଅଭିଯାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର